କ୍ୟାମ୍ପସ ଛାଡ଼ିବାକୁ ଅଣଛାତ୍ରଙ୍କୁ ୟୁନିଭର୍ସିଟିର ନୋଟିସ ପରେ ତେଜିଛି ବିବାଦ

Key Points
ଅଣଛାତ୍ର ମୁକ୍ତ ହେବ ଉତ୍କଳ ବିଶ୍ଵବିଦ୍ୟାଳୟ
କ୍ୟାମ୍ପସ ଛାଡ଼ିବାକୁ ଅଣଛାତ୍ରଙ୍କୁ ୟୁନିଭର୍ସିଟିର ନୋଟିସ ପରେ ତେଜିଛି ବିବାଦ
ଶିକ୍ଷାନୁଷ୍ଠାନ ପରିସରରେ ବ୍ୟାନ ହେଉ ମାଦକ ଦ୍ରବ୍ୟ
କ୍ୟାମ୍ପସରେ ସୁରକ୍ଷା ବଢାଯିବା ସହିତ ଲଗାଯାଉ ପର୍ଯ୍ୟାପ୍ତ ସିସିଟିଭି କ୍ୟାମେରା
ଅଣଛାତ୍ର ପ୍ରବେଶ ନେଇ ବାଣୀବିହାର ଉତ୍କଳ ବିଶ୍ଵବିଦ୍ୟାଳୟରେ ପୁଣି ମୁଣ୍ଡ ଟେକିଲା ଆନ୍ଦୋଳନ । ୟୁନିଭର୍ସିଟିର ସମସ୍ତ ଛାତ୍ରାବାସରୁ ଅଣଛାତ୍ରଙ୍କୁ ବିଦା କରିବା ସହ ସମ୍ପୂର୍ଣ୍ଣ କ୍ୟାମ୍ପସକୁ ନିଶାମୁକ୍ତ ଘୋଷଣା ଓ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ଦାବିରେ କୁଳପତିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏବିଭିପି ପକ୍ଷରୁ ଆମରଣ ଅନଶନ କରାଯାଇଛି। ଅନେକ ସମୟରେ ଅଣଛାତ୍ର ମାନେ ବିଶ୍ବବିଦ୍ୟାଳୟ ପରିସରରେ ଅଶାନ୍ତି ସୃଷ୍ଟି କରିବା ସହିତ ଶୈକ୍ଷିକ ବାତାବରଣକୁ ପ୍ରଭାବିତ କରୁଛନ୍ତି।
ଏପରିକି ଏବେର ଛାତ୍ର ମାନଙ୍କୁ ଆବଣ୍ଟନ କରାଯାଇଥିବା ହଷ୍ଟେଲ ରୁମ ଗୁଡିକୁ କବଜାକୁ ନେବା ସହ ଛାତ୍ର ମାନଙ୍କୁ ଧମକ ଦେବାକୁ ମଧ୍ୟ ପଛଉନାହାନ୍ତି। ତେଣୁ ସମସ୍ତ ଅଣଛାତ୍ର ମାନଙ୍କୁ ବିଶ୍ଵବିଦ୍ୟାଳୟରୁ କଢାଯାଉ ବୋଲି କୁଳପତି ସବିତା ଆଚାର୍ଯ୍ୟଙ୍କ ନିକଟରେ ଦାବି କରାଯିବା ପରେ କ୍ୟାମ୍ପସ ଛାଡ଼ିବାକୁ ଅଣଛାତ୍ର ମାନଙ୍କୁ ନୋଟିସ କରିଛନ୍ତି ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷ।
କେବଳ ଅଣଛାତ୍ର ନୁହେଁ ଉତ୍କଳ ବିଶ୍ଵବିଦ୍ୟାଳୟର ପରିଚୟ ପ୍ରତି ଆହ୍ବାନ ସୃଷ୍ଟି କରିଛି ମାଦକ ଦ୍ରବ୍ଯ କାରବାର। ସପ୍ତାହକ ପୂର୍ବରୁ ବିଶ୍ଵବିଦ୍ୟାଳୟ ପରିସରରେ ହେରୋଇନ୍ ଜବତ କରାଯାଇଥିଲା। ବେଧଡକ ଭାବେ ନିଶା ଖାଇ ଅସାମାଜିକ ଯୁବକ ମାନେ ସଂଧ୍ୟା ହେଲେ ଆତଙ୍କ ସୃଷ୍ଟି କରୁଥିବା ବେଳେ ଏହାକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି ବିଶ୍ଵବିଦ୍ୟାଳୟର ଛାତ୍ରଛାତ୍ରୀ।
ତେଣୁ ତୁରନ୍ତ ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷ ଏନେଇ ପଦକ୍ଷେପ ନେବା ସହ ଶିକ୍ଷାନୁଷ୍ଠାନ ପରିସରରେ ସୁରକ୍ଷା କଡ଼ାକଡ଼ି କରିବାକୁ ଦାବି କରାଯାଇଛି। ତେବେ କେବେ ଅଣଛାତ୍ର ମୁକ୍ତ ହେବ ଉତ୍କଳ ବିଶ୍ଵବିଦ୍ୟାଳୟ । କେବେ ନିଶା ମୁକ୍ତ ହେବ କ୍ୟାମ୍ପସ ପରିସର ତାହା ଉପରେ ସମସ୍ତ ଙ୍କର ନଜର ।