ବାଥରୁମ୍ରେ କବାଟ ଲଗାଇବାକୁ ମନ୍ତ୍ରୀ ଦେଲେ ୩ ହଜାର

Key Points
- OSRTC କାର୍ଯ୍ୟାଳୟରେ ପହଞ୍ଚିଲେ ପରିବହନ ମନ୍ତ୍ରୀ
- ବାଥରୁମରେ କବାଟ ନଥିବାରୁ ଅସନ୍ତୋଷ ଝାଡିଲେ
- କହିଲେ, ୩ ହଜାର ରଖ...ଆଗେ କବାଟ ଲଗାଅ
ଅର୍ଗସ ବ୍ୟୁରୋ : ସରକାରୀ କାର୍ଯ୍ୟାଳୟରେ ଅଚାନକ ପହଞ୍ଚିଲେ ପରିବହନ ମନ୍ତ୍ରୀ । ନାଁ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଥିଲା ନା କାହାକୁ ସୂଚନା ଥିଲା । ବାସ୍ ହଠାତ୍ ପହଞ୍ଚିଗଲେ ମନ୍ତ୍ରୀ । ଆଉ ଏହାପରେ ଅଫିସରେ ଥିବା ଅବ୍ୟବସ୍ଥା ଦେଖି ଫିଡିକି ଗଲେ । ଖାଲି ଫିଡିକିଲେ ତାହା ନୁହେଁ ବରଂ ଡିଭିଜନାଲ ମ୍ୟାନେଜରଙ୍କ ଚାମ୍ବରରରେ ଥିବା ବାଥରୁମରେ କବାଟ ନଥିବାରୁ ମନ୍ତ୍ରୀ କହିଲେ ୩ ହଜାର ଟଙ୍କା ରଖ, ବାଥରୁମ୍ରେ କବାଟ ଲଗାଅ । ଆଉ ମନ୍ତ୍ରୀଙ୍କର ଏମିତି ତାଗିଦକୁ ନେଇ ଏବେ ପୁରା ଜିଲ୍ଲାରେ ଚର୍ଚ୍ଚା ।
କେମିତି ବାଥରୁମର କବାଟ ମୁକୁଳା ପଡିଛି । ଇଏ ପୁଣି ସରକାରୀ ଅଫିସର । ଥରେ ଚିନ୍ତା କରନ୍ତୁ ବିନା କବାଟରେ ବାଥରୁମର ବ୍ୟବହାର ହେଉଥିବ କି ନାହିଁ । ସୂଚନା ଅନୁସାରେ, ବ୍ରହ୍ମପୁର ସ୍ଥିତ ଓଏସଆରଟିସି କାର୍ଯ୍ୟାଳୟ ଅଚାନକ ପରିଦର୍ଶନ କରିଥିଲେ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା । କାର୍ଯ୍ୟାଳୟରେ ପହଞ୍ଚି କାମ କର୍ମଚାରୀ କେମିତି କାମ କରୁଛନ୍ତି ତାହାର ତଦାରଖ ବି କରିଥିଲେ । ଖାସ କରି ଓଏସଆରଟିସି କାର୍ଯ୍ୟାଳୟରେ ଏକ ଘରୋଇ କୋଚିଂ ସେଣ୍ଟରକୁ ଦେଖି ଅସନ୍ତୋଷ ପ୍ରକାଶ କଲେ ପରିବହନ ମନ୍ତ୍ରୀ ।
ନୂଆ ସରକାର, ନୂଆ ମନ୍ତ୍ରୀ । କେମିତି ସରକାରୀ କାମ ଠିକ୍ରେ ହେବ, ବ୍ୟବସ୍ଥା ସୁଧାରିବ ସେନେଇ ଅନେକ ସମୟରେ ବୈଠକ ପରେ ବୈଠକ ହେଉଛି । ପୂର୍ବରୁ ବି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇସାରିଛନ୍ତି କି, ମନ୍ତ୍ରୀମାନେ ଏବେ ଜିଲ୍ଲା ବୁଲିବେ । ସେହି ଅନୁସାରେ ବ୍ରହ୍ମପୁର ଗସ୍ତରେ ଯାଇଥିଲେ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା । ଆଉ ନିଜ ବିଭାଗରେ ଅବ୍ୟବସ୍ଥା ଦେଖି ସୁଧାରିଲେ ମଧ୍ୟ । ଯାହାକୁ ନେଇ ସବୁ ମହଲରେ ସ୍ଵାଗତ କରାଯାଇଛି । ଗୁରୁତ୍ଵପୂର୍ଣ୍ଣ କଥା ହେଲା, ମୋହନ ସରକାର ଆସିବା ପରେ ରାଜ୍ୟରେ ଅନେକ ପରିବର୍ତ୍ତନ ଦେଖାଯାଇଛି । କେମିତି ରାଜ୍ୟବାସୀ ଭଲରେ ଶାସନ ପାଇବେ ସେନେଇ ମାଷ୍ଟର ପ୍ଲାନ ବି ହୋଇଛି । ହେଲେ ପରିବହନ ମନ୍ତ୍ରୀ ଯେଉଁ କାମ କରିଛନ୍ତି ତାହାକୁ ନେଇ କିନ୍ତୁ ଏବେ ଚର୍ଚ୍ଚା ଚାଲିଛି ।
📱 Get Argus News App
✨