Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

City Surveillance System / ଫେଲ୍ ମାରିଛି ସିଟି ସର୍ଭିଲାନ୍ସ ସିଷ୍ଟମ, ବଢ଼ୁଛି ଅପରାଧ...

Banajyotshna Ray
Browse all articles by Banajyotshna Ray
·8 months ago·3 min read
ଫେଲ୍ ମାରିଛି ସିଟି ସର୍ଭିଲାନ୍ସ ସିଷ୍ଟମ, ବଢ଼ୁଛି ଅପରାଧ...

Key Points

ଫେଲ୍ ମାରିଛି ବାରିପଦା ସିଟି ସର୍ଭିଲାନ୍ସ ସିଷ୍ଟମ, ବୃଦ୍ଧି ପାଉଛି ଅପରାଧ ।
ଅପରାଧ ନିୟନ୍ତ୍ରଣରୁ ଆରମ୍ଭ କରି ଟ୍ରାଫିକ୍ ପରିଚାଳନା ଯାଏଁ, ସିସିଟିଭିର ଭୂମିକା ଅନେକ ଗୁରୁତ୍ଵପୂର୍ଣ୍ଣ ଅଟେ । କ୍ୟାମେରା ବ୍ୟବହାର ଯୋଗୁଁ ବର୍ତ୍ତମାନ ପୋଲିସର କାର୍ଯ୍ୟଦକ୍ଷତା ବୃଦ୍ଧିହେବା ସହ ଏହା ତାଙ୍କପାଇଁ ଏକ ଅଭିନ୍ନଅଂଶ ପାଲଟିଯାଇଛି। ସହରର ପ୍ରମୁଖ ସ୍ଥାନ, ବିଭିନ୍ନ ଛକ, ବ୍ୟବସାୟିକ ପ୍ରତିଷ୍ଠାନ, ଏବଂ ସାର୍ବଜନୀନ ସ୍ଥାନମାନଙ୍କରେ ଲଗାଯାଇଥିବା ଏହି ସିସିଟିଭି କ୍ୟାମେରାଗୁଡ଼ିକ ପୋଲିସକୁ ଅପରାଧ ପ୍ରତିରୋଧ, ତଦନ୍ତ, ଏବଂ ନାଗରିକ ସୁରକ୍ଷା କ୍ଷେତ୍ରରେ ଗୁରୁତ୍ଵପୂର୍ଣ୍ଣ ସାହାଯ୍ୟ ପ୍ରଦାନ କରୁଛି। ଏଗୁଡିକ ସହରର ସୁରକ୍ଷା କବଚ ହେବା ସହ ପୋଲିସ ପାଇଁ EYE ON SKY ଭାବରେ ସାହାଯ୍ୟ ଯୋଗାଉଛି । ଏଣୁ ବଡବଡ ସହରରେ ବିଭିନ୍ନ ସ୍ଥାନରେ ସହର ନିରୀକ୍ଷଣ ପ୍ରଣାଳୀ ବା ସିଟି ସର୍ଭିଲାନ୍ସ ସିଷ୍ଟମକୁ ଅଧିକ ଶକ୍ତିଶାଳୀ କରାଯାଉଥିବା ବେଳେ ରକ୍ଷଣାବେକ୍ଷଣ ଅଭାବରୁ ବାରିପଦା ସହରରେ ଲାଗିଥିବା ଏହି ସିସିଟିସି ସିଷ୍ଟମ ଏବେ ବନ୍ଦ ହେବାକୁ ବସିଲାଣି ।

ଅପରାଧ ନିୟନ୍ତ୍ରଣ, ଆଇନ ଶୃଙ୍ଖଳା, ଉପଯୁକ୍ତ ପୋଲିସିଂ କୁ ଶକ୍ତିଶାଳୀ କରିବା ପାଇଁ ୧ବର୍ଷ ପୂର୍ବରୁ ଲକ୍ଷଲକ୍ଷ ଟଙ୍କା ବ୍ୟୟରେ ବାରିପଦା ସହରରେ କାର୍ଯ୍ୟକ୍ଷମ ହୋଇଥିଲା ସିଟି ସର୍ଭିଲାନ୍ସ ସିଷ୍ଟମ । ସହରର ପ୍ରମୁଖ ୧୩ଟି ସ୍ଥାନରେ ୬୪ଟି ବୁଲେଟ୍ କେମେରା ଲଗାଯାଇଥିଲା । ତତ୍କାଳୀନ ପୂର୍ବାଞ୍ଚଳ ଡିଆଇଜି ସତ୍ୟଜୀତ ନାଏକ ୨ଅକ୍ଟୋବର ୨୦୨୪ ତାରିଖରେ ଆନୁଷ୍ଠାନିକ ଭାବେ ଜିଲ୍ଲା ପୋଲିସ ମୁଖ୍ୟାଳୟରେ ଏହାର କଣ୍ଟ୍ରୋଲ ରୁମ୍ କୁ ଉଦଘାଟନ କରିଥିଲେ । ସବୁ ଯାଗାରେ ପୋଲିସ ଜଗିବା ପାଇଁ ମେନ୍ ପାଓ୍ବାର ନାହିଁ , ତେଣୁ ଟେକ୍ନୋଲୋଜି ମାଧ୍ୟମରେ ପୁଲିସିଂ କରିବାର ଏକମାତ୍ର ସାଧନ କେମେରା ଦ୍ବାରା ଜଗିବା ବେଶ୍ ଫଳପ୍ରଦ ହେବ ବୋଲି ତତ୍କାଳୀନ ଡିଆଇଜି ସେତେବେଳେ କହିଥିଲେ ।

ତେବେ ଏଗୁଡିକ ଫିଟିଙ୍ଗ ହେବାକୁ ୧ବର୍ଷ ଅତିକ୍ରମ କରିସାରିଛି । ଏବେ ୬୪ମଧ୍ୟରୁ କେବଳ ୭ଟି ଚାଲୁଛି ୫୭ଟି ଅଚଳ ହୋଇପଡିଛି । ଅନ୍ୟପଟେ ସହରରେ ଚୋରି, ଛିନତାଇ,ଲୁଟଭଳି ସଙ୍ଗିନ ଅପରାଧ ଦୃତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ୨୦୨୪ନଭେମ୍ବର ପାଖରୁ ୨୦୨୫ ନଭେମ୍ବର ମଧ୍ୟରେ ବାରିପଦା ଟାଉନ ଥାନାରେ ସମୁଦାୟ ୮୫୯ଟି ମାମଲା ଓ ଭଞ୍ଜପୁର ଥାନାରେ ସମୁଦାୟ ୪୧୪ଟି ମାମଲା ଦାଖଲ ହୋଇଛି । ଏଥିରୁ ଅନେକ ମାମଲା ଚୋରି-ଡକାୟତି, ଛିନତାଇ ଓ ଆଇନ ଶୃଙ୍ଖଳାଭଙ୍ଗ ଭଳି ସଂଗିନ ଅପରାଧ ରହିଛି ।ଏଥିରୁ କାଁ ଭାଁ ଘଟଣାରେ ଅପରାଧୀ ଧରାପଡୁଥିବା ବେଳେ ଅନେକ ଘଟଣାରେ ପୋଲିସ ଅପରାଧୀଙ୍କ ଟେର୍ ମଧ୍ୟ ପାଉନାହିଁ । ଏହାଛଡା ସହରରେ ଟ୍ରାଫିକ୍ ନିୟମ ଉଲଂଘନ ହେଲାଭଳି ଅନେକ ଅପରାଧ ଘଟାଇ ଅପରାଧୀ ଚମ୍ପଟ ମାରୁଛନ୍ତି ।

ଯଦି ସହରର ସମସ୍ତ କ୍ୟାମେରାଗୁଡିକ ଠିକ୍ ସେ କାମ କରୁଥାନ୍ତା ତେବେ ଅପରାଧୀଙ୍କ ଉପରେ ପୋଲିସ ଲଗାମ୍ ଲଗାଇବା ସହ ତୁରନ୍ତ ଏମାନଙ୍କୁ ଧରିବାରେ ସକ୍ଷମ ହୋଇପାରନ୍ତା । ଏବଂ ଏହା ଅପରାଧ ନିୟନ୍ତ୍ରଣ ବଡ ମାଧ୍ୟମ ସାଜନ୍ତା ବୋଲି ବୁଦ୍ଧିଜୀବୀ ମତବ୍ୟକ୍ତ କରିଛନ୍ତି । ଯଥାଶୀଘ୍ର ସିଟି ସର୍ଭିଲାନ୍ସ ସିଷ୍ଟମକୁ କାର୍ଯ୍ୟକ୍ଷମ କରିବା ସହ ବାରିପଦା ସହରକୁ ଅପରାଧ ମୁକ୍ତ କରିବାପାଇଁ ଦାବି ହୋଇଛି । ତେବେ ଏନେଇ ନିଜ ପ୍ରତିକ୍ରିୟା ରଖିଛନ୍ତି ମୟୂରଭଞ୍ଜ ଅତିରିକ୍ତ ପୋଲିସ ଅଧିକ୍ଷକ ଦୀପକ ଗୋଚ୍ଛାୟତ । ଏକ ବର୍ଷ ପୂର୍ବରୁ ସିଟି ସର୍ଭିଲାନ୍ସ ସିଷ୍ଟମ ଯୋଜନାରେ ବାରିପଦା ସହରରେ କେମେରା ଲଗାଯାଇଥିଲା । ଏଥିରେ ଅଟୋମେଟିକ ନମ୍ବରପ୍ଲେଟ ରେକଡର ଧରିବା ଭଳି କେମେରା ମଧ୍ୟ ଲାଗିଥିଲା ।

ଏବେ ଟେକ୍ନୋଲୋଜି ଡିଫେକ୍ଟ ପାଇଁ ଅନେକ ସ୍ଥାନରେ ଏହା କାମ କରୁନାହିଁ । ଏଗୁଡିକର ରକ୍ଷଣାବେକ୍ଷଣ ବାର୍ଷିକ ଖର୍ଚ୍ଚ ପାଇଁ ଜିଲ୍ଲାପାଳଙ୍କ ସହ ଆଲୋଚନା ହୋଇଛି । ଆଗକୁ ଏହାସହ ଆଉ ଏକ ମେଗାପ୍ଲାନ ପ୍ରସ୍ତୁତ କରାଯାଉଛି । ଏଥିରେ ସହରର ପ୍ରମୁଖ ସ୍ଥାନଗୁଡିକ ସହ ପ୍ରବେଶ ଓ ପ୍ରସ୍ଥାନ ସ୍ଥାନମାନଙ୍କୁ ସିସିଟିଭି ନଜରକୁ ନିଆଯିବ । ମଡର୍ଣ୍ଣ ଟେକ୍ନୋଲୋଜି ଯୁକ୍ତ ITBS କେମେରା ମଧ୍ୟ ଲଗାଯିବ । ପୂର୍ବଭଳି ଏସମସ୍ତର କମାଣ୍ଡ କଣ୍ଟ୍ରୋଲ ଜିଲ୍ଲା ପୋଲିସ ମୁଖ୍ୟାଳୟରେ ରହିବ । ଏହି ପ୍ରଜେକ୍ଟ କାର୍ଯ୍ୟକାରୀ ହେଲାପରେ ସହରରେ ଅପରାଧ ନିୟନ୍ତ୍ରଣ, ଆଇନ ଶୃଙ୍ଖଳା ସହ ଅମାନିଆ ଗାଡିଚାଳକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ବଡ ସାଧନ ହୋଇପାରିବ ବୋଲି କହିଛନ୍ତି ଏଡିସନାଲ ଏସ୍.ପି . ଶ୍ରୀଯୁକ୍ତ ଗୋଚ୍ଛାୟତ ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
City Surveillance System | City Surveillance Collapse Sparks Spike in Crime | Argus News | Argus News