କେବେ ସ୍ୱଚ୍ଛ ହେବ ରାଜଧାନୀ, ବଢିଲା ଚିନ୍ତା

Key Points
କେବେ ପ୍ଲାଷ୍ଟିକ ମୁକ୍ତ ହେବ ସ୍ମାର୍ଟ ସିଟି?
କେବେ ସ୍ୱଚ୍ଛ ହେବ ରାଜଧାନୀ ?
ପ୍ଲାଷ୍ଟିକ୍ ମୁକ୍ତ ସହର ପାଇଁ ସଚେତନତା ପଦଯାତ୍ରା
ବିଶ୍ୱ ପରିବେଶ ଦିବସରେ ସ୍ୱଚ୍ଛତା ନେଇ ଏବେ ବି ପ୍ରଶ୍ନ !
ଆଜି ବିଶ୍ୱ ପରିବେଶ ଦିବସ । ଅଧିକ ମାତ୍ରାରେ ଗଛ କାଟିବା ଏବେ ସାଧାରଣ ଜୀବନକୁ ବିପଦ ଆଣୁଛି ବୋଲି କହୁଛନ୍ତି ପରିବେଶବିତ୍ । ଅନ୍ୟପଟେ ବିଏମସିର ପ୍ଳାଷ୍ଟିକ୍ ମୁକ୍ତ ଆହ୍ୱାନ ପାଲଟିଛି ପ୍ରହସନ। ମାର୍କେଟରେ ଲୋକେ ନାହାଁନ୍ତି କିନ୍ତୁ ସଚେତନ କରୁଥିବା ଦାବି କରୁଛି ବିଏମସି । ପ୍ଲାଷ୍ଟିକ୍ ମୁକ୍ତ ହେବ ସହର । ସଚେତନ ହେବେ ନାଗରକି । ଏହି ଆହ୍ୱାନ କ୍ରମେ ବିଶ୍ୱ ପରିବେଶ ଦିବସରେ ସକାଳୁ ସକାଳୁ ସଚେତନତା ପଦଯାତ୍ରାରେ ବାହାରିଥିଲା ବିଏମସି । ସାଙ୍ଗରେ ଥିଲେ ସ୍ୱେଚ୍ଛାସେବୀ କର୍ମଚାରୀ । ଆଗେ ଆଗେ ବିଏମସି କମିଶନର ପଛେ ପଛେ କର୍ମୀ । ଲୋକଙ୍କୁ ସଚେତନ କରିବା ପାଇଁ ବାଛିଥିଲେ ୟୁନିଟ ୨ ମାର୍କେଟ ବିଲ୍ଡିଂ । ହେଲେ ଏତେ ସକାଳୁ ନା ଖୋଲିଥିଲା ମାର୍କେଟ ନା ମାର୍କେଟରେ ଥିଲେ ଲୋକ । ମାର୍କେଟ ପରିସରରେ ଅଧିକ ପ୍ଲାଷ୍ଟିକ୍ ବ୍ୟବହାର ହେଉଥିବାରୁ ବିଏମସି ଏହି ଜାଗାକୁ ଆସିଥିଲା ।
ହେଲେ ଏଠି ପ୍ରଶ୍ନ ଉଠୁଛି ଏଠି ସଚେତନ କାହାକୁ କରୁଛି ବିଏମ୍ସି । ନିଜେ ନିଜେ ଅଳିଆ ସଫା କଲେ ଆଉ ନିଜେ ହୋଇଗଲେ ସତର୍କ । ବାସ୍ତବତା କହୁଛି କେବଳ ପରିବେଶ ଦିବସ ଆସିଲେ ସ୍ୱଚ୍ଛତା ପାଇଁ ତତ୍ପର ହୋଇଛି bmc । ପୂର୍ବରୁ ପ୍ଲାଷ୍ଟିକ୍ ର ବ୍ୟବହାର ହେଉ ଅବା ପଲିଥିନର ରୋକ୍ ଲଗାଇବା ପାଇଁ ଫାଇନ୍ ଆଦାୟ ହେଉଥିଲା । ଏବେ କିନ୍ତୁ ଏନଫୋର୍ସମେଣ୍ଟ ନାମରେ ହିଁ କେବଳ ସିମୀତ ରହିଛି । ବିଏମସି କମିଶନର କହିଛନ୍ତି ଫାଇନ୍ ଅପେକ୍ଷା ଲୋକେ ସଚେତନ ହେବା ଜରୁରୀ । ଅନ୍ୟପଟେ ପରିବେଶ ସୁରକ୍ଷା ପାଇଁ ୨୦ ଟି ପର୍ୟ୍ୟାୟରେ ମିଆଁଜାକି ପଦ୍ଧତିରେ କରାଯିବ ବୃକ୍ଷରୋପଣ ।
ସେପଟେ ପରିବେଶବିତଙ୍କ ମତ ୩ ଟି ମୁଖ୍ୟ କାରଣ ଏବେ ସାରା ବିଶ୍ୱ ପାଇଁ ଚିନ୍ତାର ବିଷୟ ପାଲଟିଛି । ପ୍ରଥମଟି ପୃଥିବୀର ତାପମାତ୍ରା ବୃଦ୍ଧି ସହିତ ଜଳବାୟୁ ପରିବର୍ତ୍ତନ, ପ୍ରଦୂଷଣ ମାତ୍ରା ବୃଦ୍ଧି ଓ ବର୍ଜ୍ୟ ପଦାର୍ଥର ନିଷ୍କାସନ ସମସ୍ୟା ଏବଂ ପ୍ରାକୃତିକ ପରିସଂସ୍ଥାନ ତଥା ଜୈବ ବିବିଧତା ହ୍ରାସ ପାଇବା ଯୋଗୁଁ ବଢୁଛି ଚିନ୍ତା । ପ୍ରାକୃତିକ ବିପର୍ଯ୍ୟୟ ସୃଷ୍ଟି ହେବା ସହ ଜଳବାୟୁ ପରିବର୍ତ୍ତନ ହେଉଛି । ଏଭଳି ସ୍ଥିତି ଜାରୀ ରହିଲେ ଆଗାମୀ ଦିନରେ ସାଧାରଣ ଜୀବନ ବଞ୍ଚିବା ଏକ ପ୍ରକାର ଅସମ୍ଭବ ହୋଇଯିବ । ବିଶ୍ୱ ପରିବେଶ ଦିବସରେ ଆମେ ସଚେତନ ହୋଇ ବୃକ୍ଷ ରୋପଣ କରିବା ଆମ ପରିବେଶକୁ ନିଜେ ସ୍ୱଚ୍ଛ ରଖିବାର ଦାୟିତ୍ୱ ନେଲେ ଆମ ସହର ଆମ ରାଜ୍ୟ ସ୍ୱଚ୍ଛ ଓ ସୁନ୍ଦର ହୋଇପାରିବ ।