Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କମୁଛି ନଦୀର ଜଳସ୍ତର ହେଲେ ସାମ୍ନାକୁ ଆସୁଛି ଦୁର୍ଦ୍ଦଶାର ଚିତ୍ର

Smruti Parija
Browse all articles by Smruti Parija
·1 year ago·2 min read
କମୁଛି ନଦୀର ଜଳସ୍ତର ହେଲେ ସାମ୍ନାକୁ ଆସୁଛି ଦୁର୍ଦ୍ଦଶାର ଚିତ୍ର

Key Points

  • ଉପକୂଳ ଓ ଉତ୍ତର ଓଡ଼ିଶା ଉପରେ ବାତ୍ୟା ପରେ ବନ୍ୟା ଚୋଟ 
  • କମୁଛି ନଦୀର ଜଳସ୍ତର ହେଲେ ସାମ୍ନାକୁ ଆସୁଛି ଦୁର୍ଦ୍ଦଶାର ଚିତ୍ର
  • ସତର୍କତା ଓ ସରକାରୀ ତତ୍ପରତା ଜରୁରୀ, ନ ହେଲେ ହନ୍ତସନ୍ତ ହେବେ ଲୋକେ
  • ଲଗାତାର ଦ୍ବିତୀୟ ଦିନ ଆକାଶ ମାର୍ଗରୁ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ
  • କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର ଓ ମୟୂରଭଞ୍ଜରେ କଲେ ସ୍ଥିତି ଅନୁଧ୍ୟାନ

ଅର୍ଗସ ବ୍ୟୁରୋ: ଇଏ ଦଇବର ଦାଉ । କେଇ ଘଣ୍ଟାର ଝଡ଼ ପବନ ଉପକୂଳ ଓ ଉତ୍ତର ଓଡ଼ିଶାରେ ତ ଅନେକ କ୍ଷୟକ୍ଷତି କଲା। ବାତ୍ୟା ଯିବା ପରେ ଏବେ ଲୋକଙ୍କ ଉପରେ ପଡ଼ିଛି ବନ୍ୟାର କଷଣ। ପ୍ରବଳ ବର୍ଷା ଯୋଗୁଁ ସବୁଠାରୁ ଅଧିକ ପ୍ରଭାବିତ ଭଦ୍ରକ ଜିଲ୍ଲାର ସାଳନ୍ଦୀ, ନାଳିଆ, ରେବ ଓ କପାଳୀ ନଦୀରେ ଆସିଛି ବନ୍ୟା। ଆଜି ନଦୀରେ ଜଳ ସ୍ତର କମିଛି। ତଥାପି ଭଦ୍ରକ, ଧାମନଗର ଓ ତିହିଡ଼ି ଏହି 3ଟି ବ୍ଲକର ବହୁ ଗାଁ ପାଣି ଘେରରେ ଅଛି । ବନ୍ୟା ପ୍ରଭାବିତ ଗାଁ ଗୁଡ଼ିକରୁ 15 ହଜାରରୁ ଅଧିକ ଲୋକଙ୍କୁ ବାତ୍ୟା ଆଶ୍ରୟ ସ୍ଥଳୀରେ ରଖାଯାଇଛି । 

ବାସୁଦେବପୁର ବ୍ଲକର ବେତଡ଼ା-ସୁଆଁ ମୁଖ୍ୟ ରାସ୍ତା ଉପରେ 5 ଫୁଟ୍ ଉଚ୍ଚତାର ବନ୍ୟାଜଳ  ପ୍ରବାହିତ ହେଉଛି। ଫଳରେ ଦୁଇଟି ପଞ୍ଚାୟତକୁ ଯୋଗାଯୋଗ ବିଛିନ୍ନ ହୋଇଛି । 
ବନ୍ୟା ପ୍ରଭାବରେ ଭଦ୍ରକ ଜିଲ୍ଲାରେ 1600ରୁ ଅଧିକ ରାସ୍ତା ଓ 140ରୁ ଅଧିକ କଲଭର୍ଟ ନଷ୍ଟ ହୋଇଛି। ବାତ୍ୟା ଓ ବନ୍ୟାରେ ଭଦ୍ରକ ଜିଲ୍ଲାର 1243 ଟି ଗାଁର 14 ଲକ୍ଷ 20 ହଜାର ଲୋକ ପ୍ରଭାବିତ ହୋଇଛନ୍ତି। ହଜାର ହଜାର ହେକ୍ଟର ଜମିରେ ଫସଲ ନଷ୍ଟ ହୋଇଛି । ଜିଲ୍ଲାପାଳ କହିଛନ୍ତି ଶୀଘ୍ର କ୍ଷୟକ୍ଷତି ଆକଳନ କରାଯାଇ ସରକାରଙ୍କୁ ରିପୋର୍ଟ ଦିଆଯିବ। 

ବାଲେଶ୍ବର ଜିଲ୍ଲାରେ ପ୍ରବାହିତ ବୁଢ଼ାବଳଙ୍ଗ ନଦୀର ବି ଜଳସ୍ତର କମୁଛି । ବାଲେଶ୍ବର ଜିଲ୍ଲାରେ ଚଳିତ ବର୍ଷ ୧ଲକ୍ଷ ୯୭ ହଜାର ହେକ୍ଟର ଜମିରେ ଧାନ ଚାଷ ହୋଇଥିଲା । କିନ୍ତୁ ଅମଳର ଠିକ୍ ପୂର୍ବରୁ ଖରିଫ ଧାନ ପ୍ରାୟ ଉଜୁଡ଼଼ି ଯାଇଛି । ବାଲେଶ୍ବର ସଦର ସମେତ ବସ୍ତା, ବାଲିଆପାଳ, ଭୋଗରାଇ ବାହାନଗା ଆଦି ବ୍ଲକରେ ଶହ ଶହ ହେକ୍ଟର ଜମିରେ ପରିବା ଫସଲ ବି ପାଣିରେ ବୁଡ଼ି ରହିଛି। 

ବାତ୍ୟା ଓ ବନ୍ୟା ପ୍ରଭାବିତ ଲୋକଙ୍କ ସୁରକ୍ଷା ସହ ରିଲିଫ୍ ଓ ସହାୟତା ଯୋଗାଇବା ଦିଗରେ ତତ୍ପରତା ଦେଖାଉଛନ୍ତି ରାଜ୍ୟ ସରକାର। ଆଜି ଲଗାତାର ଦ୍ବିତୀୟ ଦିନ ବାତ୍ୟା ଓ ବନ୍ୟା ପ୍ରଭାବିତ ଅଞ୍ଚଳରେ କ୍ଷୟକ୍ଷତିର ଅନୁଧ୍ୟାନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଆକାଶ ମାର୍ଗରୁ କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର ଓ ମୟୂରଭଞ୍ଜ ଜିଲ୍ଲାରେ ଏରିଅଲ୍ ସର୍ଭେ କରିଛନ୍ତି ମୁଖ୍ୟମନ୍ତ୍ରୀ ଏବଂ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ । ତୁରନ୍ତ କ୍ଷୟକ୍ଷତି ଆକଳନ ସାରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ବନ୍ୟା ସମୟରେ ଲୋକଙ୍କ ଜୀବନର ସୁରକ୍ଷା ପାଇଁ ସରକାର ସବୁ ପଦକ୍ଷେପ ନେଉଥିବା କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ।  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
cm-review-flood-situation | Argus News