୨୪ ବର୍ଷ ଶାସନ କଲା ବିଜେଡି, ହେଲେ ଦୁଃଖ ବୁଝିଲାନି

ବିକାଶ ଓ ଜନକଲ୍ୟାଣର ମିଛ ପ୍ରଚାର କରି ଲୋକଙ୍କୁ ଦୁର୍ଦ୍ଦିନ ଭିତରେ ବଞ୍ଚିବାକୁ ବାଧ୍ୟ କରିଥିଲା ବିଜେଡି ସରକାର । ୨୪ ବର୍ଷ ଧରି ରାଜ୍ୟକୁ ଶାସନ କରିଥିବା ବିଜେଡି ସରକାରର ଚରମ ବିଫଳତା ଓ ଅପାରଗତାର ପ୍ରମାଣ ଏବେ ଗାଁ ଗାଁରେ ଦେଖିବାକୁ ମିଳୁଛି। ଆଜି ବି ଅବିଭକ୍ତ କୋରାପୁଟ ଜିଲ୍ଲାର ଲକ୍ଷ ଲକ୍ଷ ଲୋକ ପାନୀୟ ଜଳ ପାଇଁ ଭରସା କରୁଛନ୍ତି ନଦୀ ଓ ଚୁଆ ପାଣି ।
ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ କେନ୍ଦ୍ର ସରକାରଙ୍କ ଜଳଜୀବନ ମିଶନ ଅଧୀନରେ ଆସିଲା ଶହ ଶହ କୋଟି କୋଟି ଟଙ୍କା। କିନ୍ତୁ ସେଥିରେ ପୋଷାହେଲେ ବିଜେଡି ନେତା ଓ ପୋଷା ଠିକାଦାର। ପରିସଂଖ୍ୟାନ ଅନୁସାରେ କୋରାପୁଟ ଜିଲ୍ଲାରେ ମାତ୍ର ଜଳଜୀବନ ମିଶନର ପ୍ରକଳ୍ପ 70 ପ୍ରତିଶତ ବି ସମ୍ପୂର୍ଣ୍ଣ ହୋଇନାହିଁ। କୋରାପୁଟ ବ୍ଲକରେ ମାତ୍ର -୪୨.୮୧ ପ୍ରତିଶତ ସଂପୂର୍ଣ୍ଣ ହୋଇଛି ଜଳ ଯୋଗାଣ ପ୍ରକଳ୍ପ। ବ୍ଲକରେ ମୋଟ ୧୫୯ଟି ଗାଁ ଥିବାବେଳେ ଏବେ ବି ୧୪୧ଟି ଗାଁରେ କାମ ଚାଲିଛି । ମାତ୍ର 20ଟି ଗାଁରେ ହିଁ ସମ୍ପୂର୍ଣ୍ଣ ହୋଇଛି ପ୍ରକଳ୍ପ। ଦଶମନ୍ତପୁର ବ୍ଲକରେ ମାତ୍ର ୪୧.୭୭ ପ୍ରତିଶତ ସଂପୂର୍ଣ୍ଣ ହୋଇଛି ଜଳ ଯୋଗାଣ ପ୍ରକଳ୍ପ। ମୋଟ ୯୬ଟି ଗାଁରୁ ୮୫ଟିରେ କାମ ଚାଲିଛି। ମାତ୍ର ୧୧ ଟି ଗାଁକୁ ହୋଇଛି ଜଳ ଯୋଗାଣ।
ନବରଂଗପୁର ଜିଲ୍ଲା ଝରିଗାଁରେ ମାତ୍ର 47.84 ପ୍ରତିଶତ ପ୍ରକଳ୍ପ ସରିଛି। ୧୧୧ ଗାଁରୁ ୭୯ଟିରେ କାମ ଚାଲିଛି । ମାତ୍ର ୩୨ଟି ଗାଁରେ ଲୋକଙ୍କୁ ପାଣି ମିଳିଛି। ସେହିଭଳି ଡାବୁଗାଁ ବ୍ଲକର ୬୬ଟି ଗାଁରୁ ମାତ୍ର ୨ଟି ପ୍ରକଳ୍ପ ସଂପୂର୍ଣ୍ଣ ହୋଇଛି। ୬୪ଟି ଗାଁରେ କାମ ଚାଲିଛି। ରାୟଗଡା କାଶୀପୁରର ମୋଟ ୩୯୮ଟି ଗାଁରୁ ମାତ୍ର ୮୮ ଟିକୁ ଜଳ ଯୋଗାଣ ହୋଇଛି, ଆଜିବି ୩୧୦ ଗାଁରେ କାମ ଅଧାପନ୍ତରିଆ।
ମାଲକାନଗିରି ଜିଲ୍ଲାର କାଲିମେଳା ,ଚିତ୍ରକୋଣ୍ଡା,ଖଇରିପୁଟ,ମାଥିଲି ଓ ସଦର ବ୍ଲକରେ ପାନୀୟ ଜଳ ଯୋଗାଣ ସ୍ଥିତି ଅତି ସଂଗୀନ। ଏ ସବୁ ବ୍ଲକରେ ଅଧା ଅଞ୍ଚଳରେ ପ୍ରକଳ୍ପ ଅଧାପନ୍ତରିଆ ହୋଇ ପଡ଼ିଛି। ରାଜ୍ୟରେ ନୂଆ ସରକାର ଆସିବା ପରେ ଜଳ ସମସ୍ୟାର ସମାଧାନ ପାଇଁ ନେଉଛନ୍ତି ପଦକ୍ଷେପ। ଜଳସଙ୍କଟ ଅଞ୍ଚଳରେ ନଳକୂପ ଖୋଳିବା ବ୍ୟବସ୍ଥା କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପାନୀୟ ଜଳ ପ୍ରକଳ୍ପ ସମ୍ପୂର୍ଣ୍ଣ କରିବାରେ ବିଳମ୍ବ କରୁଥିବା ଠିକା ସଂସ୍ଥାକୁ ତାଗିଦ କରିବା ସହ ଜରିମାନା କରାଯାଇଛି।