Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଅପାରଗ ବିଜେଡି ସରକାର ପାଇଁ କପା ଚାଷୀ ହନ୍ତସନ୍ତ

Ritu Das
Browse all articles by Ritu Das
·1 year ago·2 min read
ଅପାରଗ ବିଜେଡି ସରକାର ପାଇଁ କପା ଚାଷୀ ହନ୍ତସନ୍ତ

ଅର୍ଗସ ବ୍ୟୁରୋ: ଗୋଟିଏ ପଟେ ବିକାଶର ଚିତ୍ର। ଆଉ ଗୋଟିଏ ପଟେ ଅପାରଗତାର ନଗ୍ନ ଦୃଶ୍ୟ। ଗୋଟିଏ ପଟେ ଚାଷୀ ସମୃଦ୍ଧର ନିଶାନା, ଆଉଗୋଟେ ପଟେ ଚାଷୀ ଅବହେଳାର ପରିଚୟ। ଏ ହେଉଛି ଗୁଜୁରାଟର ମଣ୍ଡି ବ୍ୟବସ୍ଥା। ଆଉ ବିକାଶ ବିରୋଧୀ ବିଜେଡ଼ି ସରକାର ପାଇଁ ଇଏ ହେଉଛି ଓଡ଼ିଶା ଚାଷୀର ଦୁର୍ଦ୍ଦଶା। ୨୫ ବର୍ଷର ଅପାରଗ ବିଜେଡ଼ି ସରକାର ପାଇଁ ଚାଷୀ ଭୋଗୁଛି ଯାତନା, ଯନ୍ତ୍ରଣା। ମଣ୍ଡି ଅଭାବରୁ ଅଭାବୀ ବିକ୍ରିର ଶିକାର ହେଉଛନ୍ତି ଓଡ଼ିଶାର କପା ଚାଷୀ। ଓଡ଼ିଶାର ଗଜପତି, ରାୟଗଡ଼ା ଆଦି ଜିଲ୍ଲାରେ ଦିନକୁ ଦିନ କପା ଚାଷର ଚାହିଦା ବୃଦ୍ଧି ହେଉଥିବା ବେଳେ ଏହାକୁ ବିକ୍ରି କରିବାର କୌଣସି ବ୍ୟବସ୍ଥା ନଥିବାରୁ ଅଭାବି ବିକ୍ରିର ସମ୍ମୁଖୀନ ହେଉଛନ୍ତି ଚାଷୀ।


ଯାହାର ଫାଇଦା ନେଉଛନ୍ତି ଆନ୍ଧ୍ରର ବ୍ୟବସାୟୀ। ଶାଗମାଛ ଦରରେ ଓଡ଼ିଶା ଚାଷୀଠୁ ଏହାକୁ କିଣି ନେଉଛନ୍ତି, ଆଉ ହେଉଛନ୍ତି ମାଲେମାଲ୍। ଅନ୍ୟପଟେ ସାହୁକାରଙ୍କ ଠାରୁ ବିହନ, ସାର ଆଦି ଆଣି ଚାଷୀ ଚାଷ କରୁଥିବା ବେଳେ ଅମଳ ପରେ ସାହୁକାର ଯାହା ବି ଦର ଧାର୍ଯ୍ୟ କରୁଛି ସେହି ଦରରେ ଦେବାକୁ ବାଧ୍ୟ ହେଉଛନ୍ତି ଚାଷୀ। ସେପଟେ ଅମଳ ଚାଷକୁ ସାଇତି ରଖିବା ପାଇଁ ମଣ୍ଡି ବ୍ୟବସ୍ଥା ନଥିବାରୁ ଦଲାଲଙ୍କ ଫାଶରେ ପଡ଼ିବାକୁ ବାଧ୍ୟ ହେଉଛି ଚାଷୀ। ଗଜପତି ଜିଲ୍ଲାର ରାୟଗଡ, କାଶୀନଗର ଏବଂ ନୂଆଗଡ ବ୍ଲକରେ ପ୍ରତିବର୍ଷ ୨୫ ହଜାର କ୍ବିଣ୍ଟାଲ କପା ଅମଳ ହୋଇଥାଏ। ମାତ୍ର କପାକୁ ସାଇତି ରଖିବା ପାଇଁ ସରକାରୀ ମଣ୍ଡି ଅଭାବ ହେତୁ କ୍ଷତି ସହୁଛି ଚାଷୀ। ତେବେ ଚଳିତ ବର୍ଷ ଚାଷୀଙ୍କ ଠାରୁ କପା ପାରଳାଖେମୁଣ୍ଡିରେ କିଣାଯାଇ ଗୁଣପୁର ମଣ୍ଡିକୁ ପଠାଯିବା ପାଇଁ ନିଷ୍ପତ୍ତି ହୋଇଛି ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସେହିପରି ରାୟଗଡ଼ା ଜିଲ୍ଲାରେ ଚଳିତ ବର୍ଷ ୪୦ ହଜାର ହେକ୍ଟର ଚାଷ ଜମିରେ କପା ଚାଷ କରାଯାଇଥିବା ବେଳେ ଗୁଣୁପୁରରେ 25 ହଜାର 912 ହେକ୍ଟର ଜମିରେ କପା ଚାଷ ହୋଇଛି। ମାତ୍ର ଅଦିନିଆ ବର୍ଷା ଝଡ଼ ପାଇଁ ଚାଷ ଅନେକ ମାତ୍ରାରେ କ୍ଷତି ହୋଇଥିବା ବେଳେ ବାକି ବଞ୍ଚିଥିବା ଚାଷକୁ ସାଇତି ରଖିବା ପାଇଁ ମଣ୍ଡିର ବ୍ୟବସ୍ଥା ନାହିଁ। ଯାହାଫଳରେ ବାଧ୍ୟ ହୋଇ ପଡ଼ୋଶୀ ରାଜ୍ୟର ଦଲାଲଙ୍କ ହାତରେ ଟେକି ଦେଉଛନ୍ତି ଧଳା ସୁନା। ବିଗତ ୨୫ ବର୍ଷର ବିକାଶ ବିରୋଧୀ ଅପାରଗ ବିଜେଡ଼ି ସରକାର ପାଇଁ ଚାଷୀ ଆଜି ହନ୍ତସନ୍ତ। ମଣ୍ଡିର ଅଭାବ ପାଇଁ କ୍ଷେତରେ ଫଳାଇଥିବା ସୁନାର ଫସଲକୁ ରଖିପାରୁନି ସୁରକ୍ଷିତ। ଯାହାଫଳରେ ବାଧ୍ୟହୋଇ ଆନ୍ଧ୍ର ଦଲାଲଙ୍କ ଶୋଷଣର ଶିକାର ହେଉଛି। ମାତ୍ର ଏବେ ରାଜ୍ୟରେ ବିଜେପିର ଡବଲ ଇଞ୍ଜିନ ସରକାର। ତେଣୁ ଗୁଜୁରାଟ ମଡେଲ ଭଳି ଆଗକୁ ରାଜ୍ୟରେ ବି କପା ଚାଷୀଙ୍କ ପାଇଁ ମଣ୍ଡିର ବ୍ୟବସ୍ଥା ହେବ ବୋଲି ଆଶାବାଦୀ ରାଜ୍ୟର କପା ଚାଷୀ।

Sponsored
Cotton farmers are worried about the ineffective BJD government | Argus News