Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ୱାକଫ୍ ସଂଶୋଧନ ବିଲକୁ ନେଇ ବିଜେଡି ଫାଳଫାଳ, ସାଂସଦଙ୍କ ମତଭେଦ ଜଳଜଳ

Odisha

ୱାକଫ୍ ସଂଶୋଧନ ବିଲକୁ ନେଇ ବିଜେଡି ଫାଳଫାଳ, ସାଂସଦଙ୍କ ମତଭେଦ ଜଳଜଳ

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
ୱାକଫ୍ ସଂଶୋଧନ ବିଲକୁ ନେଇ ବିଜେଡି ଫାଳଫାଳ, ସାଂସଦଙ୍କ ମତଭେଦ ଜଳଜଳ

ୱାକଫ୍ ସଂଶୋଧନ ବିଲକୁ ନେଇ ବିଜେଡି ଫାଳଫାଳ । ବିଜେଡି ରାଜ୍ୟସଭା ସାଂସଦଙ୍କ ମଧ୍ୟରେ ମତଭେଦ ଜଳଜଳ । ଦଳର ଆଭିମୁଖ୍ୟ ବିରୋଧରେ ଦେବାଶିଷ ସାମନ୍ତରାୟଙ୍କ ଭୋଟ୍ ବର୍ଜନ । ଉଠାଇଲେ ପ୍ରଶ୍ନ, ବିଜେପି ପାଖରେ ବିକ୍ରି ହୋଇଗଲା କି ଦଳ । ଜଣେ ସମର୍ଥନ, ୨ ଜଣ ବିରୋଧ, ଜଣେ ଅନୁପସ୍ଥିତ, ୩ ଜଣଙ୍କୁ ନେଇ ପ୍ରଶ୍ନଚିହ୍ନ । ବିଜେପି କହିଲା ନେତୃତ୍ବକୁ ନେଇ ବିଜେଡି ସାଂସଦଙ୍କ ମଧ୍ୟରେ ସନ୍ଦିହାନ ।

ରାଜ୍ୟସଭାରେ ୱାକଫ୍ ସଂଶୋଧନ ବିଲକୁ ନେଇ ହୋଇଥିବା ବିତର୍କରେ ବିଜେଡି ତରଫରୁ ଭାଗନେଇଥିଲେ ସାଂସଦ ମୁଜିବୁଲ୍ଲା ଖାଁ ଓରଫ୍ ମୁନ୍ନା ଖାଁ। ସେ ବିଲ୍‌କୁ ଖୋଲାଖୋଲି ବିରୋଧ କରିଥିଲେ । ତାଙ୍କ ଦଳର ନେତା ନବୀନ ପଟ୍ଟନାୟକ ତାଙ୍କୁ ବିରୋଧ ପାଇଁ ସୁଯୋଗ ଦେଇଥିବା କଥା ବି ସେ ସ୍ପଷ୍ଟ କରିଥିଲେ ମୁନ୍ନା ଖାଁ। ତେଣୁ ଆଶା କରାଯାଉଥିଲା ବିଜେଡି ବିଲ୍‌ ବିରୋଧରେ ଦେବ ଭୋଟ। କିନ୍ତୁ ସନ୍ଧ୍ୟା ହେଉ ହେଉ ବିଜେଡି ନେଇଥିଲା ୟୁଟର୍ଣ୍ଣ।

ବିଜେଡି ସାଂସଦ ସସ୍ମିତ ପାତ୍ର ଏକ୍ସରେ ପୋଷ୍ଟ କଲେ ୱାକଫ୍ ବିଲରେ ବିବେକ ଅନୁଯାୟୀ ଭୋଟ୍ ଦେବାକୁ ଆମ ଦଳ ସାଂସଦମାନଙ୍କ ଉପରେ ଛାଡ଼ିଦେଇଛି। ଦଳ କୌଣସି ହ୍ବିପ୍ ଜାରି କରିବନି । ଆଉ ୱାକଫ୍ ବିଲ୍‌ ଉପରେ ଭୋଟ ପରେ ସ୍ପଷ୍ଟ ହୋଇଯାଇଥିଲା ରାଜ୍ୟସଭାରେ ବିଜେଡି ଫାଳଫାଳ। ମୁନ୍ନା ଖାଁ ବିଲ୍‌ ବିରୋଧରେ ଦେଇଥିଲେ ଭୋଟ୍। ସାସଂଦ ସୁବିଶିଷ ଖୁଣ୍ଟିଆ ମଧ୍ୟ ବିଲ୍‌ ବିରୋଧରେ ମତ ଦେଇଥିବା ଅର୍ଗସକୁ ସ୍ପଷ୍ଟ କଲେ। ସେପଟେ ସସ୍ମିତ ପାତ୍ର ବିଲ ସପକ୍ଷରେ ଭୋଟ୍ ଦେଇଥିବା ନେଇ ଘୋଷଣା କରିଥିଲେ।

ସାଂସଦ ଦେବାଶିଷ ସାନ୍ତରାୟ ଅର୍ଗସକୁ କହିଛନ୍ତି ଦଳର ନିଷ୍ପତିକୁ ନେଇ ମୁଁ ଅସନ୍ତୁଷ୍ଟ। ସଂସଦୀୟ ଦଳ ବୈଠକରେ ନିଷ୍ପତ୍ତି ହୋଇଥିଲା ଆମେ ୱାକଫ୍ ବିଲ୍‌କୁ ବିରୋଧ କରିବୁ। କାହିଁକି ଏପରି ପରିବର୍ତ୍ତନ ହେଲା ଯେ ଆମେ ନିଜ ବିବେକକୁ ଛାଡ଼ିଦେଲୁ ଭୋଟ୍ ଦେବାକୁ । ପାର୍ଟିର କୌଣସି ହ୍ବିପ୍ ରହିଲାନି। ତାହା ହେଲେ ଆମେ କଣ ବିକ୍ରି ହେଇଗଲୁକି ବିଜେପିକୁ ? ସେଥିପାଇଁ ମୁଁ ଭୋଟ ବର୍ଜନ କଲି। ଅନୁପସ୍ଥିତ ରହିଲି ବିଜେଡି ବିରୁଦ୍ଧରେ। ଏହା ବିଜେଡିର କି ନିଷ୍ପତି ?

ଏବେ ପ୍ରଶ୍ନ ସସ୍ମିତ ପାତ୍ର ସପକ୍ଷରେ ଏବଂ ମୁନ୍ନା ଖାଁ ଓ ସୁବାଶିଷ ଖୁଣ୍ଟିଆ ଯଦି ବିଲ ବିରୋଧରେ ଭୋଟ ଦେଲେ। ଆଉ ଦେବାଶିଷ ବର୍ଜନ କଲେ ତାହାଲେ ବାକି ତିନି ବିଜେଡି ସାଂସଦ ସୁଲତା ଦେଓ, ନିରଞ୍ଜନ ବିଶି ଓ ମାନସ ମଙ୍ଗରାଜ ସପକ୍ଷରେ ଭୋଟ ଦେଲେ ନା ବିରୋଧରେ।

ତେବେ ଏହି ପ୍ରସଙ୍ଗ ନେଇ ବିଜେଡିକୁ କଟାକ୍ଷ କରିଛି ବିଜେପି। ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି ବିଜେଡିରେ କାହା ନେତୃତ୍ବକୁ ମାନିବେ ତାକୁ ନେଇ ସାଂସଦମାନେ ସନ୍ଦିହାନ।

ଏବେ ପ୍ରଶ୍ନ ଉଠୁଛି କାହିଁକି ୱାକଫ୍ ସଂଶୋଧନ ବିଲରେ ଭୋଟ ଦେବାକୁ ନେଇ ହ୍ବିପ୍ ଜାରି କରିନଥିଲା ବିଜେଡି ? ମୁନ୍ନା ଖାଁ ଓ ସସ୍ମିତ ପାତ୍ରଙ୍କ ମଧ୍ୟରୁ କିଏ କହୁଛନ୍ତି ସତ ? ପୂର୍ବରୁ ରାଜନୀତି ବିଶାରଦ କହିଥିଲେ କ୍ଷମତାରୁ ଯିବା ପରେ ନେତୃତ୍ୱକୁ କେହି ମାନିବେ ନାହିଁ। ବିଜେଡି ଭାଙ୍ଗିଯିବ । ଏବେ ତାହା ସତ ହେବାକୁ ଯାଉଛି କି ? ୱାକଫ୍ ସଂଶୋଧନ ବିଲକୁ ନେଇ ବିଜେଡି ଫାଳଫାଳ ହେବା ଦଳର ଭବିଷ୍ୟତ ଆଡକୁ କରୁଛି କି ଇସାରା ?

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Conflict Between BJD MPs On waqf Bill | Argus News