Building Fire / ବାଣ ଫୁଟିବାରୁ ଅଗ୍ନିକାଣ୍ଡ ସନ୍ଦେହ, କଟକରେ ୩ ମହଲା କୋଠା ଜଳିଲା

Key Points
ଶିଖରଚଣ୍ଡୀରୁ କଟକ ଯାଏଁ ନିଆଁର ତାଣ୍ଡବ, ୨ ଜଣ ଆହତ
ବାଣରୁ ଅଗ୍ନିକାଣ୍ଡ ସନ୍ଦେହ... ରେଶମ କାର୍ଯ୍ୟାଳୟ, ଟ୍ରାନ୍ସଫର୍ମର ଓ ଘରେ ଲାଗିଲା ନିଆଁ
ତିନି ସହରରେ ଅଗ୍ନିକାଣ୍ଡ ଆତଙ୍କ, କଟକରେ ୨ ଆହତ; ଶିଖରଚଣ୍ଡୀରେ ବଡ଼ କ୍ଷୟକ୍ଷତି
ଶିଖରଚଣ୍ଡୀ ସ୍ଥିତ ରେଶମ ଚାଷ କାର୍ଯ୍ୟାଳୟରେ ଘଟିଛି ଭୟାବହ ଅଗ୍ନିକାଣ୍ଡ । ନିଆଁର ପ୍ରକୋପ ଏତେ ଭୟଙ୍କର ଥିଲା ଯେ, ହୁତୁହୁତୁ ହୋଇ ଜଳିଯାଇଛି କାର୍ଯ୍ୟାଳୟରେ ଗଚ୍ଛିତ ଥିବା ରେଶମ ଷ୍ଟକ୍ । ଏହି ଅଗ୍ନିକାଣ୍ଡକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି ।
ପ୍ରାଥମିକ ସୂଚନା ଅନୁଯାୟୀ, ବାଣ ଫୁଟିବା ଯୋଗୁଁ ଏହି ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା ଚନ୍ଦ୍ରଶେଖରପୁର ଅଗ୍ନିଶମ ବାହିନୀ । ଅଗ୍ନିଶମ କର୍ମଚାରୀଙ୍କ ଦୀର୍ଘ ପ୍ରୟାସ ପରେ ନିଆଁକୁ ଆୟତ୍ତ କରାଯାଇଛି । ତେବେ ଅଗ୍ନିକାଣ୍ଡରେ କେତେ ପରିମାଣର ରେଶମ ଷ୍ଟକ୍ ନଷ୍ଟ ହୋଇଛି ଏବଂ କେତେ ଟଙ୍କାର କ୍ଷୟକ୍ଷତି ହୋଇଛି, ତାହାର ସଠିକ୍ ଆକଳନ ହୋଇନାହିଁ । ଅଗ୍ନିକାଣ୍ଡର ପ୍ରକୃତ କାରଣ ଜାଣିବା ପାଇଁ ତଦନ୍ତ ପରେ ସ୍ପଷ୍ଟ ହେବ ।
ସେପଟେ ବାଲେଶ୍ୱରରେ ଟ୍ରାନ୍ସଫର୍ମରରେ ଭୟାବହ ଅଗ୍ନିକାଣ୍ଡ । ଗୁଡ଼ିପଦା ଅଞ୍ଚଳରେ ଟାଟା ପାୱାରର ଏକ ବିଦ୍ୟୁତ୍ ଟ୍ରାନ୍ସଫର୍ମରରେ ନିଆଁ ଲାଗିଥିଲା । ଟ୍ରାନ୍ସଫର୍ମରରୁ ତେଲ ଝରି ତଳେ ଜମା ହୋଇଥିବା ବେଳେ ଆତସବାଜିରୁ ନିର୍ଗତ ନିଆଁ ସଂସ୍ପର୍ଶରେ ଆସି ତେଲରେ ନିଆଁ ଲାଗିଥିଲା । ଫଳରେ ନିଆଁ ଚାରିଆଡ଼କୁ ବ୍ୟାପିବାକୁ ଲାଗିଥିଲା । ଖବର ପାଇ ବାଲେଶ୍ୱର ଅଗ୍ନିଶମ କେନ୍ଦ୍ରର ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା । ଫୋମ୍ କମ୍ପାଉଣ୍ଡ ଓ ପାଣି ବ୍ୟବହାର କରି ଅଗ୍ନିଶମ କର୍ମଚାରୀମାନେ ନିଆଁକୁ ସଫଳତାର ସହ ଆୟତ୍ତ କରିଛନ୍ତି ।
ଖାଲିସେତିକି ନୁହେଁ କଟକରେ ମଧ୍ୟ ଭୟାବହ ଅଗ୍ନିକାଣ୍ଡ । ହାତୀପୋଖରୀ ଅଞ୍ଚଳରେ ଥିବା ଏକ ତିନି ମହଲା ବିଶିଷ୍ଟ ଆବାସିକ କୋଠାରେ ଲାଗିଛି ନିଆଁ । ଖବର ପାଇ କଟକ ଓ ଅଭିନବ ବିଡ଼ାନାସୀ ଅଗ୍ନିଶମ ବାହିନୀର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭା କାର୍ଯ୍ୟ ଜାରି ରଖିଛନ୍ତି । ପ୍ରାଥମିକ ସୂଚନା ଅନୁସାରେ, ଅଗ୍ନିକାଣ୍ଡରେ ଆହତ ହୋଇଥିବା ୨ ଜଣଙ୍କୁ ଚିକିତ୍ସା ପାଇଁ କଟକ ଏସ୍ସିବି ଟ୍ରମା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଏବେ ବି ଅଗ୍ନିଶମ ବାହିନୀ ପକ୍ଷରୁ ନିଆଁ ଆୟତ୍ତ କରିବାକୁ ଉଦ୍ୟମ ଜାରି ରହିଛି ।
📱 Get Argus News App
✨Related Topics
Explore more stories