ନବ ଦାସ ହତ୍ୟା ମାମଲା: ଝାରସୁଗୁଡ଼ାରେ ସାନି ତଦନ୍ତ ସାରି ଫେରିଲା କ୍ରାଇମ୍ବ୍ରାଞ୍ଚ

ଝାରସୁଗୁଡ଼ା: ନବ ଦାସ ହତ୍ୟା ମାମଲାରେ ସାନି ତଦନ୍ତ କରି ଫେରିଲା କ୍ରାଇମ୍ବ୍ରାଞ୍ଚ । ସାକ୍ଷୀ, ପ୍ରତ୍ୟକ୍ଷଦର୍ଶୀଙ୍କ ସମେତ ପ୍ରାୟ ୧୫ ଜଣଙ୍କର ୧୬୧ରେ ବୟାନ ରେକର୍ଡ ହୋଇଛି । ନବଙ୍କ ବାସଭବନ, ଜିଲ୍ଲା ଚିକିତ୍ସାଳୟ, ବିମାନ ବନ୍ଦର ଓ ଘଟଣାସ୍ଥଳରେ ତଦନ୍ତ କରିଛି ତଦନ୍ତକାରୀ ସଂସ୍ଥା । ତଦନ୍ତର ଦିଗ ସ୍ପଷ୍ଟ କରୁଛି, ପୂର୍ବ ତଦନ୍ତ ଥିଲା ପ୍ରାୟୋଜିତ, ବାଟବଣା । ଆଇନ୍ ତା ରାସ୍ତାରେ ଯିବ କହି ଆଇନକୁ କରାଯାଇଥିଲା ବାଟବଣା ।
ନବ ଦାସ ହତ୍ୟା ମାମଲାରେ ସାନି ତଦନ୍ତ ସାରି ଫେରିବା ପୂର୍ବରୁ ତଦନ୍ତକାରୀ କ୍ରାଇମ୍ବ୍ରାଞ୍ଚ ଅଧିକାରୀ କହିଛନ୍ତି, ଆମକୁ ଯାହା ତଥ୍ୟ ମିଳିଛି କୋର୍ଟରେ ଉପସ୍ଥାପନ କରାଯିବ । ୧୭ ତାରିଖରୁ ୨୨ ତାରିଖ ମଧ୍ୟରେ ୫ ଦିନ ଧରି ନବ ହତ୍ୟା ମାମଲାର ବିଭିନ୍ନ ଦିଗ ଉପରେ ଟିକି ନିଖି ତଦନ୍ତ କରିଛନ୍ତି କ୍ରାଇମବ୍ରାଞ୍ଚର ୨ ଜଣିଆ ଟିମ୍ । ଏହା ମଧ୍ୟରେ ପ୍ରାୟ ୧୫ ଜଣଙ୍କର ୧୬୧ରେ ବୟାନ ରେକର୍ଡ ମଧ୍ୟ କରାଯାଇଛି ଏବଂ ଯେଉଁ ଦିଗକୁ ନେଇ ତଦନ୍ତ କରାଯାଇଛି ତାହା କେଉଁଠି ନା କେଉଁଠି ସ୍ପଷ୍ଟ କରୁଛି ପୂର୍ବ ତଦନ୍ତ ସନ୍ଦେହ ଜନକ ଥିଲା ।
୧୮ ମାର୍ଚ୍ଚ- ଅର୍ଥାତ ପ୍ରଥମ ଦିନରେ ସ୍ଵର୍ଗତ ନବ ଦାସଙ୍କ ସରବାହାର ସ୍ଥିତ ବାସଭବନକୁ ଯାଇ ତଦନ୍ତ କରିଥିଲେ କ୍ରାଇମ ବ୍ରାଞ୍ଚ ଟିମ୍। ନବଦାସଙ୍କ ପତ୍ନୀ ମିନତୀ ଦାସ, ଝିଅ ଦୀପାଳି ଦାସ ଓ ପୁଅ ବିଶାଲ ଦାସଙ୍କୁ ପ୍ରାୟ ୭ ଘଣ୍ଟା ଧରି ପଚରାଉଚରା କରିବା ସହ ସେମାନଙ୍କ ବୟାନ ରେକର୍ଡ କରିଥିଲେ।
୧୯ ମାର୍ଚ୍ଚ- ଦ୍ଵିତୀୟ ଦିନରେ ପୁଣିଥରେ ନବ ଦାସଙ୍କ ସରବାହାଲ ବାସ ଭବନରେ ନବଙ୍କ ପତ୍ନୀ ମିନତି ଦାସଙ୍କୁ ପଚରାଉଚରା କରିଥିଲା କ୍ରାଇମବ୍ରାଞ୍ଚ । ଏଥି ସହିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମଧ୍ୟ ତଦନ୍ତ କରିଥିଲେ । ଗୁଳିକାଣ୍ଡ ପରେ ମୁଖ୍ୟ ଚିକିତ୍ସାଳୟରେ ନବ ଦାସଙ୍କର ଚିକିତ୍ସା କରିଥିବା ଡାକ୍ତର ଡୋଳାମଣି ତାଣ୍ଡି ଏବଂ ଡାକ୍ତର ସିଲବନ୍ତି ଯୋଜୋଙ୍କୁ ପଚରାଉଚରା କରିଥିଲେ କ୍ରାଇମବ୍ରାଞ୍ଚ ଅଧିକାରୀ । ସପ୍ତାହେ ପୂର୍ବରୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ସମ୍ପୂର୍ଣ୍ଣ ତଥ୍ୟ ଏବଂ ଡାକ୍ତରଙ୍କ ଠିକଣା ଦେବାକୁ ଚିଠି କରିଥିଲା କ୍ରାଇମବ୍ରାଞ୍ଚ ।
୨୦ ମାର୍ଚ୍ଚ- ତୃତୀୟ ଦିନରେ ପ୍ରଥମେ ହତ୍ୟାକାଣ୍ଡ ସ୍ଥଳ ବ୍ରଜରାଜନଗର ଗାନ୍ଧିଛକ ଯାଇ କିଛି ଲୋକଙ୍କୁ ପଚରାଉଚରା କରିଥିଲା କ୍ରାଇମବ୍ରାଞ୍ଚ ଟିମ୍ । ଏହାପରେ ପୁଣି ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ ଯାଇ ସିଡିଏମଓ ଡୋଲାମଣି ପଟେଲଙ୍କ ସମେତ ନବ ଦାସଙ୍କ ଇସିଜି କରିଥିବା ରେଡିଓ ଗ୍ରାଫରଙ୍କୁ ପଚରାଉଚରା କରିଥିଲା କ୍ରାଇମବ୍ରାଞ୍ଚ । ଏଥିସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ECG ରିପୋର୍ଟ ଗାୟବ୍ ଅଭିଯୋଗ ସତ ପ୍ରମାଣିତ ହୋଇଥିଲା । କ୍ରାଇମ୍ ବ୍ରାଞ୍ଚକୁ ମିଳିନଥିଲା ECG ରିପୋର୍ଟ। ECG କରିଥିବା ମହିଳା କର୍ମଚାରୀଙ୍କ ବୟାନ ରେକର୍ଡ ବେଳେ ଖୋଲିଥିଲା ଗୁମର ।
୨୧ ମାର୍ଚ୍ଚ- ଚତୁର୍ଥ ଦିନରେ ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର ଯାଇ ୩ ଘଣ୍ଟା ଧରି ପଚରାଉଚରା କରିଥିଲା କ୍ରାଇମବ୍ରାଞ୍ଚ । ଘଟଣା ଦିନ ନବ ଦାସଙ୍କୁ ନେଇ ଯାଇଥିବା ହେଲିକପ୍ଟର ଓ ଅନ୍ୟ ବିମାନର ଉଡାଣ ଅବତରଣ ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ସଂଗ୍ରହ କରାଯାଇଥିଲା । ବିମାନ ବନ୍ଦରରେ କେତେ ଘଣ୍ଟା ନବ ଦାସଙ୍କୁ ରଖାଯାଇଥିଲା ଏବଂ ବିମାନ ବନ୍ଦରରେ କିଛି ଚିକିତ୍ସା କରାଯାଥିଲା ନା ନାହିଁ ଏସବୁ ଦିଗ ଉପରେ ପଚରାଉଚରା କରିଥିଲା ତଦନ୍ତକାରୀ ଦଳ । ଏଥିସହ ପୁଣି ଥରେ ମୁଖ୍ୟ ଚିକିତ୍ସାଳୟ ଯାଇ ନବ ଦାସଙ୍କୁ ଭୁବନେଶ୍ୱରକୁ ଏଆରଲିଫ୍ଟ ବେଳେ ସାଙ୍ଗରେ ଯାଇଥିବା ଶୈଲ୍ୟ ବିଭାଗ ଡାକ୍ତର ଜିତେନ ପଟେଲଙ୍କୁ ପଚରା ଉଚରା କରାଯାଇଥିଲା ।
୨୨ ମାର୍ଚ୍ଚ- ପଞ୍ଚମ ତଥା ଶେଷ ଦିନରେ ପୁଣି ଥରେ ଘଟଣା ସ୍ଥଳକୁ ଯାଇ ତଦନ୍ତ କରିଥିଲା କ୍ରାଇମବ୍ରାଞ୍ଚ ଟିମ୍ । ବ୍ରଜରାଜନଗର ଥାନାରେ ପ୍ରାୟ ଅଢେଇ ଘଣ୍ଟା ଧରି ଘଟଣାର ଅନ୍ୟତମ ସାକ୍ଷୀ ସରୋଜ ସାଙ୍କର ବୟାନ ରେକର୍ଡ କରାଯାଇଥିଲା । ନବ ଦାସଙ୍କୁ ଗୁଳି ପରେ ତତ୍କାଳୀନ ଆଇଆଇସିଙ୍କ ବନ୍ଧୁକ ଛଡାଇ ନେଇଥିଲେ ସରୋଜ l ଏଥିସହ ନବ ଦାସ ଗାନ୍ଧିଛକରେ ପହଞ୍ଚିବା ପରେ ସେ ହିଁ ପ୍ରଥମେ ତାଙ୍କୁ ଫୁଳମାଲ ପିନ୍ଧାଇଥିଲେ । ସେହପରି ଓରିଏଣ୍ଟ ଥାନାରେ ଆଉ ଜଣେ ସାକ୍ଷୀ ଜୀବନ ନାୟକଙ୍କୁ ପଚରାଉଚରା କରିଥିଲା କ୍ରାଇମବ୍ରାଞ୍ଚ । ନବଙ୍କୁ ମୁଣ୍ଡିଆ ମାରୁଥିବା ବେଳେ ତାଙ୍କୁ କରାଯାଇଥିବା ଗୁଳି ଜୀବନଙ୍କ କାନରେ ଘସି ହୋଇ ଯାଇଥିଲା ଯେଉଁଥିରେ ସେ ଆହତ ମଧ୍ୟ ହୋଇଥିଲେ ।
ନବ ଦାସଙ୍କ ହତ୍ୟାର ପୂର୍ବ ତଦନ୍ତକୁ ନେଇ ସନ୍ଦେହ ସୃଷ୍ଟି ହେବା ସହ ଅନେକ ପ୍ରଶ୍ନ ଉଠିଥିଲା । ଯାହା ତଦନ୍ତ ରିପୋର୍ଟରୁ ସ୍ପଷ୍ଟ ହୋଇ ନଥିଲା । ଏବେ ସାନି ତଦନ୍ତରେ ସେଗୁଡ଼ିକ ଉପରୁ ଉଠିପାରିବ କି ପରଦା ?
ପ୍ରଶ୍ନ- ୧
ଗୁଳିକାଣ୍ଡ ପରେ ଝାରସୁଗୁଡ଼ା ଡାକ୍ତରଖାନାରେ ପହଞ୍ଚିବା ବେଳକୁ ନବ ଦାସ ଜୀବିତ ଥିଲେ ନା ନାହିଁ ?
ପ୍ରଶ୍ନ- ୨
ଯଦି ଅବସ୍ଥା ଏତେ ସାଂଘାତିକ ଥିଲା, ତେବେ ପାଖ ବୁର୍ଲା ମେଡିକାଲ ବଦଳରେ ବିନା ଏୟାର ଆମ୍ବୁଲାନ୍ସରେ କାହିଁକି ଅଣାଯାଇଥିଲା ଭୁବନେଶ୍ଵର ?
📱 Get Argus News App
✨ପ୍ରଶ୍ନ- ୩
ଭୁବନେଶ୍ଵରର ଘରୋଇ ହସ୍ପିଟାଲରେ ନବଙ୍କର ଅପରେସନ କରାଯାଇଥିବା କଥା ସତ ନା ମିଛ ?
ପ୍ରଶ୍ନ- ୪
ଦେଖିବାକୁ ଯିବା ବେଳେ କାହିଁକି ନମସ୍କାର କରିଥିଲେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ? ନବ ଦାସଙ୍କ ମୃତ୍ୟୁ ହୋଇ ସାରିଥିବା ନବୀନ ଜାଣିଥିଲେ କି ?
ପ୍ରଶ୍ନ- ୫
କାହିଁକି ପୋଡ଼ି ଦିଆଯାଇଥିଲା ନବଙ୍କ ରକ୍ତ ଭିଜା ସାର୍ଟ ?
ପ୍ରଶ୍ନ- ୬
କୁଆଡ଼େ ଗଲା ନବ ଦାସଙ୍କ ଟାୱେଲ୍ ?
ପ୍ରଶ୍ନ- ୭
ନବ ଦାସଙ୍କୁ ଗୋପାଳ ଖାଲି ହତ୍ୟା କରିଥିଲା ନା ହତ୍ୟା ପଛରେ ଥିଲା ବଡ଼ ଷଡ଼ଯନ୍ତ୍ର ?
ପ୍ରଶ୍ନ- ୮
ନବଙ୍କ ଛାତିରେ ବାଜିଥିବା ଗୁଳି ଗଲା କୁଆଡେ ?
ଅଭିଯୋଗ ହୋଇଥିଲା କ୍ରାଇମବ୍ରାଞ୍ଚର ପୂର୍ବ ତଦନ୍ତ ପ୍ରାୟୋଜିତ ଥିଲା ଏହା ଦୋଷୀଙ୍କୁ ଧରିବା ପରିବର୍ତ୍ତେ ତଦନ୍ତକୁ ବାଟବଣା ପାଇଁ ଉଦ୍ଧିଷ୍ଟ ଥିଲା ବୋଲି ଉଠିଥିଲା ପ୍ରଶ୍ନ । ଏପରିକି ଏହି ହାଇପ୍ରୋଫାଇଲ ହତ୍ୟା ମାମଲାର FBI ତଦନ୍ତ କରାଯିବ କହି ଭଣ୍ଡେଇ ଦେଇଥିଲେ ତତକାଳୀନ ବିଜେଡି ସରକାର । ଏବେ ପ୍ରଶ୍ନ କ୍ରାଇମବ୍ରାଞ୍ଚ ସାନି ତଦନ୍ତରେ ଏ ସବୁର ଗୁମର ଖୋଲିବ କି ? କ୍ରାଇମବ୍ରାଞ୍ଚର ନୂଆ ତଦନ୍ତକାରୀ ଅଧିକାରୀ ଏ ସବୁ ପ୍ରଶ୍ନ ଉପରୁ ପରଦା ଉଠାଇ ପାରିବେ ତ ?