ଆଗାମୀ ଦୁଇ ଦିନ ରାଜ୍ୟରେ ପୁଣି ବର୍ଷା ସମ୍ଭାବନା ନେଇ ପୁଣି ବଢ଼ିଛି ଚିନ୍ତା

ଅଦିନିଆ ବର୍ଷା ଭାଙ୍ଗି ଦେଇଛି ଚାଷୀର ମେରୁଦଣ୍ଡ । ଦୁଇ ଦୁଇଟି ବର୍ଷା ପରେ ଅଣ୍ଟା ସଳଖି ଛିଡ଼ା ହେଉଛି ଚାଷୀ । ଠିକ୍ ଏତିକି ବେଳକୁ ଆଉ ଏକ ବର୍ଷା ନେଇ ଆସୁଛି ସୂଚନା । ଆଗାମୀ 2 ଦିନ ରାଜ୍ୟରେ ପୁଣି ବର୍ଷା ସମ୍ଭାବନା ନେଇ ପୁଣି ବଢ଼ିଛି ଚିନ୍ତା । ଅମଳ ପୂର୍ବରୁ ବାତ୍ୟା ଆଉ ଅମଳ ବେଳେ ଦୁଇ ଦୁଇଥର ଅଦିନିଆ ବର୍ଷା। ସାରା ରାଜ୍ୟର ଚାଷୀଙ୍କ ପାଇଁ ବଇରି ସାଜିଛି ପାଣିପାଗ। ଲଘୁଚାପ ବର୍ଷା ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି । ଜମିରେ ପଡ଼ି ନଷ୍ଟ ହେଉଛି ବର୍ଷଟା ଯାକର ପରିଶ୍ରମ । ଧାନ ହେଉକି ପାନ।
ପରିବା ହେଉ କି କପା...ବିଲରେ ପଡ଼ିଥିବା ଏ ଫସଲ ବୟାନ କରୁଛି ଚାଷୀଙ୍କ ଦୁର୍ଦ୍ଦଶା। ଏମିତି ସମୟରେ ଆହୁରି ଦାଉ ସାଧିବାକୁ ଆସୁଛି ଆଉ ଏକ ବର୍ଷା । ଆସନ୍ତା 28 ଓ 29 ତାରିଖରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ପ୍ରଭାବ ଦେଖାଇବ ପଶ୍ଚିମାଝଡ଼ । ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ନେଇ ଆକଳନ କରିଛି ପାଣିପାଗ ବିଭାଗ। ଗତ ବର୍ଷାରେ ଅଧିକ ପ୍ରଭାବିତ ହୋଇଥିଲା ଗଞ୍ଜାମ । ଜିଲ୍ଲାର ପ୍ରାୟ ସବୁ ବ୍ଲକରେ ଧାନ ଓ ପରିବା ଚାଷ ନଷ୍ଟ ହୋଇଛି । ହିଞ୍ଜିଳି ବିଧାୟକ ପ୍ରାର୍ଥୀ ତଥା ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶିଶିର ମିଶ୍ର ଗାଁରେ ଚାଷ ଜମି ବୁଲି ଚାଷୀଙ୍କ ସହିତ ଆଲୋଚନା କରିଛନ୍ତି। ଜଗତସିଂହପୁର ବିରିଡ଼ି ବ୍ଲକ୍ ଅରଣା ପଞ୍ଚାୟତରେ ହେକ୍ଟର ହେକ୍ଟର ଧାନ ବିଲରେ ଜମି ରହିଛି ଆଣ୍ଠୁଏ ଉଚ୍ଚର ପାଣି । ବିଲରେ ଧାନ ଗଜା ହୋଇ ଗଲାଣି। ଗଜପତି ଜିଲ୍ଲାରେ ବି ଅଦିନିଆ ବର୍ଷା ଉଜାଡି ଦେଇଛି ବର୍ଷକର ଧାନ ଚାଷ । ଜିଲ୍ଲାର ଗୋଷାଣୀ, କାଶୀନଗର, ରାୟଗଡା, ଗୁମ୍ମା ବ୍ଲକର ବିଭିନ୍ନ ଅଞ୍ଚଳରେ ଶହ ଶହ ଏକର ଚାଷ ଜମିର ଥିବା ଅମଳ ଧାନ ନଷ୍ଟ ହୋଇଛି । ଅଦିନିଆ ବର୍ଷାରେ ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଭଗବାନପୁର ପଞ୍ଚାୟତ ବରମପୁର ଗାଁରେ ପାନ ଚାଷୀଙ୍କ ପନ ବରଜ ନଷ୍ଟ ହୋଇଯାଇଛି । ପାନ ପତ୍ରରେ କଳା ଚିତା ପଡ଼ିଯିବା ସହ ପାନ ଗଛ ତଳେ ଫିମ୍ପି ଲାଗି ଚାଷ ନଷ୍ଟ ହୋଇଛି । ସେପଟେ ଖାଦ୍ୟ ଯୋଗାଣ ମନ୍ତ୍ରୀ କହିଛନ୍ତି, ଚାଷୀ ମାନେ ବିବ୍ରତ ହୁଅନ୍ତୁ ନାହିଁ । ତୁରନ୍ତ କ୍ଷୟକ୍ଷତି ଆକଳନ ପାଇଁ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସମବାୟ ମନ୍ତ୍ରୀ କହିଛନ୍ତି, ଅଧିକାରୀ ମାନେ ଗ୍ରାଉଣ୍ଡକୁ ଯାଇ କ୍ଷୟକ୍ଷତିର କରୁଛନ୍ତି ଆକଳନ ।
📱 Get Argus News App
✨କେହି ବି ଚାଷୀ କ୍ଷତିପୂରଣରୁ ବାଦ୍ ପଡ଼ିବେନି । ସେହିପରି ଅଦିନିଆ ବର୍ଷା ଜନିତ କ୍ଷୟକ୍ଷତିର ଆକଳନ ପ୍ରସଙ୍ଗରେ ଶନିବାର ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓଙ୍କ ଅଧ୍ୟକ୍ଷତାରେ ରାଜସ୍ବ, କୃଷି ଓ ସମବାୟ ବିଭାଗର ମନ୍ତ୍ରୀ ସ୍ତରୀୟ ବୈଠକ ବସିବ । ନୟାଗଡ଼ରେ ବର୍ଷା ପରେ ବଢିବାରେ ଲାଗିଛି ଦୁର୍ଦଶା । ଏକର ଏକର ଧାନ ଜମି ପାଣି ଘେରରେ ରହିଛି । ପ୍ରଥମେ ୨ ଦିନ ଲଗାଣ ବର୍ଷାରେ ଧାନ ବିଲରେ ପାଣି ମାଡି ଧାନ ଗଜା ହେବାକୁ ଯାଉଥିବା ବେଳେ, ଚାଷୀ ତରବରିଆ ଭାବରେ ପାଣିରୁ ଧାନ ବାହାର କରି ହୁଡ଼ାରେ ରଖିଥିଲା।