ସାମ୍ନାକୁ ଆସିଲା ହଂସିତା ଆଉ 5ଟି ଦାମୀ କାରର ସମ୍ପୂର୍ଣ୍ଣ ତଥ୍ୟ

Key Points
ରାଜଧାନୀରୁ ହାଇ ପ୍ରୋଫାଇଲ ଠକ ଦମ୍ପତି ଗିରଫ ମାମଲାରେ ନୂଆ ଟ୍ବିଷ୍ଟ
ନାଁ ନ ନେଇ ଦିବ୍ୟଶଙ୍କର ମିଶ୍ରଙ୍କୁ ଟାର୍ଗେଟ୍ କଲେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ
ନିୟମକୁ ମୋଡ଼ି ମକଚି ହଂସିତା ଆଉ ଟିମକୁ ଦିଆଯାଇଥିଲା ଶିଳ୍ପ ବିଭାଗର ବହୁ କାମ
ପୂର୍ବତନ ଶିଳ୍ପ ମନ୍ତ୍ରୀ ଦେଖାଇଥିଲେ ଅହେତୁକ ଅନୁକମ୍ପା
ବିଜେଡି ସରକାରରେ ଗେହ୍ଲା ଝିଅ ଥିଲେ ହଂସିତା ଅଭିଲିପ୍ସା
ହୋଇଛି ଶହ ଶହ କୋଟିର କେଳେଙ୍କାରୀ, ତଦନ୍ତ ହେଲେ ଖୋଲିବ ସମ୍ପୃକ୍ତ ବିଜେଡି ନେତାଙ୍କ ମୁଖା
ସାମ୍ନାକୁ ଆସିଲା ହଂସିତା ଆଉ 5ଟି ଦାମୀ କାରର ସମ୍ପୂର୍ଣ୍ଣ ତଥ୍ୟ
ଅର୍ଗସ ବ୍ୟୁରୋ: ବିରୋଧୀ ଦଳର ଜଣେ ସାଧାରଣ ନେତ୍ରୀ। ସାଧାରଣ ମଧ୍ୟବିତ୍ତ ପରିବାରର ପୃଷ୍ଠଭୂମି । କିନ୍ତୁ ସେ ବର୍ଷ କେଇଟା ଭିତରେ ପାଲଟିଗଲେ 110 କୋଟିର ମାଲିକାଣୀ। ଜାଗୁଆର, ମର୍ସିଡିସ୍, ପୋର୍ସେ ଭଳି କମ୍ପାନୀର 5ଟି ଦାମୀ କାର। ଚକାଚକ୍ ଲାଇଫ୍ ଷ୍ଟାଇଲ୍। ତୃତୀୟ ସ୍ବାମୀଙ୍କ ସହ ଅହରହ ବିଦେଶ ବୁଲା । ନେତା, ବ୍ୟବସାୟୀଙ୍କ ସହଯୋଗ ଓ ସମ୍ପର୍କରେ ଆସି କମାଇଛନ୍ତି କୋଟି କୋଟି ଟଙ୍କା । ଭିଜିଲାନ୍ସ ଓ ଇଡି ତଦନ୍ତରେ ଯେତେଯେତେ ଏ ହାଇପ୍ରୋଫାଇଲ୍ ଠକ ଦମ୍ପତିଙ୍କ କେଳେଙ୍କାରୀର ଖୁଲାସା ହେଉଛି, ସେତେ ସେତେ ସାମ୍ନାକୁ ଆସୁଛି ବିଜେଡିର ନେତା ଓ ପୂର୍ବତନ ମନ୍ତ୍ରୀଙ୍କ ସହ ଏମାନଙ୍କ ଲିଙ୍କ । ହଂସିତା ଲିଙ୍କରେ ଏବେ ବିବାଦ ଘେରକୁ ଆସିଛନ୍ତି ପୂର୍ବତନ ମନ୍ତ୍ରୀ ବିଜେଡିର ପାୱାରଫୁଲ୍ ନେତା ଦିବ୍ୟଶଙ୍କର ମିଶ୍ର । ହିଂସିତା ମାମଲାରେ ନାଁ ନ ନେଇ ଦିବ୍ୟଶଙ୍କରଙ୍କୁ ଜୋରଦାର ଟାର୍ଗେଟ୍ କରିଛନ୍ତି ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ । ଅଭିଯୋଗ କରିଛନ୍ତି କଳାହାଣ୍ଡିର ଜଣେ ବିଧାୟକ ଶିଳ୍ପମନ୍ତ୍ରୀ ଥିବାବେଳେ ଆଇନ କାନୁନର ଉଲ୍ଲଂଘନ କରି ହଂସିତାଙ୍କୁ ଦିଆଯାଇଛି ବହୁ କାମ । ଯାହା ଫଳରେ ରାଜକୋଷରୁ ଲୁଟ୍ ହୋଇଛି ଶହ ଶହ କୋଟି ଟଙ୍କା
ଏପଟେ ଠକେଇ ଟଙ୍କାରେ ହିଂସିତା କିଣିଥିବା 5ଟି ଦାମୀ କାରର ତଥ୍ୟ ସାମ୍ନାକୁ ଆସିଛି । 2024 ମାର୍ଚ୍ଚ 22ରେ କିଣାଯାଇଛି OD 02CS 7777 ନମ୍ବରର ପୋର୍ସେ କାର୍। ଅନୀଲ ମହାନ୍ତିଙ୍କ କମ୍ପାନୀ 'ହାର୍ଦ୍ଦିକ୍ ଇନଫ୍ରା ପ୍ରାଇଭେଟ ଲିମିଟେଡ୍ ଆକାଉଣ୍ଟରୁ ନଗଦ 1 କୋଟି 97 ଲକ୍ଷ ଟଙ୍କା ଦେଇ ଏହି କାର କିଣା ହୋଇଛି । 20 ଜୁନ 2019ରେ ଅନୀଲ ମହାନ୍ତି କିଣିଥିଲେ OD 02BB 7777 ନମ୍ବରର ଜାଗୁଆର ଲ୍ୟାଣ୍ଡ ରୋଭର କାର୍ । ଯାହାର ଦାମ୍ 72ଲକ୍ଷ 46ହଜାର ଟଙ୍କା । ଅନୀଲ ଙ୍କ ନାଁରେ ରହିଛି ଆଉ ଏକ ଲ୍ୟାଣ୍ଡ ରୋଭର କାର । 27 ଜାନୁଆରୀ 2014ରେ କିଣାଯାଇଥିବା ଏହି କାରର ଦାମ 54ଲକ୍ଷ 91ହଜାର । ହଂସିତା ଙ୍କ ପ୍ରଥମ ସ୍ୱାମୀ ସରୋଜ ସାହୁଙ୍କ ନାଁରେ ରହିଛି 2ଟି BMW କାର ଗାଡି ନମ୍ବର OD 02CB 8808 ଓ OD 02KC 0008 ନମ୍ବର ବିଶିଷ୍ଟ ଏ ଦୁଇ କାର ଗୋଟିଏ ଦିନରେ 2023 ଜୁଲାଇ 31ରେ କିଣା ହୋଇଛି । ଗୋଟିଏ ଲେଖାଏଁ କାରର ଦାମ୍ 48ଲକ୍ଷ 90ହଜାର ଟଙ୍କା ।
ଅଭିଯୋଗ ହେଉଛି ବିଜେଡି ସରକାରର ଗେହ୍ଲା ଝିଅ ଥିଲେ ହଂସିତା । ଉଭୟ କର୍ପୋରେଟ୍ ଓ ରାଜନୀତି ଦୁନିଆରେ ତାଙ୍କର ଥିଲା ବେଶ୍ କାଟତି । ହଂସିତା ଓ ତାଙ୍କ ସ୍ବାମୀଙ୍କ ଠକ କାରନାମା ପଛରେ ଥିଲା କେଉଁ କେଉଁ ବିଜେଡି ନେତା ଓ ମନ୍ତ୍ରୀଙ୍କର ହାତ ତଦନ୍ତରେ ତାର ଖୁଲାସା ହେବ ବୋଲି ଆଶା କରାଯାଉଛି ।