ବିଧାନସଭାରେ ସାଂଘାତିକ ରିପୋର୍ଟ ! ଏବେ ବି ଲୋକଙ୍କ ମନରେ ବସା ବାନ୍ଧିଛି ଅନ୍ଧବିଶ୍ୱାସ...

ରାଜ୍ୟରେ ଏବେ ବି ରହିଛି ଅନ୍ଧ ବିଶ୍ୱାସ । ବିଗତ ୫ ବର୍ଷରେ ରାଜ୍ୟରେ ୪୦୮ ଗୁଣି ଗାରେଡି ମାମଲା ରୁଜୁ ହୋଇଛି । ୨୦୨୦ରେ ୯୪ଟି ମାମଲା ରୁଜୁ ହୋଇଥିବା ବେଳେ ସର୍ବାଧିକ ମୟୁରଭଞ୍ଜ ଜିଲ୍ଲାରେ ୩୫ଟି ମାମଲା ରୁଜୁ ହୋଇଛି । ୨୦୨୧ରେ ୭୯ଟି ମାମଲା ରୁଜୁ ହୋଇଥିବା ବେଳେ ମୟୁରଭଞ୍ଜ ଜିଲ୍ଲା ରେ ସର୍ବାଧିକ ୨୩ଟି ମାମଲା ରୁଜୁ ହୋଇ ୨୫ଙ୍କୁ ଗିରଫ କରାଯାଇଛି । ୨୦୨୨ରେ ୧୦୩ଟି ମାମଲା ରୁଜୁ ହୋଇଥିବା ବେଳେ ସର୍ବାଧିକ ମୟୁରଭଞ୍ଜ ଜିଲ୍ଲାରେ ୪୦ ଟି ମାମଲା ରୁଜୁ ହୋଇ ୨୦ଜଣ ଗିରଫ ହୋଇଛନ୍ତି । ସେହିଭଳି ଗଞ୍ଜାମ ଜିଲ୍ଲାରୁ ୩୨ ଜଣ ଗିରଫ ହୋଇଛନ୍ତି ।
୨୦୨୩ରେ ୭୦ଟି ମାମଲା ରୁଜୁ ହୋଇଥିବା ବେଳେ ସର୍ବାଧିକ ମୟୁରଭଞ୍ଜ ଜିଲ୍ଲାରେ ୨୬ଟି ମାମଲା ରୁଜୁ ହୋଇ ୧୩ ଜଣ ଗିରଫ ହୋଇଛନ୍ତି । ୨୦୨୪ରେ ୬୨ ଟି ମାମଲା ରୁଜୁ ହୋଇଥିବା ବେଳେ ସର୍ବାଧିକ ମୟୁରଭଞ୍ଜରେ ୧୬ଟି ମାମଲା ରୁଜୁ ହୋଇ ୭ ଜଣ ଗିରଫ ହୋଇଥିବା କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ଉତ୍ତରରେ ମୁଖ୍ୟମନ୍ତ୍ରୀ ଲିଖିତ ଉତ୍ତର ରଖିଛନ୍ତି ।
ଅନ୍ୟପଟେ ବିଧାନସଭାରେ ଆଉ ଏକ ପ୍ରତିକ୍ରିୟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଚିଟ୍ଫଣ୍ଡ ଠକେଇ ବାବଦରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଏକ ମାମଲାମୁକ୍ତ ଏବଂ ସ୍ୱଚ୍ଛ ରିଫଣ୍ଡ ପ୍ରକ୍ରିୟା ସୁନିଶ୍ଚିତ କରିବା ପାଇଁ ନୂତନ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରାଯାଉଛି।
ମୁଖ୍ୟମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ଏପର୍ଯ୍ୟନ୍ତ ୯୬,୪୭୪ ଜଣ ଜମାକାରୀ ମୋଟ ୪୫.୬୯ କୋଟି ଟଙ୍କା ଫେରସ୍ତ ପାଇଛନ୍ତି। ତଥାପି, ଅନେକ ନିବେଶକ ସେମାନଙ୍କର କଠିନ ପରିଶ୍ରମର ଟଙ୍କା ଫେରି ପାଇବା ପାଇଁ ଅପେକ୍ଷା କରିଛନ୍ତି। ସରକାର ପ୍ରତିଶ୍ରୁତି ଦେଇଛନ୍ତି ଯେ ଠକ ଚିଟ୍ଫଣ୍ଡ କମ୍ପାନିଗୁଡ଼ିକ ଦ୍ୱାରା ଠକେଇର ଶିକାର ହୋଇଥିବା ଅବଶିଷ୍ଟ ଜମାକାରୀଙ୍କୁ କ୍ଷତିପୂରଣ ଦେବା ପାଇଁ ଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବ।
ଓଡ଼ିଶା ସରକାର ରିଫଣ୍ଡ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଏବଂ ପ୍ରତ୍ୟେକ ପ୍ରଭାବିତ ଜମାକାରୀଙ୍କୁ ସେମାନଙ୍କର ଉଚିତ କ୍ଷତିପୂରଣ ପାଇବା ନିଶ୍ଚିତ କରିବା ପାଇଁ ସକ୍ରିୟ ପ୍ରୟାସ କରୁଛନ୍ତି। ବିଳମ୍ବ ଏବଂ ଅଦକ୍ଷତା ଦୂର କରିବା ପାଇଁ ଅଧିକାରୀମାନେ ବର୍ତ୍ତମାନ ବିଦ୍ୟମାନ ତଥ୍ୟଗୁଡ଼ିକର ସମୀକ୍ଷା ଏବଂ ଅଦ୍ୟତନ କରୁଛନ୍ତି।