Videos
|
Odisha

'ଚାଉଳ ଚୋରା ଚାଲାଣ ଗାଡ଼ିକୁ ଛାଡ଼ି ଦେଉଛନ୍ତି କଲେକ୍ଟର'

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
'ଚାଉଳ ଚୋରା ଚାଲାଣ ଗାଡ଼ିକୁ ଛାଡ଼ି ଦେଉଛନ୍ତି କଲେକ୍ଟର'

ଗଜପତିରୁ ବାହାର ରାଜ୍ୟକୁ ଲମ୍ବିଛି ରାସନ ଚାଉଳ ଚୋରା ଚାଲାଣର ନେଟୱର୍କ । ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରୁ ରୀତିମତ ଚୋରାଚାଲାଣ ହେଉଛି ପିଡିଏସ୍ ଚାଉଳ । ଜିଲ୍ଲା ପ୍ରଶାସନ ବିରୋଧରେ ବିଜେପି ଜିଲ୍ଲା ସଭାପତି ଆଣିଛନ୍ତି ସାଂଘାତିକ ଅଭିଯୋଗ । ଦୁର୍ନୀତିଖୋର ବିଜେଡି ନେତାଙ୍କ ନିର୍ଦ୍ଦେଶରେ କାମ କରୁଛନ୍ତି ପ୍ରଶାସନିକ ଅଧିକାରୀ । ଚୋରା ଚାଉଳ ଗାଡ଼ି ଛାଡ଼ିବାକୁ ଜିଲ୍ଲାପାଳ ଦେଉଛନ୍ତି ନିର୍ଦ୍ଦେଶ ।


ଗତ ୯ ତାରିଖରେ କିଛି ଦଲାଲ ପିଡିଏସ୍ ଚାଉଳ ନେଇ ଅନ୍ୟ ରାଜ୍ୟକୁ ଚାଲାଣ କରୁଥିବାବେଳେ ଟ୍ରକ୍ ଅଟକାଇ ଯୋଗାଣ ବିଭାଗକୁ ସୂଚନା ଦେଇଥିଲେ ସ୍ଥାନୀୟ ଲୋକେ। ଯୋଗାଣ ଅଧିକାରୀ ଓ ପାରଳାଖେମୁଣ୍ଡି ପୋଲିସ ପହଞ୍ଚି ଗାଡ଼ିକୁ ପାରଳାଖେମୁଣ୍ଡି ଥାନାରେ ଅଟକ ରଖିଥିଲେ ।


ତେବେ ଏ ମାମଲାରେ ଏକ ସାଂଘାତିକ ଅଭିଯୋଗ ଆଣିଛନ୍ତି ଜିଲ୍ଲା ବିଜେପି ସଭାପତି ତଥା ପାରଳାଖେମୁଣ୍ଡିର ପୂର୍ବତନ ବିଧାୟକ କେ ନାରାୟଣ ରାଓ । ଜିଲ୍ଲାପାଳଙ୍କ ଆଦେଶ କ୍ରମେ ଉପ ଜିଲ୍ଲାପାଳ ଚାଉଳ ଟ୍ରକ୍ ଛାଡ଼ିବାକୁ କୁଆଡ଼େ ନିର୍ଦେଶ ଦେଇଛନ୍ତି । ବିଜେଡି ନେତାଙ୍କ ଚାପରେ ଜିଲ୍ଲାପାଳ ଏମିତି କରୁଥିବା ଅଭିଯୋଗ ଆଣିଛନ୍ତି କେ ନାରାୟଣ ରାଓ ।


ପୂର୍ବରୁ କାଶୀନଗର ବ୍ଳକର ଜଣେ ଚାଉଳ ଡିଲର ଚୋରାଚାଲାଣ ଅଭିଯୋଗରେ ଧରାପଡ଼ିବା ପରେ ନିଲମ୍ବିତ ହୋଇଥିଲେ । କିନ୍ତୁ ତାଙ୍କୁ ପୁଣି କାମ କରିବାକୁ ଅନୁମତି ଦେଇଛନ୍ତି ଜିଲ୍ଲାପାଳ, ଯାହାକୁ ନେଇ ସୃଷ୍ଟି ହୋଇଛି ବିବାଦ । ବର୍ଷ ବର୍ଷ ଧରି ଗଜପତି ଜିଲ୍ଲାରେ ଚାଲିଛି ଏମିତି କାରବାର। ବିଜେଡି ଶାସନରେ ଏହି ରାକେଟ୍ ପଛରେ ଥିଲେ ଶଙ୍ଖ ଦଳର ନେତା । ଅଭିଯୋଗ ହେଉଛି ଏବେ ବି ବିଜେଡି ନେତାଙ୍କ ନିର୍ଦ୍ଦେଶରେ କାମ କରୁଛନ୍ତି ପ୍ରଶାସନିକ ଅଧିକାରୀ। କୃଷକ ସଂଘ ସଭାପତି କହିଛନ୍ତି ପିଡିଏସ ଚାଉଳ ଯୋଗୁଁ ହିଁ ମିଲରମାନେ ଧାନ କିଣାରେ କରୁଛନ୍ତି ମନମାନି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଗୋଟିଏ ପଟେ ଲକ୍ଷ ଲକ୍ଷ ଅଯୋଗ୍ୟ ଓ ଭୂତ ରାସନକାର୍ଡ ହିତାଧିକାରୀ। ଅନ୍ୟପଟେ ଚାଉଳ ଚୋରାଚାଲାଣ। ଏ ସବୁର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ଅଞ୍ଚଳବାସୀ।

'Collector is letting rice smuggling vehicles go' | Argus News