ବନ୍ଦ ନାଁରେ କଂଗ୍ରେସ ନେତା ଓ କର୍ମୀଙ୍କ ଗୁଣ୍ଡାଗର୍ଦ୍ଦି, ରାସ୍ତାରେ ଲୋକଙ୍କ ସହ ଧସ୍ତାଧସ୍ତି

Key Points
ବନ୍ଦ ନାଁରେ କଂଗ୍ରେସ ନେତା ଓ କର୍ମୀଙ୍କ ଗୁଣ୍ଡାଗର୍ଦ୍ଦି
ସର୍ବସାଧାରଣ ସମ୍ପତ୍ତି ଭଙ୍ଗାରୁଜା
ରାସ୍ତାରେ ଲୋକଙ୍କ ସହ ଧସ୍ତାଧସ୍ତି
ଚିକିତ୍ସା ପାଇଁ ଯାଉଥିବା ଡାକ୍ତର ଓ ରୋଗୀଙ୍କୁ ବି ଛାଡ଼ିଲେନି ବାଟ
ଫିଙ୍ଗିଦେଲେ ଗରିବ ଜଳଖିଆ ଦୋକାନୀର ଖାଦ୍ୟ
ଭୁବନେଶ୍ବରରୁ ନେଇ ଜଗତସିଂହପୁର। ଅନୁଗୁଳରୁ କୋରାପୁଟ । ମୃତ ଛାତ୍ରୀଙ୍କୁ ନ୍ୟାୟ ଦାବିରେ ବନ୍ଦ ଡାକରା ଦେଇ ଆଜି ସାରା ରାଜ୍ୟରେ ଗୁଣ୍ଡାଗର୍ଦ୍ଦି କରିଛନ୍ତି କଂଗ୍ରେସ ନେତା ଓ କର୍ମୀ। ଇଏ ରାଜଧାନୀ ଭୁବନେଶ୍ବରର ଦୃଶ୍ୟ। ଅତି ଜରୁରୀ କାମରେ ଯାଉଥିବା ଲୋକଙ୍କୁ ରାସ୍ତାରେ ଅଟକାଇ ହଇରାଣ କଲେ, କାହାର ଗାଡ଼ି ଚାବି ଛଡ଼ାଇ ନେଲେ ତ କାହାକୁ ଅଶ୍ରାବ୍ୟ ଭାଷାରେ କଲେ ଗାଳି ଗୁଲଜ।
ଜଗତସିଂହପୁର ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ବିକ୍ଷୋଭ କରିବାବେଳେ ମୁଖ୍ୟ ଗେଟ୍ ପିଟା ପିଟି କରି ହଟ୍ଟଗୋଳ କଲେ କଂଗ୍ରେସ କର୍ମୀ। ସ୍ଥିତି ଅଣାୟତ୍ତ ହେବାରୁ ପହଞ୍ଚିଲା ପୋଲିସ। ସକାଳେ ଜଗତସିଂହପୁର ବଜାରରେ ଜଣେ ଯୁବକଙ୍କୁ ମାଡ଼ ମାରିଥିଲେ କଂଗ୍ରେସ କର୍ମୀ।
ଅନୁଗୁଳ ଛେଣ୍ତିପଦା ବାଗଡ଼ିଆ ବଜାରରେ ସରକାରୀ ବସ କାଚକୁ ପିଟିବା ସହ ୱାଇପର ଭାଙ୍ଗିଲେ। କ୍ୟାମେରାରେ କଏଦ ହେଲା ସ୍ଥାନୀୟ କଂଗ୍ରେସ ନେତା ନରୋତ୍ତମ ନାଏକଙ୍କ ଏ କାରନାମା ।
ଗଞ୍ଜାମ ଆସିକାରେ କଂଗ୍ରେସର ବନ୍ଦ ଡାକରାକୁ ସିଧାସଳଖ ବିରୋଧ କଲେ ସାଧାରଣ ଲୋକେ। ସୃଷ୍ଟି ହେଲା ଉତ୍ତେଜନାମୂଳକ ସ୍ଥିତି। ପୋଲିସ ପହଞ୍ଚି କଲା ବୁଝାସୁଝା।
ଯାଜପୁର ଦଶରଥପୁର ବ୍ଲକରେ ଥିବା ବିଇଓଙ୍କ ଅଫିସ ମଧ୍ୟରେ ଧସେଇ ପଶିବା ସହ କଂଗ୍ରେସ କର୍ମୀ ଭଙ୍ଗାରୁଜା କଲେ।
ସେହି ଯାଜପୁର ଜିଲ୍ଲା ବ୍ୟାସନଗରରେ ସ୍ୱାସ୍ଥ୍ୟ କର୍ମୀଙ୍କ ପଥରୋଧ କରିଥିଲେ କଂଗ୍ରେସ କର୍ମୀ । କଂଗ୍ରେସ ନେତ୍ରୀ ବନ୍ଦିତା ପରିଡ଼ାଙ୍କ ସହ ତାଙ୍କର ଯୁକ୍ତିତର୍କ ହେଲା।
କୋରାପୁଟ ଜୟପୁର ପୌର ପରିଷଦ ଅଫିସ ସହ ମହିଳା ମହାବିଦ୍ୟାଳୟରେ ପଶି ହୋ ହଲ୍ଲା କଲେ କଂଗ୍ରେସ କର୍ମୀ। ବନ୍ଦ ନାଁରେ ସେତେବେଳେ ସୀମା ଟପିଲେ କଂଗ୍ରେସ କର୍ମୀ ଯେତେବେଳେ ରାସ୍ତାରେ ଯାଉଥିବା ରୋଗୀଙ୍କୁ ବି ଅଟକାଇଲେ । ଚିକିତ୍ସା ପାଇଁ ଭୁବନେଶ୍ବରକୁ ବାହାର ରାଜ୍ୟରୁ ଆସିଥିଲେ କର୍କଟ ରୋଗୀ । ତାଙ୍କୁ ଯିବାକୁ ଦେଲେ ନାହିଁ କଂଗ୍ରେସ କର୍ମୀ।
କଂଗ୍ରେସ କର୍ମୀଙ୍କ ଦୌରାତ୍ମ୍ୟରେ ହନ୍ତସନ୍ତ ହେଲେ ଡାକ୍ତରଙ୍କଠାରୁ ନେଇ ଆଇନଜୀବୀ । ICMR ଏ ମହିଳା ଡାକ୍ତର କଟକ scb ମେଡିକାଲରେ ସମ୍ପର୍କୀୟଙ୍କୁ ଭେଟିବାକୁ ଯିବାବେଳେ ଅଟକାଇଲେ। ଯିବା ପାଇଁ ଯେତେ ନେହୁରା ହେଲେ ବି ଶୁଣିଲେନି କେହି।
ସେହିପରି କଂଗ୍ରେସର କର୍ମୀଙ୍କୁ ଅନୁରୋଧ କରୁଥିଲେ ଏ ଆଇନଜୀବୀ, ସ୍ତ୍ରୀ ବେଡରେ ପଡିଛି, ମାକୁ ଦେଖିବାକୁ ପୁଅ ଦୁବାଇରୁ ଆସିଛି । କିନ୍ତୁ ତାଙ୍କୁ ରାସ୍ତାରେ ଅଟକାଇ ରଖିଲେ ।
ସ୍କୁଲକୁ ଯିବାବେଳେ ଶିକ୍ଷକଙ୍କୁ ଛାଡିଲେନି କଂଗ୍ରେସ କର୍ମୀ। ଏଥିପାଇଁ ତୀବ୍ର ପ୍ରତିକ୍ରିୟା ପ୍ରକାଶ କଲେ ଶିକ୍ଷକ।କଳ୍ପନା ଛକରେ ଗଣମାଧ୍ୟମ କର୍ମଚାରୀଙ୍କ ସହ ଯୁକ୍ତିତର୍କ ଓ ଠେଲାପେଲା କରିବାକୁ ପଛାଇଲେ ନାହିଁ କଂଗ୍ରେସ କର୍ମୀ ।
ଗରିବ ଜଳଖିଆ ଦୋକାନୀଙ୍କୁ ବି ଛାଡ଼ିଲେନି । ଦୋକାନରେ ପଶି ସେ ବିକ୍ରି ପାଇଁ ପ୍ରସ୍ତୁତ କରିଥିବା ଖାଦ୍ୟ ସାମଗ୍ରୀ ଫିଙ୍ଗିଦେଲେ। ବିଭିନ୍ନ ଛକ ଓ ବଜାର, ରାସ୍ତାରୁ ନେଇ ବସଷ୍ଟାଣ୍ଡ, ରେଳ ଷ୍ଟେସନ ସବୁଠି ଲୋକଙ୍କୁ ହଇରାଣ କରିଛନ୍ତି କଂଗ୍ରେସ କର୍ମୀ। ଗୋଟିଏ ପଟେ ନିରୀହ ଲୋକଙ୍କ ଉପରେ ଜୁଲମ, ଅନ୍ୟପଟେ ନିଜ ଚେହେରା ଢାଙ୍କିବାକୁ ମାଷ୍ଟରକ୍ୟାଣ୍ଟିନ୍ ଛକରେ ଲୋକଙ୍କୁ ଫୁଲ ଓ ଚକୋଲେଟ ବାଣ୍ଟୁଥିଲେ କଂଗ୍ରେସ କର୍ମୀ। ପୁଣି ଆନ୍ଦୋଳନରେ ଛୋଟ ପିଲାଙ୍କଠାରୁ ନେଇ ଏମିତି ଲୋକଙ୍କୁ ସାମିଲ କରିଥିଲେ ଯେଉଁମାନେ ଆନ୍ଦୋଳନ କାହିଁକି କଣ କିଛି ଜାଣିନଥିଲେ।