କଲେଜ ICC କୋର୍ଡିନେଟର କହିଛନ୍ତି ସୌମ୍ୟାଶ୍ରୀ ଆମ ପାଇଁ ଜଣେ ଆସେଟ୍ ଥିଲେ...

Key Points
ସୌମ୍ୟାଶ୍ରୀଙ୍କ ବାପା କହିଛନ୍ତି କଲେଜର ଆଇସିସି କମିଟି ଯଦି ଠିକ୍ ରିପାର୍ଟ ଦେଇଥାନ୍ତା ତେବେ ମୋ ଝିଅ କାହିଁକି ଆତ୍ମହତ୍ୟା କରିଥାନ୍ତା ।
ସୌମ୍ୟାଶ୍ରୀଙ୍କ ମୃତ୍ୟୁ ଘଟଣାକୁ ନେଇ କଂଗ୍ରେସର ଓଡ଼ିଶା ବନ୍ଦ ଡାକରାକୁ ସାଂସଦ ପ୍ରତାପ ଷଡ଼ଙ୍ଗୀ କରିଛନ୍ତି କଡ଼ା ସମାଲୋଚନା ।
ଗୋଟିଏ ପଟେ ବାଲେଶ୍ୱର ଏଫ୍ଏମ୍ କଲେଜ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟୁକୁ ନେଇ ରାଜ୍ୟ ରାଜନୀତି ସରଗରମ ଥିବା ବେଳେ ଏବେ ଏହି ଘଟଣାରେ ଏକ ନୂଆ ଫର୍ଦ୍ଦ ଯୋଡ଼ି ହୋଇଛି । ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । FM କଲେଜ ICC କୋର୍ଡିନେଟର ମୀନତି ସେଠୀ କହିଛନ୍ତି ସୌମ୍ୟାଶ୍ରୀ ଆମ କଲେଜ ପାଇଁ ଜଣେ ଆସେଟ୍ ଥିଲେ । ତାଙ୍କ ଅଭିଯୋଗ ଆଧାରରେ କମିଟି ୯ ତାରିଖ ରାତିରେ ରିପୋର୍ଟ ଦେଇସାରିଥିଲା । ସେଥିରେ HOD ସମିର ସାରଙ୍କୁ ଚେଞ୍ଜ୍ ପାଇଁ ପ୍ରିନ୍ସିପାଲଙ୍କୁ ଲେଖାଯାଇଥିଲା । କିନ୍ତୁ ତାଙ୍କୁ କଲେଜ କର୍ତ୍ତୃପକ୍ଷ ବଦଳାଇନଥିଲେ । ରିପୋର୍ଟ ଆଧାରରେ କ'ଣ ପଦକ୍ଷେପ ନିଆଯିବ ତାହା ତାଙ୍କ କାମ ଥିଲା ।
FM କଲେଜ ICC ସଦସ୍ୟ ମୀନତି ସେଠୀ ନିଜର ପ୍ରତିକ୍ରିୟାରେ କହିଛନ୍ତି, 'HOD ସମୀର ସାହୁଙ୍କ ନାଁରେ ସୋମ୍ୟାଶ୍ରୀ ଅଭିଯୋଗ କରିଥିଲ ଯେ HOD ତାଙ୍କୁ ଫେଭର ମାଗିଥିଲେ । ଏହା ନିଶ୍ଚିତ ଭାବେ ଯୌନ ନିର୍ଯାତନାକୁ ଇଙ୍ଗିତ କରୁଥିଲା । ମାତ୍ର କିଛି ପ୍ରତ୍ୟକ୍ଷ ପ୍ରମାଣ ନଥିଲା, ଏପରି ଘଟଣାରେ ବି ନ ଥାଏ । ଏପରି କଥାରେ କେହି ସାକ୍ଷୀ ନଥାନ୍ତି, କାହାକୁ କିଏ ବସାଇକି କହିବ କି । ତାଙ୍କ ଅଭିଯୋଗର ସତ୍ୟତା ଥାଇପାରେ, ମାତ୍ର ପ୍ରମାଣ ପାଇଲୁ ନାହିଁ । ତେଣୁ ବିଭାଗର ୬୦ ପିଲାଙ୍କୁ ଡାକି HODଙ୍କ ଚରିତ୍ର ବାବଦରେ ତଥ୍ୟ ନେଲୁ । ଅନ୍ୟ ପିଲାମାନେ ମଧ୍ୟ HODଙ୍କ ନାଁରେ ଅଭିଯୋଗକୁ ଗ୍ରହଣ କଲେନି । ମାତ୍ର ସାର୍ଙ୍କ ବ୍ୟବହାର ଠିକ୍ ନଥିଲା ବୋଲି ପଚାରି ବୁଝି ପାରିଲୁ । ତେଣୁ ରିପୋର୍ଟରେ HODଙ୍କୁ ଭଲ ବ୍ୟବହାର ପାଇଁ ଲେଖିଥିଲୁ । HODଙ୍କୁ ତୁରନ୍ତ ବଦଳାଇବାକୁ ଲେଖିବା ସହ ମୌଖିକ ଭାବେ କହିଥିଲୁ । HODଙ୍କୁ ତୁରନ୍ତ ବଦଳାଇଥିଲେ ପିଲା ଖୁସି ହୋଇଥାନ୍ତା, ନ୍ୟାୟ ଆଶା ରହିଥାନ୍ତା ।'
ଏହି ଘଟଣାରେ ସନ୍ଧ୍ୟା ପରେ ବଡ଼ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ଏକ ଉଚ୍ଚସ୍ତରୀୟ ବୈଠକ ପରେ ସେ ଏହି ସୂଚନା ଦେଇଛନ୍ତି । ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମରୁ ମୁଖ୍ୟମନ୍ତ୍ରୀ ଫେରିବା ପରେ ଏହି ନିଷ୍ପତ୍ତି ନିଆଯିବ । ଘଟଣା ପଛରେ ଯିଏ ବି ଥିବେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ । କେବଳ ପ୍ରିନ୍ସିପାଲ, HOD ନୁହଁନ୍ତି ଅନ୍ୟମାନେ ମଧ୍ୟ ତଦନ୍ତ ପରିସରଭୁକ୍ତ ହେବେ । ତଦନ୍ତ ପରିସରକୁ ଆହୁରି ବ୍ୟାପକ କରାଯିବ କହିଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ ।
📱 Get Argus News App
✨ସେପଟେ ସୌମ୍ୟାଶ୍ରୀଙ୍କ ବାପା କହିଛନ୍ତି କଲେଜର ଆଇସିସି କମିଟି ଯଦି ଠିକ୍ ରିପାର୍ଟ ଦେଇଥାନ୍ତା ତେବେ ମୋ ଝିଅ କାହିଁକି ଆତ୍ମହତ୍ୟା କରିଥାନ୍ତା । ଯେଉଁମାନେ କମିଟିରେ ଥିଲେ ସେମାନଙ୍କ ବିରୋଧରେ ମଧ୍ୟ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେଉ । ସେହିଭଳି ସୌମ୍ୟାଶ୍ରୀଙ୍କ ମାଆ କହିଛନ୍ତି, 'ମୋ ଛୁଆ ଚାଲିଗଲା.. ସଂସାର ଉଜୁଡ଼ିଗଲା । ମୁଁ କେତେ ସ୍ବପ୍ନ ଦେଖିଥିଲି ମୋ ଛୁଆ ପାଇଁ, ସବୁ ଜଳି ପୋଡ଼ି ପାଉଁଶ ହୋଇଗଲା ।
ସେହିଭଳି ସୌମ୍ୟାଶ୍ରୀଙ୍କ ମୃତ୍ୟୁ ଘଟଣାକୁ ନେଇ କଂଗ୍ରେସର ଓଡ଼ିଶା ବନ୍ଦ ଡାକରାକୁ ସାଂସଦ ପ୍ରତାପ ଷଡ଼ଙ୍ଗୀ କରିଛନ୍ତି କଡ଼ା ସମାଲୋଚନା । 'ଚୋର୍ ମଚାଏ ସୋର୍' କହି କଂଗ୍ରେସକୁ ତାତ୍ସଲ୍ୟ କରିଛନ୍ତି ସାଂସଦ । ଏହାସହ କଂଗ୍ରେସର ଅସ୍ତିତ୍ବ ହଜିଯାଇଛି ଏବଂ ଏହି ଘଟଣାରେ ତାଙ୍କୁ ଟିକେ ଅକ୍ସିଜେନ୍ ମିଳିଯାଇଛି । ତେଣୁ ନିଜ ସ୍ବାର୍ଥ ପାଇଁ ରାଜନୈତିକ ରୁଟି ସେକୁଛି କଂଗ୍ରସ । ଛବିରାଣୀ, ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ କଂଗ୍ରେସ ସମୟରେ ହିଁ ହୋଇଥିଲା । ବିଜେଡି ସମୟରେ ଇତିଶ୍ରୀ, ବେବିନା, ପରୀ, ସଂଧ୍ୟାରାଣୀ ହତ୍ୟାକାଣ୍ଡ ଘଟିଥିଲା । ଏବେ ଏମାନେ ମିଡିଆ ଆଗରେ କେବଳ ନାଟକବାଜୀ କରୁଛନ୍ତି । ମଲା ଲୋକର ଶବ ଉପରେ ଆଉ କେତେଦିନ ରାଜନୀତି କରିବେ ବୋଲି କଂଗ୍ରେସକୁ ପାଲଟା ପ୍ରଶ୍ନ କରିଛନ୍ତି ପ୍ରତାପ ଷଡ଼ଙ୍ଗୀ ।
ତେବେ ଛାତ୍ରୀ ସୌମ୍ୟାଶ୍ରୀଙ୍କର ଅନ୍ତିମ ସଂସ୍କାର ନିଜ ଜନ୍ମମାଟି ପଳାସିଆରେ ସଂପନ୍ନ ହୋଇଛି। ପଞ୍ଚଭୂତରେ ଲୀନ ହୋଇଛନ୍ତି ସୌମ୍ୟାଶ୍ରୀ ବିଶି । ତାଙ୍କୁ ଅଶ୍ରୁଳ ବିଦାୟ ଦେଇଛନ୍ତି ହଜାର ହଜାର ଲୋକ। ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀ ଭୋଗରାଇ ବିଧାୟକ ଗୌତମବୁଦ୍ଧ ଦାସ ଓ ବାଲେଶ୍ବର ସଦର ବିଧାୟକ ମାନସ ଦତ୍ତ ପ୍ରମୁଖ ଶେଷକୃତ୍ୟରେ ସାମିଲ ହୋଇଥିଲେ। ପାର୍ଥିବ ଶରୀର ପହଞ୍ଚିବା ପରେ ଗାଁରେ ସଂକୀର୍ତ୍ତନ କରାଯାଇଥିଲା।