|
logo
Live

Argus News - ଆଜି ଦ୍ବିତୀୟ ପର୍ଯ୍ୟାୟର ଦ୍ବିତୀୟ ଦିନର ଗଣତି ମଣତି

Odisha

Ratna Bhandar Counting / ଆଜି ଦ୍ବିତୀୟ ପର୍ଯ୍ୟାୟର ଦ୍ବିତୀୟ ଦିନର ଗଣତି ମଣତି

Bikash Mohanty
Browse all articles by Bikash Mohanty
·2 hours ago·2 min read
ଆଜି ଦ୍ବିତୀୟ ପର୍ଯ୍ୟାୟର ଦ୍ବିତୀୟ ଦିନର ଗଣତି ମଣତି
Ratna Bhandar

Key Points

ରତ୍ନଭଣ୍ଡାର ଗଣତିମଣତିର ଦ୍ବିତୀୟ ପର୍ଯ୍ୟାୟର ଦ୍ବିତୀୟ ଦିନ
ମହାପ୍ରଭୁଙ୍କ ଆଶୀର୍ବାଦରୁ ସବୁ କିଛି ଠିକ୍‌ଠାକ ଚାଲିଛି
ପ୍ରଥମ ଦିନର ଗଣତିମଣତି ପରେ ଗଜପତିଙ୍କ ପ୍ରତିକ୍ରିୟା
ଗଜପତି ମହାରାଜ ଦିବ୍ୟସିଂହ ଦେବ
ପୁରୀ,୦୯/୦୪: ରତ୍ନଭଣ୍ଡାର ଗଣତିମଣତିର ଦ୍ବିତୀୟ ପର୍ଯ୍ୟାୟର ଦ୍ବିତୀୟ ଦିନ । ଏଥିପାଇଁ ପ୍ରାଧିକୃତ ଅଧିକାରୀ ଓ ସେବାୟତ ଶ୍ରୀମନ୍ଦିର ଭିତରକୁ ଯିବା ପରେ ହେବ ଗଣତିମଣତି । ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଗଚ୍ଛିତ ଅଳଙ୍କାର ଓ ମୂଲ୍ୟବାନ ସାମଗ୍ରୀର ଗଣତି କାର୍ଯ୍ୟ ଜାରି ରହିବ । ଦ୍ବିତୀୟ ପର୍ଯ୍ୟାୟର ପ୍ରଥମ ଦିନର ଗଣତିମଣତି ପରେ ଗଜପତି ମହାରାଜ ଦିବ୍ୟସିଂହ ଦେବ କହିଛନ୍ତି ମହାପ୍ରଭୁଙ୍କ ଆଶୀର୍ବାଦରୁ ସବୁ କିଛି ଠିକ୍‌ଠାକ ଚାଲିଛି । ମହାପ୍ରଭୁଙ୍କ ଦର୍ଶନ ସରିଲା ପରେ ବାହାର ରତ୍ନଭଣ୍ଡାର ଅନୁଧ୍ୟାନ କରାଯାଇଥିଲା । ସରକାରଙ୍କ ଦ୍ବାରା ଗଠିତ କମିଟି, ଅଧିକାରୀ ଏବଂ ସେବାୟତ ଏଥିରେ ଉପସ୍ଥିତ ଥିଲେ । ଏସ୍‌ଓପି ଅନୁସାରେ ଗଣତିମଣତି ହୋଇଛି ।

ପ୍ରତ୍ୟେକ ମୂଲ୍ୟବାନ ଜିନିଷ ୩ଡି ମ୍ୟାପିଂ କରାଯାଉଛି । ଏହା ଦ୍ବାରା ପୂର୍ଣ୍ଣ ଛବି ମିଳିପାରିବ । ମହାପ୍ରଭୁଙ୍କ ଗହଣାର ବିସ୍ତୃତ ବିବରଣୀ ରଖାଯାଉଛି, ଯାହାଦ୍ବାରା ଭବିଷ୍ୟତରେ କୌଣସି ଅସୁବିଧା ହେବ ନାହିଁ । ବାହାର ରତ୍ନଭଣ୍ଡାର ଗଣତିମଣତି ପରେ ଭିତର ରତ୍ନଭଣ୍ଡାରର ଗଣତିମଣତି ହେବ । ଏହି ପ୍ରକ୍ରିୟା ଲଗାତାର ୪ ଦିନ ଧରି ଚାଲିବ । ୧୨ ତାରିଖ ରବିବାର ବନ୍ଦ ରହି ପୁଣି ଥରେ ୧୩ ତାରିଖରେ ହେବ । ୧୪ ଓ ୧୫ ଦୁଇଦିନ ବନ୍ଦ ରହିବା ପରେ ୧୬ରୁ ୧୮ ତାରିଖ ତିନିଦିନ ଲଗାତାର ଜାରି ରହିବ।

ରବିବାର ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଗଣତିମଣତି ବନ୍ଦ ରହିବ। ୧୩ ତାରିଖ ଓ ପରେ ୧୬ରୁ ୧୮ ତାରିଖରେ ମଧ୍ୟରେ ଜାରି ରହିବ ଗଣତିମଣତି। ପ୍ରଥମ ଦିନରେ ପ୍ରାୟ ସାଢ଼େ ୬ ଘଣ୍ଟା ବାହାର ରତ୍ନଭଣ୍ଡାର ଗଣତିମଣତି କରାଯାଇଛି। ହାଇଲେବଲ କମିଟି ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ଵନାଥ ରଥ, ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ, ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ସମେତ ଅନ୍ୟ ପ୍ରାଧିକୃତ ଅଧିକାରୀ, ସେବକ ଓ କର୍ମଚାରୀ ଗଣତିମଣତିରେ ସାମିଲ ହୋଇଥିଲେ। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଦିନ ୧୧ଟା ୫୫ରେ ରତ୍ନଭଣ୍ଡାର ଖୋଲାଯାଇଥିଲା। ଅଳଙ୍କାର ଆଦିର ଫଟୋଗ୍ରାଫି, ଭିଡିଓଗ୍ରାଫି ସହ ଇ-କ୍ୟାଟଲଗ୍ କରାଯାଇଥିଲା।

ପଢନ୍ତୁ ଏହି ଖବର: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପଇତାଲାଗି ନୀତି; ୪ ଘଣ୍ଟା ଦର୍ଶନ ବନ୍ଦ

ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ଗୁଡ଼ିକୁ ଗଣୁଛନ୍ତି ଟିମ୍। ଚିହ୍ନଟ ଓ ଓଜନ କରୁଛନ୍ତି ବଣିଆ ଓ ଜେମୋଲୋଜିଷ୍ଟ। ୧୯୭୮ ମସିହା ତାଲିକା ଅନୁଯାୟୀ ସମସ୍ତ ସାମଗ୍ରୀର ମେଳକ କରାଯାଉଛି। ଏହି ସମୟରେ ବାହାର ଭଣ୍ଡାରରେ କେବଳ ୭୯ ପ୍ରକାର ସୁନା ଓ ୩୯ ପ୍ରକାର ରୁପା ରହିଥିଲା। ବାହାର ଭଣ୍ଡାରରେ ଅଛି ପ୍ରାୟ ୮୧୭୫ ଭରି ୩/୪ ଅଣାର ୭୯ ଟି ସୁନାଦ୍ରବ୍ୟ ଓ ୪୬୭୧ ଭରି ୨ ଅଣାର ୩୯ ଟି ରୁପା ଦ୍ରବ୍ୟ । ୧୯୭୮ ପରେ ରହିଥିବା ରତ୍ନ ଓ ଦ୍ରବ୍ୟର ମଧ୍ଯ ଗଣତିମଣତି ସ‌ହ ନୂତନ ତାଲିକା କରାଯାଉଛି। ୨୦୨୧ରେ ଦାତା ଦେଇଥୁବା ୪ କେଜିରୁ ଅଧିକ ସୁନା ଓ ୩ କେଜିରୁ ଅଧିକ ରୁପା ମଧ୍ୟ ବାହାର ରତ୍ନଭଣ୍ଡାରରେ ଅଛି। ଏଥିରେ ଶ୍ରୀବଳଭଦ୍ରଙ୍କର ୪୦ଟି ଶ୍ରୀମୁଖ ପଦ୍ମ ଓ ୨ଟି ଝୋବା, ଶ୍ରୀଜଗନ୍ନାଥଙ୍କର ୫୩ଟି ଶ୍ରୀମୁଖ ପଦ୍ମ ଓ ୨ଟି ଝୋବା, ଦେବୀ ସୁଭଦ୍ରାଙ୍କର ୨ଟି ତଡ଼ଗୀ ଓ ୨ଟି ଝୋବା ରହିଥିଲା। ଏହି ଅଳଙ୍କାର ୨୦୨୧ ମସିହା ମାର୍ଚ୍ଚ ୮ରେ ଶ୍ରୀମନ୍ଦିର ମୁଖ୍ୟ କାର୍ଯ୍ୟାଳୟରୁ ନିଆଯାଇ ଶ୍ରୀମନ୍ଦିର ରତ୍ନଭଣ୍ଡାରର ବାହାର ଭଣ୍ଡାରରେ ରଖାଯାଇଥିଲା। ତେଣୁ ଏଗୁଡ଼ିକ ମଧ୍ୟ ନୂଆ ତାଲିକାକୁ ନିଆଯିବ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Ratna Bhandar Counting: ଆଜି ଦ୍ବିତୀୟ ପର୍ଯ୍ୟାୟର ଦ୍ବିତୀୟ ଦିନର ଗଣତି ମଣତି | Argus News