ପଦ୍ମ ଧରି ଓଡ଼ିଶା ଫେରିବା ପରେ ଭର୍ତ୍ତୃହରିଙ୍କ ଦମ୍ଭୋକ୍ତି

ଭୁବନେଶ୍ୱର: ବିଜେପିରେ ମିଶିବା ପରେ ଓଡ଼ିଶା ଫେରିଛନ୍ତି କଟକ ସାଂସଦ। ଭର୍ତ୍ତୃହରି ମହତାବଙ୍କୁ ଆଜି ଭୁବନେଶ୍ବରରେ କରାଯାଇଛି ଭବ୍ୟ ସ୍ବାଗତ। ଏଥିସହ ବିଜେଡି ସରକାରଙ୍କ ବିରୋଧରେ ସେ କରିଛନ୍ତି ଦମ୍ଭୋକ୍ତି। କହିଛନ୍ତି ଏଥର ବିଜେଡି ଦୁର୍ଗର ପତ୍ତନ ହେବ। 24 ବର୍ଷ ଶାସନର ଅନ୍ତ ହେବ। ଷଷ୍ଠ ପାଳି ନୁହଁ, ଏଥର ହେବ ପରିବର୍ତ୍ତନ।
ଯେଉଁ ଭର୍ତ୍ତୃହରିଙ୍କୁ ଜିରୋ କହି ପରିହାସ କରିଥିଲା ବିଜେଡି। ବିମାନ ବନ୍ଦରରେ ତାଙ୍କୁ ସ୍ବାଗତ ପାଇଁ ଜୁଟିଥିବା ଭିଡ ଦେଖି ତାଙ୍କର ମୂଲ୍ୟ କେତେ ଠିକ୍ ଜବାବ ପାଇଯାଇଥିବ ଶାସକ ଦଳ। ଦିଲ୍ଲୀରେ ବିଜେପିରେ ବିଧିବଦ୍ଧ ଯୋଗଦାନ ପରେ ରବିବାର ଓଡ଼ିଶା ଫେରିଥିଲେ କଟକରୁ ବିଜେଡିର 6 ଥର ସାଂସଦ ଜିତି ଆସିଥିବା ଭର୍ତ୍ତୃହରି। ଶହ ଶହ ବିଜେପି କାର୍ଯ୍ୟକର୍ତ୍ତା ଭବ୍ୟ ସ୍ବାଗତ ଜଣାଇ ପାଛୋଟି ଆଣିଥିଲେ ରାଜ୍ୟ କାର୍ଯ୍ୟାଳୟକୁ।
ଏଥର ବି ସେହି କଟକ ଲୋକସଭା ଆସନରୁ ନିର୍ବାଚନ ଲଢିବେ ଭର୍ତ୍ତୃହରି କିନ୍ତୁ ଶଙ୍ଖ ନୁହେଁ ପଦ୍ମ ଚିହ୍ନରେ। ତେବେ ଏହି ଚିହ୍ନ କିମ୍ବା ଦଳ ମୋ ପାଇଁ ନୂଆ ନୁହେଁ। ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ମୋ ପ୍ରତି ଯେଉଁ ବିଶ୍ବାସ ଦେଖାଇଛନ୍ତି ତାହା ନିଶ୍ଚିତ ପୂରଣ କରିବି ବୋଲି କହିଛନ୍ତି ଭର୍ତ୍ତୃହରି। ସାଧାରଣତଃ ନରମ ସ୍ବାଭାବର ଭର୍ତ୍ତୃହରିଙ୍କୁ ଆଜି ଆଗ୍ରେସିଭ ମୁଦ୍ରାରେ ଦେଖିବାକୁ ମିଳିଥିଲା। ଶାସକ ବିଜୁ ଜନତା ଦଳକୁ ସିଧା ସିଧା କରିଥିଲେ ଆଟାକ୍। କହିଥିଲେ ଏହା ବିଜେଡ଼ି ଦୁର୍ଗ ପତନର ବେଳ। 2024 ଜୁନ ମାସରେ ରାଜ୍ୟରେ ଆସିବ ପରିବର୍ତ୍ତନ।