Conversion: ଧର୍ମାନ୍ତରୀକରଣ ଫ୍ୟାକ୍ଟ୍ରି ଉପରେ ଆକ୍ସନ, SPଙ୍କୁ ଗୃହ ବିଭାଗର କଡ଼ା ନିର୍ଦ୍ଦେଶ

Key Points
ବଲାଙ୍ଗିରରେ କାର୍ଯ୍ୟାନୁଷ୍ଠାନ ପାଇଁ SPଙ୍କୁ ଗୃହ ବିଭାଗର ନିର୍ଦ୍ଦେଶ
ବାଲେଶ୍ବର ଡ୍ରିମ୍ ସେଣ୍ଟର ହଷ୍ଟେଲ ପରିଚାଳକଙ୍କୁ ପଚରାଉଚୁରା
ଧର୍ମାନ୍ତରୀକରଣ ଫ୍ୟାକ୍ଟ୍ରି ଉପରେ ବିଭିନ୍ନ ଜିଲ୍ଲାରେ ଆରମ୍ଭ ହେଲା ଆକ୍ସନ । ବଲାଙ୍ଗିରରେ କାର୍ଯ୍ୟାନୁଷ୍ଠାନ ପାଇଁ SPଙ୍କୁ ଗୃହ ବିଭାଗର ନିର୍ଦ୍ଦେଶ । ବାଲେଶ୍ବର ଡ୍ରିମ୍ ସେଣ୍ଟର ହଷ୍ଟେଲ ପରିଚାଳକଙ୍କୁ ପଚରାଉଚୁରା । ବ୍ରହ୍ମପୁରରେ ହଷ୍ଟେଲ ବନ୍ଦ ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲା ବଜରଙ୍ଗ ଦଳ । ଜଳେଶ୍ବରରେ କୁଷ୍ଠ ରୋଗୀଙ୍କ ଚିକିତ୍ସା ପାଇଁ ମାଗଣା ଜମି ନେଇ କରାଯାଉଛି ଆଦିବାସୀଙ୍କ ଧର୍ମାନ୍ତରୀକରଣ ।
ଗରିବ, ଅବହେଳିତ, ଦଳିତ, ଆଦିବାସୀଙ୍କୁ ସୁବିଧା ଦେବା ନାଁରେ ଫୈଜ୍ ରେହମାନ ଷଡ଼ଯନ୍ତ୍ରର ପର୍ଦ୍ଦାଫାସ୍ ପରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଚାଲୁଥିବା ଡ୍ରିମ୍ ସେଣ୍ଟର ହଷ୍ଟେଲ ବିରୋଧରେ ଆରମ୍ଭ ହୋଇଛି ସରକାରୀ ଆକ୍ସନ । ବାଲେଶ୍ବର ରେମୁଣା ସରସ୍ବତୀପୁରରେ ଥିବା ଡ୍ରିମ ହଷ୍ଟେଲର ପରିଚାଳକଙ୍କୁ ପଚରାଉଚୁରା କରିଛନ୍ତି ଜିଲ୍ଲା ସାମାଜିକ ମଙ୍ଗଳ ଅଧିକାରୀ।
ସେପଟେ ବଲାଙ୍ଗିର ବାଞ୍ଜିପାଲିରେ ଚାଲିଥିବା ବେଆଇନ ହଷ୍ଟେଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବଲାଙ୍ଗିର ଏସପିଙ୍କୁ ନିର୍ଦ୍ଦେଶ ଦେଇଛି ଗୃହ ବିଭାଗ । ଏହି ହଷ୍ଟେଲ ବନ୍ଦ ପାଇଁ ପୂର୍ବରୁ ପ୍ରଶାସନ ଦେଇଥିଲେ ବି ଚାଲିଥିଲା ହଷ୍ଟେଲ । ଅର୍ଗସରେ ଡ୍ରିମ୍ ସେଣ୍ଟର କେଳେଙ୍କାରୀର ପର୍ଦ୍ଦାଫାସ୍ ପରେ ଜିଲ୍ଲାପାଳ କହିଲେ ପୁଣି ଥରେ ତଦନ୍ତ କରି ଆକ୍ସନ ନିଆଯିବ । ଏବେ ଏସପିଙ୍କୁ ଗୃହ ବିଭାଗର ନୋଟିସ୍ ପରେ ବି ନା ହଷ୍ଟେଲ ବନ୍ଦ ପାଇଁ ପଦକ୍ଷେପ ନିଆଯାଉଛି ନା କିଛି ସ୍ପଷ୍ଟୀକରଣ ରଖୁଛନ୍ତି ଏସପି କିମ୍ବା ସିଡବ୍ଲୁସି ମେମ୍ବର।
ଝାରସୁଗୁଡାର ଡ୍ରିମ୍ ସେଣ୍ଟର ହଷ୍ଟେଲକୁ ୩ ଦିନ ଭିତରେ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳ। ତା ପରେ ଏଠାରେ ଆଉ ପିଲା ନାହାନ୍ତି। ତେବେ ପ୍ରଶାସନ ଏଯାଏଁ ଏହି ବେଆଇନ କେନ୍ଦ୍ର ସିଲ୍ କରିନାହିଁ ପ୍ରଶାସନ। ଝାରସୁଗୁଡ଼ା ସିଟିଜେନ ଫୋରମ ବେଆଇନ ହଷ୍ଟେଲକୁ ସମ୍ପୂର୍ଣ୍ଣ ବନ୍ଦ ସିଲ୍ କରି ତାଲା ଝୁଲାଇବାକୁ ଜିଲ୍ଲାପାଳଙ୍କୁ ଦାବି ଜଣାଇଛନ୍ତି ।
ଗଞ୍ଜାମ ଛତ୍ରପୁର ସାହେବଜେନା ପଲ୍ଲୀରେ ଚାଲୁଥିବା ଡ୍ରିମ୍ ସେଣ୍ଟର ହଷ୍ଟେଲ ତୁରନ୍ତ ବନ୍ଦ କରିବାକୁ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇଛି ବଜରଙ୍ଗ ଦଳ। ସେପଟେ ବାଲେଶ୍ବର ଜଳେଶ୍ବରରେ ଡ୍ରିମ୍ ସେଣ୍ଟର ହଷ୍ଟେଲ ନାଁରେ ସାମ୍ନାକୁ ଆସିଛି ସାଂଘାତିକ କେଳେଙ୍କାରୀ। କୁଷ୍ଠ ରୋଗୀଙ୍କ ଚିକିତ୍ସା ପାଇଁ ମାଗଣାରେ ଜମି ନେଇ ଖୋଲାଯାଇଛି ହଷ୍ଟେଲ । ଅଭିଯୋଗ ଏଠାରେ ଗରିବ, ଆଦିବାସୀ ପିଲାଙ୍କୁ ରଖାଯାଇ କରାଯାଉଛି ଧର୍ମାନ୍ତରୀକରଣ।