Odisha Politics / ବରିଷ୍ଠ ନେତାଙ୍କୁ ଗାଦି ଛାଡ଼ିବାକୁ ଆହ୍ୱାନ ଦେଲେ କଂଗ୍ରେସ ଯୁବ ନେତା

Key Points
ଭକ୍ତଙ୍କ ବିରୋଧରେ ଆରମ୍ଭ ହେଲାଣି ମେଳି । ସୋନିଆ, ରାହୁଲ ଓ ଖଡ଼ଗେଙ୍କୁ ଭେଟିବା ପାଇଁ ଦିଲ୍ଲୀରେ ଡେରା ପକାଇଲେ ନେତା । ମୋକିମଙ୍କ ପରେ ମୁହଁ ଖୋଲିଲେ ଯୁବ ନେତା । ବରିଷ୍ଠଙ୍କୁ ଗାଦି ଛାଡ଼ିବାକୁ ଆହ୍ୱାନ । ସୁର ଓ ଅନନ୍ତ ସେଠୀଙ୍କ ଉପରେ ବର୍ଷିଲେ ।
ପୁଣି ଆରମ୍ଭ ହୋଇଗଲା କଂଗ୍ରେସରେ କଳି । ଭକ୍ତଙ୍କ ବିରୋଧରେ ନେତା ଆରମ୍ଭ କରିଦେଲେ ମେଳି । ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଓ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଭେଟିବା ପାଇଁ ଦିଲ୍ଲୀରେ ଡେରା ପକାଇଛନ୍ତି ନେତା । ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଚିଠି ପରେ ରାଜ୍ୟ କଂଗ୍ରେସରେ ବଡ଼ଧରଣର ହଲଚଲ । ବରିଷ୍ଠ ନେତାଙ୍କ ଆହ୍ୱାନ ପରେ ମଧ୍ୟ ନେତାଙ୍କ ମୁହଁରେ ଲାଗୁନି ବ୍ରେକ୍ ।
ଆଉ ଆଜି ମୋକିମଙ୍କୁ ସମର୍ଥନ କରି ଗଣମାଧ୍ୟମରେ ମୁହଁ ଖୋଲିଛନ୍ତି ଦଳର ଯୁବ ନେତା । ସେମାନଙ୍କ ନିଶାନାରେ ଖୋଦ୍ ଦଳର ବରିଷ୍ଠ ନେତାମାନେ । ୬୦ ବର୍ଷ ଅତିକ୍ରମ କରିଥିବା ନେତାମାନେ ଅବସର ନେଇ ଚୁପ୍ ହୋଇ ବସୁନାହାନ୍ତି କାହିଁକି ବୋଲି ପ୍ରଶ୍ନ କରିବା ସହ ଯୁବ ନେତୃତ୍ୱଙ୍କ ହାତରେ ଦଳର ଦାୟିତ୍ୱ ଦେବାକୁ ଆହ୍ୱାନ ଦେଇଛନ୍ତି ।
ସେପଟେ ଆସନ୍ତା ଆସନ୍ତା ୧୪ ତାରିଖରେ ଦିଲ୍ଲୀରେ ବଡ଼ ସମାବେଶ କରୁଛି AICC । ଏଥିପାଇଁ କଂଗ୍ରେସର ତୁଙ୍ଗ ନେତା ଦିଲ୍ଲୀ ଯାଇଥିବା ବେଳେ ରାଜ୍ୟ କଂଗ୍ରେସ ନେତୃତ୍ୱ ନେଇ ହାଇକମାଣ୍ଡଙ୍କ ସହ ହୋଇପାରେ ଆଲୋଚନା । ଏଥିପାଇଁ ଗତ କିଛି ଦିନ ହେବ ଦିଲ୍ଲୀରେ ଡେରା ପକାଇଛନ୍ତି ନିଜେ ପିସିସି ସଭାପତି । ତେବେ ମୋକିମ ଲେଖିଥିବା ଚିଠି ଗଣମାଧ୍ୟମକୁ ଦେବା ଠିକ ହୋଇନି କହିବା ସହ ଦିଲ୍ଲୀରେ ହାଇକମାଣ୍ଡକୁ ଭେଟି ସମାଧାନ ପାଇଁ ଚେଷ୍ଟା କରିବୁ ବୋଲ କହିଛନ୍ତି ବରିଷ୍ଠ ନେତା ।
ଦଳର ନେତୃତ୍ୱକୁ ନେଇ କଂଗ୍ରେସ ନେତାଙ୍କ ଦିଲ୍ଲୀ ଚଲୋ ଅଭିଯାନ ନୂଆ ନୁହେଁ । ସଭାପତିଙ୍କ ବିରୋଧରେ ମେଳି ହେଲେ ନେତାଙ୍କ ଦିଲ୍ଲୀ ଦୌଡ଼ା ଦେଖିବାକୁ ମିଳିଥାଏ । ହେଲେ ବରିଷ୍ଠ କଂଗ୍ରେସ ନେତା ମହମ୍ମଦ ମୋକିମଙ୍କ ଚିଠିକୁ ହାଇକମାଣ୍ଡ କେତେ ଗୁରୁତର ସହ ନେଇ ସମାଧାନ ବାଟ କାଢୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର।
📱 Get Argus News App
✨Related Topics
Explore more stories