ନକଲି ଦସ୍ତାବିଜ୍ ଆଧାରରେ ସରକାରୀ ତହବିଲରୁ ଲୁଟିନେଲେ କୋଟି କୋଟି ଟଙ୍କା

ବାଲେଶ୍ୱର: ବାଲେଶ୍ବର ବାଲିଆପାଳ ସ୍ଥିତ କୃଷ୍ଣଚନ୍ଦ୍ର ପିପିଲି କଲେଜରେ ଅଧ୍ୟାପକଙ୍କ ନିଯୁକ୍ତିରେ ବଡ଼ ଜାଲିଆତି ହୋଇଥିବା ଅଭିଯୋଗ ହୋଇଛି । ୬ ଜଣ ଅଧ୍ୟାପକ ମିଛ ତଥ୍ୟ ପ୍ରମାଣ ଆଧାରରେ ହାତେଇଛନ୍ତି ଉଚ୍ଚ ଶିକ୍ଷା ବିଭାଗର ପୁର୍ଣ୍ଣ ଅନୁଦାନ । ବର୍ଷ ବର୍ଷ ଧରି ସରକାରୀ ତହବିଲରୁ କୋଟି କୋଟି ଟଙ୍କା ଲୁଟ କରିଥିବା ଜଣାପଡିଛି । ସୂଚନା ଅଧିକାର ଆଇନରେ ବଡ଼ ଘୋଟାଲାର ପର୍ଦ୍ଦାଫାଶ। କୃଷ୍ଣଚନ୍ଦ୍ର ପିଲିଲି କଲେଜ 1983 ମସିହାରେ ସରକାରୀ କଲେଜର ମାନ୍ୟତା ମିଳିଛି। ପିପିଲି କଲେଜର ଅର୍ଥନୀତି ବିଭାଗର ଅଧ୍ୟାପକ ଦିପ୍ତୀଭୁଷଣ କାନୁନଗୋ 16 ମାର୍ଚ୍ଚ 1988 ମସିହାରେ କଲେଜରେ ଯୋଗ ଦେଇଥିଲେ।
ତାଙ୍କର ଉତ୍ତରାଧିକାରୀ ଭାବେ ସ୍ନେହଲତା ମିଶ୍ରଙ୍କୁ ଦାୟିତ୍ବ ଦେବା ପାଇଁ ଉଚ୍ଚଶିକ୍ଷା ବିଭାଗକୁ ଅନୁମୋଦନ ଲାଗି ପଠାଯାଇଥିଲା। ହେଲେ ଆଶ୍ଚର୍ଯ୍ୟର କଥା ହେଲା, ସ୍ନେହଲତା ମିଶ୍ର କଟକ ମାରଓ୍ବାଡି ହାଇସ୍କୁଲରେ ୧୯୮୩ରୁ ୨୦୦୧ ପର୍ଯ୍ୟନ୍ତ ଚାକିରି କରିଛନ୍ତି। ତେବେ କିଭଳି ଓ କେମିତି ସ୍ନେହଲତା ମିଶ୍ର ଗୋଟିଏ ସମୟରେ ଦୁଇ ଦୁଇଟି ଜାଗାରେ ଚାକିରୀ କରିଥିଲେ ତାକୁ ନେଇ ଉଠିଛି ପ୍ରଶ୍ନ। ଇତିହାସ ବିଭାଗର ଅଧ୍ୟାପକ ଅନନ୍ତ କୁମାର ଚାନ୍ଦ ୧.୯.୧୯୮୪ ମସିହାରେ ପିପିଲି କଲେଜରେ ଯୋଗ ଦେଇଥିଲେ । କିନ୍ତୁ ଉଚ୍ଚଶିକ୍ଷା ବିଭାଗକୁ ପୁର୍ଣ୍ଣଅନୁଦାନ ପାଇବା ପାଇଁ ଉକ୍ତ କଲେଜରେ ୧୦.୮.୮୩ରେ ଚାକିରୀ କରିଥିଲେ ବୋଲି ଦର୍ଶାଇଥିଲେ। ହେଲେ ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ କହୁଛି 1983ରୁ ୮୪ ପର୍ଯ୍ୟନ୍ତ ସେ ବି.ଇଡି ପାଠ ପଢୁଥିଲେ। ତେବେ ପାଠ ପଢିବା ସମୟରେ କେମିତି ଚାକିରୀ କଲେ ତାକୁ ନେଇ ଉଠିଛି ପ୍ରଶ୍ନ
ସଂସ୍କୃତ ବିଭାଗର ହରପ୍ରିୟା ଦାସ ୧୯୮୮ରେ ନିଯୁକ୍ତି ପାଇଥିବା ବେଳେ ଉତ୍ତରାଧିକାରୀ ଭାବେ ବାସନ୍ତୀ ଦେବୀ ମିଶ୍ରଙ୍କୁ ଦର୍ଶାଇଥିଲେ । ହେଲେ ବାସନ୍ତୀ ଦେବି ମିଶ୍ର ସୁନ୍ଦରଗଡ ଜିଲ୍ଲା ବଡଗଡ ମାତଙ୍ଗବେଡା ହାଇସ୍କୁଲରେ ୧୯୮୭ରୁ ୧୯୯୫ ପର୍ଯ୍ୟନ୍ତ କାର୍ଯ୍ୟରେ ଥିଲେ।ପୂର୍ଣ୍ଣଅନୁଦାନ ହାତେଇବା ପାଇଁ ନକଲି ପ୍ରମାଣ ପତ୍ର ଦେଇ କୋଟି କୋଟି ଟଙ୍କା ଲୁଟ ଅଭିଯୋଗ ହୋଇଛି ।ସରକାରୀ ନିୟମ କହୁଛି କୌଣସି ବେସରକାରୀ କଲେଜକୁ ସରକାରୀ ମାନ୍ୟତା ପାଇବା ପାଇଁ ହେଲେ କଲେଜରେ ଗ୍ରହଣ କରାଯାଇଥିବା ବିଷୟ ଗୁଡିକୁ କଲେଜର ସ୍ଥାପନ ସମୟରୁ ନିରନ୍ତର ଭାବେ ଶିକ୍ଷାଦାନ ହେଉଥିଵା ଅବଶ୍ୟକ । କୌଣସି ବିଷୟ ବ୍ୟାହତ ହୋଇଥିଲେ ଅଧ୍ୟାପକଙ୍କୁ ପୂର୍ଣ୍ଣ ଅନୁଦାନ ମିଳିପାରିବ ନାହିଁ । କେବଳ ବ୍ଲକ ଗ୍ରାଣ୍ଟ ବୋଲି ମାନ୍ୟତା ମିଳିବ । ସେହିଦୃଷ୍ଟିରୁ ଏକାଧିକ ଅଧ୍ୟାପକ ଏପରି କରିଥିଵା ଜଣା ପଡିଛି।
📱 Get Argus News App
✨ ସେହି କଲେଜର ପୂର୍ବତନ ଇଂରାଜୀ ଅଧ୍ୟାପକ ଶଙ୍କର୍ଷଣ ପାଣିଗ୍ରାହୀ ଏହାକୁ ବିରୋଧ କରିବାରୁ କଲେଜ ମ୍ୟାନେଜମେଣ୍ଟର ଅକ୍ରୋଶର ଶିକାର ହୋଇଥିଲେ । ସେ ପୂର୍ଣ୍ଣ ଅନୁଦାନ ପାଇବା ପାଇଁ ଯୋଗ୍ୟ ଥିଲେ ମଧ୍ୟ ତାଙ୍କୁ ଏଥିରୁ ବାଦ ଦିଆଯାଇଥିଲା ।ଏ ନେଇ ସ୍ଥାନିୟ ବାସିନ୍ଦା ଭିଜିଲାନ୍ସ ଓ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଅତିରିକ୍ତ ଜିଲ୍ଲାପାଳ ସୁଧାକର ନାୟକ କହିଛନ୍ତି ତଦନ୍ତ ହେବ । ତଦନ୍ତରେ ଯଦି ଦୁର୍ନୀତି ପ୍ରମାଣିତ ହୁଏ, ତେବେ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ନିଆଯିବ।