ବାର୍ଦ୍ଧକ୍ୟ ଭତ୍ତା ବଣ୍ଟନ ନାଁରେ ମହାଦୁର୍ନୀତି: ବଞ୍ଚି ଥାଉ ଥାଉ ମାରିଦେଲେ

ଅର୍ଗସ ବ୍ୟୁରୋ: ରାଜ୍ୟରେ ସୀମା ଟପୁଛି ଦୁର୍ନୀତି । ବିଭିନ୍ନ ଆଳ ଦେଖାଇ ଗରିବଙ୍କ ଟଙ୍କା ଲୁଟୁଛନ୍ତି ସରକାରୀ ବାବୁ । ମୟୂରଭଞ୍ଜ ଜିଲ୍ଲା ଉଦଳା ବ୍ଲକର ଭୀମତାଳି ପଞ୍ଚାୟତରେ ବର୍ଷବର୍ଷ ଧରି ମୃତ ବ୍ୟକ୍ତିଙ୍କ ନାଁରେ ଭତ୍ତା ଟଙ୍କା ହଡ଼ପ ଦୁର୍ନୀତି ସାମ୍ନାକୁ ଆସିଛି । ଉପରଖୁଣ୍ଟାପାଳ ଗ୍ରାମର ବିଶିକେଶନ ସେଠୀ ବର୍ଦ୍ଧିତ ଭତ୍ତା ଉଠାଇବାକୁ ଯାଇଥିବାବେଳେ ତାଙ୍କ ନାଁ ତାଲିକାରୁ କଟିଯାଇଥିବା ଜାଣିବାକୁ ପାଇଥିଲେ । ପରେ ପରିବାର ଲୋକେ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ଖୋଳତାଡ କରିବାରୁ ସାଙ୍ଗାତିକ ସତ ଜଣାପଡ଼ିଥିଲା । ୪ ମାସ ପୂର୍ବରୁ ବିଶିକେଶନଙ୍କୁ ସରକାରୀ ଦସ୍ତାବିଜରେ ମୃତ ଦର୍ଶାଯାଇଛି । ସେପଟେ ୨ ବର୍ଷ ପୂର୍ବରୁ ଗ୍ରାମର ସୁଦର୍ଶନ ସେଠୀଙ୍କ ମୃତ୍ୟୁ ହୋଇଥିଲେ ବି ସରକାରୀ ତଥ୍ୟରେ ଜୀବିତ ଦର୍ଶାଇ ଭତ୍ତା ଟଙ୍କା ଉଠାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।
ପଞ୍ଚାୟତ ନିର୍ବାହୀ ଅଧିକାରୀ ରତିକାନ୍ତ ସିଂ ଦୁର୍ନୀତିର ମୁଖ୍ୟ କାର୍ପଟଦାର ସାଜିଥିବା ଲୋକେ ଅଭିଯୋଗ କରିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଆମେ ଅଭିଯୁକ୍ତ ପିଇଓଙ୍କ ପ୍ରତିକ୍ରିୟା ଜାଣିବାକୁ ଉଦ୍ୟମ କରିଥିଲେ ବି ସେ କ୍ୟାମେରା ଆଗରେ ମୁହଁ ଖୋଲିନାହାନ୍ତି । ଗ୍ରାମବାସୀଙ୍କ ଅଭିଯୋଗ ପରେ ସଂପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପ୍ରତିଶ୍ରୁତି ଦେଇଛନ୍ତି ବିଡିଓ ।
ମୟୂରଭଞ୍ଜରେ ଭତ୍ତା ଟଙ୍କା ଲୁଟ ହେଉଥିବାବେଳେ କଟକ ଜିଲ୍ଲା ମାହାଙ୍ଗା ବ୍ଲକରେ ଅସାଧୁ ଡିଲର ପିଡିଏସ ରାସନ କଳାବଜାରୀ କରୁଥିବା ଅଭିଯୋଗ ହୋଇଛି ।
ଖାଉଟିଙ୍କ ପାଇଁ ଉଦ୍ଦିଷ୍ଟ ଚାଉଳରୁ କାର୍ଡ ପିଛା ପାଞ୍ଚଶହ ଗ୍ରାମରୁ ଏକ କିଲୋ ପର୍ଯ୍ୟନ୍ତ କାଟିନେଉଛନ୍ତି ଡିଲର । କଉଡୁକୋଲ ଗ୍ରାମରେ କିଛି ସ୍ଥାନରେ ଖାଉଟିଙ୍କୁ ଆଦୌ ଚାଉଳ ମିଳୁନଥିବା ଅଭିଯୋଗ ହୋଇଛି ।
📱 Get Argus News App
✨ଉଦଳାରେ ସରକାରୀ ଦସ୍ତାବିଜରେ କେଉଁଠି ଜୀବିତ ବ୍ୟକ୍ତିଙ୍କୁ ମୃତ ଦର୍ଶାଯାଇଛି ତ କେଉଁଠି ମୃତ ବ୍ୟକ୍ତିଙ୍କ ପରିବାର ଲୋକଙ୍କ ଅଜାଣତରେ ଭତ୍ତା ଟଙ୍କା ହଡ଼ପ କରାଯାଉଥିବା ପ୍ରମାଣ ମିଳିଛି । ଏପଟେ ମାହାଙ୍ଗାରେ ପିଡିଏସ ହିତାଧିକାରୀଙ୍କୁ ଶୋଷଣଧରାପଡ଼ିବା ପରେ ବି ଖୁଲମଖୁଲା ବୁଲୁଛନ୍ତି ଅଭିଯୁକ୍ତ । ଯାହା ଯାହା 24 ବର୍ଷ ସ୍ଥିତ ବିଜେଡି ସରକାରର ଦୁର୍ନୀତି ବିରୋଧୀ ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇଛି।
