ଓଡ଼ିଶା ପୋଲିସର ଆକ୍ସନରେ ଅପରାଧୀ ଥରହର

Key Points
ଓଡ଼ିଶା ପୋଲିସର FLOWER ନୁହେଁ FIRE ଅବତାର
ଅପରାଧୀଙ୍କୁ ଦମନ କରିବାକୁ ସିରିଜ୍ ଏନକାଉଣ୍ଟର
ଓଡ଼ିଶା ପୋଲିସର ଆକ୍ସନରେ ଅପରାଧୀ ଥରହର
ହନୁମାନ ଜୟନ୍ତୀ ପୂର୍ବରୁ ସମ୍ବଲପୁରରେ ପଲିସର ଏନକାଉଣ୍ଟର
ଦୁର୍ଦ୍ଦାନ୍ତ ଅପରାଧୀ ସୀତାରାମକୁ ପୋଲିସର ପାଲଟା ଫାୟର
ଅପରାଧ ଓ ଅପରାଧୀଙ୍କ ପ୍ରତି ବିଜେପି ସରକାରଙ୍କ ଜିରୋ ଟଲରାନ୍ସ ନୀତି
କିଛି ଦିନ ତଳେ ପୋଲିସ କମିଶନର ପୁଷ୍ପା ଷ୍ଟାଇଲରେ ଦେଇଥିଲେ ଚେତାବନୀ
ଆକ୍ସନ ମୋଡରେ ସମ୍ବଲପୁର ପୋଲିସ । ଦୁର୍ଦ୍ଦାନ୍ତ ଅପରାଧି ସୀତାରାମ ଷଡ଼ଙ୍ଗୀକୁ ଏନକାଉଣ୍ଟର କରିଛି ପୋଲିସ। କିଛି ଦିନ ତଳେ ଝାରସୁଗୁଡା ଜେଲରୁ ବାହାରିଥିବା ସୀତାରାମ ଏକ ଡକାୟତି ଘଟଣାରେ ସମ୍ପୃକ୍ତ ଥିବା ଖବର ପାଇ ରବିବାର ଭୋରରୁ ପୋଲିସ ତାକୁ ଧରିବାକୁ ଯିବା ବେଳେ ସୀତାରମ ପୋଲିସ ଉପରକୁ ୩ ରାଉଣ୍ଡ ଗୁଳି ଚଳାଇଥିଲା l ଜବାବରେ ଆତ୍ମରକ୍ଷା ପାଇଁ ପୋଲିସ ୨ ରାଉଣ୍ଡ ପାଲଟା ଗୁଳି ଚଳାଇଥିଲା l ସୀତାରାମ ଷଡ଼ଙ୍ଗୀ ନାଁରେ ଡକାୟତି, ଚୋରି, ହତ୍ୟା ଉଦ୍ୟମ ପରି ୨୫ରୁ ଅଧିକ ମାମଲା ରହିଛି l ଅଭିଯୁକ୍ତ ଠାରୁ ଗୋଟିଏ ବନ୍ଧୁକ, ଗୋଟିଏ ଜୀବନ୍ତ ଗୁଳି, ୨ଟି ଖୋକା, ୧ ଲକ୍ଷ ଟଙ୍କା ଓ ଗୋଟିଏ ବାଇକ ଜବତ କରିଛି ପୋଲିସ । ସମ୍ବଲପୁର ସହରରେ ହନୁମାନ ଜୟନ୍ତୀ ପାଳନକୁ ନେଇ ବଡ଼ ଆୟୋଜନ ହେଉଥିବା ବେଳେ ପୋଲିସର ଏହି ଆକ୍ସନ ଅପରାଧୀଙ୍କୁ ବଡ଼ ଚେତାବନୀ ବୋଲି କୁହାଯାଉଛି।
ଶନିବାର ପୋଲିସକୁ ଧକ୍କା ଦେଇ ବନ୍ଧୁକ ଛଡ଼ାଇ ଫେରାର ହେଉଥିବା ବେଳେ ଝାରସୁଗୁଡ଼ାରେ ପୋଲିସ ଏନକାଉଣ୍ଟରରେ ଆହତ ହୋଇଥିଲେ ଦୁଇ ଦୁଷ୍କର୍ମ ଅଭିଯୁକ୍ତ ବେଲପାହାଡ଼ର ଶେଖ୍ ଆଶିଷ ଓ ଅଭିଷେକ ବାରିକ । ଗୁରୁବାର ରାତିରେ ବେଲପାହାଡ଼ ଥାନା ଅଂଚଳର ଜଣେ ନାବାଳିକାଙ୍କୁ ଅପହରଣ କରି ନିକଟସ୍ଥ ଜଙ୍ଗଲରେ ଗଣ ଦୁଷ୍କର୍ମ କରିଥିଲେ ଦୁଇ ଅଭିଯୁକ୍ତ । ପୁଲିସ ଦୁହିଁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସମୟରେ ବାନ୍ତି କରିବାର ନାଟକ କରି ପୋଲିସ ବନ୍ଧୁକ ଛଡ଼ାଇ ଫାୟାରିଂ କରି ଖସିଯିବାକୁ ଅଭିଯୁକ୍ତ କରିଥିଲେ ଉଦ୍ୟମ । ଜବାବରେ ପୋଲିସ କରିଥିଲା ଏନକାଉଣ୍ଟର ।
ଅପରାଧ ଓ ଅପରାଧୀଙ୍କ ପ୍ରତି ଜିରୋ ଟଲରାନ୍ସ ନୀତି ଆପଣାଇଛନ୍ତି ବିଜେପି ସରକାର। ରାଜ୍ୟସାରା ଅପରାଧୀଙ୍କ ବିରୋଧରେ ଆକ୍ସନ ମୋଡରେ ପୋଲିସ। ଅପରାଧୀଙ୍କୁ କାବୁ କରିବାକୁ ଚଳିତ ମାସରେ ୧୦ରୁ ଅଧିକ ଏନକାଉଣ୍ଟର କଲାଣି ଓଡ଼ିଶା ପୋଲିସ। କଟକ ଭୁବନେଶ୍ବର କମିସନରେଟ୍ ପୋଲିସ ଅଧିନରେ ହୋଇଛି ସର୍ବାଧିକ ଏନକାଉଣ୍ଟର। ଗତ 10 ତାରିଖ ରାତିରେ ନିଶା ମାଫିଆ ଶେଖ୍ ଜାମସେଦକୁ ଖଣ୍ଡଗିରିରେ ଏନକାଉଣ୍ଟର କରିଥିଲା କମିସନରେଟ୍ ପୋଲିସ । ସେହିପରି ଏପ୍ରିଲ ୩ ତାରିଖ ରାତିରେ ବଙ୍କୁଆଳ ନଦୀ ପଠା ଦେଇ ଲୁଟ ପାଇଁ ଯାଉଥିବା ବେଳେ ଦୁଇ ବିହାରୀ ଲୁଟେରା ସୋନୁ ଜାଦବ ଓ ମନୀଷ ଯାଦବକୁ ଏନକାଉଣ୍ଟର କରିବା ସହ ସେମାନଙ୍କ ଠାରୁ ଦୁଇଟି ବନ୍ଧୁକ, 3 ରାଉଣ୍ଡ ଜୀବନ୍ତ ଗୁଳି ସହ ଗୋଟିଏ ଚୋରା ବାଇକ ଜବତ କରିଥିଲା ପୋଲିସ। ଏହା ପୂର୍ବରୁ ମାର୍ଚ୍ଚ 8ରେ ATM ଲୁଟେରା ଦୀପକ କୁମାର ପୁରୀ ବାଇପାସ ସାଇମନ୍ଦିର ପାଖରେ ହୋଇଥିଲା ପୋଲିସ ଗୁଳିର ଶିକାର। ଫେବୃଆରୀ 16ରେ ଆପାର୍ଟମେଣ୍ଟ ଲୁଟେରା ଅର୍ଜୁନ ଅନାରେକୁ ପୁରୀ କେନାଲ ରୋଡ଼ରେ ଏନକାଉଣ୍ଟର କରିଥିଲା କମିଶନରେଟ ପୋଲିସ । ନିକଟରେ ଚର୍ଚ୍ଚିତ ଫିଲ୍ମ ପୁଷ୍ପା ଷ୍ଟାଇଲରେ ଡାଇଲଗ ମାରି ଅପରାଧୀଙ୍କୁ କଡା ଚେତାବନୀ ଦେଇଥିଲେ ପୋଲିସ କମିଶନର।
କେବଳ ରାଜଧାନୀ ଭୁବନେଶ୍ବର ନୁହେଁ ରାଜ୍ୟସାରା ଆକ୍ସନ୍ ମୋଡରେ ପୋଲିସ। ଚଳିତ ମାସ 5 ତାରିଖ ରାତିରେ ଅନୁଗୁଳ ତାଳଚେରରେ ପୋଲିସ ଗୁଳିର ଶିକାର ହୋଇଥିଲା କୁଖ୍ୟାତ ଅପରାଧୀ କ୍ଷିରୋଦ। ତା ନାଁରେ ଅନୁଗୋଳ, ଢେଙ୍କାନାଳ ଓ ଦେବଗଡ଼ ଜିଲାରେ ରହିଛି ୫୦ ରୁ ଅଧିକ ମାମଲା। ଏହାର 2 ଦିନ ପୂର୍ବରୁ ଆଉ ଜଣେ କୁଖ୍ୟାତ ଅପରାଧୀ ସୁଶାନ୍ତ ନାୟକକୁ ଏନକାଉଣ୍ଟର କରିଥିଲା ତାଳଚେର ଓ ଅନୁଗୋଳ ପୋଲିସର ସେସ୍ପାଲ ସ୍ବାର୍ଡ।