Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ରେଡିଓ ଡାକ୍ତର ଜନ ବେଲଜାମିନ , ୫୦ ବର୍ଷ ହେବ କରୁଛନ୍ତି ଚିକିତ୍ସା

Odisha

ରେଡିଓ ଡାକ୍ତର ଜନ ବେଲଜାମିନ , ୫୦ ବର୍ଷ ହେବ କରୁଛନ୍ତି ଚିକିତ୍ସା

Swoyang prajna Mishra
Browse all articles by Swoyang prajna Mishra
·1 year ago·2 min read
ରେଡିଓ ଡାକ୍ତର ଜନ ବେଲଜାମିନ , ୫୦ ବର୍ଷ ହେବ କରୁଛନ୍ତି ଚିକିତ୍ସା

କଟକ : ପରିଣତ ବୟସରେ ପହଞ୍ଚିଲେଣି । ହାତ ଥରଥର ହେଲାଣି । ତଥାପି ଯାଇନି ରେଡିଓ ମରାମତି କରିବାର ନିଶା । ଦେଖୁନାହାନ୍ତି କେଡେ ସରାଗରେ ରେଡିଓ ଗୁଡିକୁ ସଜାଡିବାରେ ଲାଗି ପଡିଛନ୍ତି । ନିଜ କାମର ନିଶାକୁ ନେଇ ନା ସେ କେବେ ଥକିଛନ୍ତି ନା କେବେ ଅଟକିଛନ୍ତି। ଦୀର୍ଘ ୫୦ ବର୍ଷ ହେବ ସେ କରି ଆସୁଛନ୍ତି ରେଡିଓ ମରାମତି । ସେଥିପାଇଁ ସମସ୍ତେ ତାଙ୍କୁ କୁହନ୍ତି ରେଡିଓ ଡାକ୍ତର ।

ରେଡ଼ିଓ ଡାକ୍ତର ଜନ ବେଲଜାମିନ ବରାଳ । କଟକ ତିନିକୋଣିଆ ବଗିଚାରେ ରହିଛି ତାଙ୍କର ରେଡ଼ିଓ ମରାମତି ହସ୍ପିଟାଲ। ବଡ ଆଦର ସ୍ନେହରେ ସେ ସଜାଡି ଦିଅନ୍ତି ରେଡିଓ ଗୁଡାକୁ । ତାଙ୍କର କାମ ପ୍ରତି ନିଷ୍ଠା, ସମର୍ପଣ ଭାବ ଦେଖି ସମସ୍ତେ ତାଙ୍କ ପାଖକୁ ନେଇ ଆସନ୍ତି ନିଜର ରେଡିଓ ଧରି । ସେ ବି କେବଳ ପାଖ ଆଖରୁ ନୁହେଁ , ସମ୍ବଲପୁର , ବାଲେଶ୍ବର ଭଳି ଦୂର ଦୂରାନ୍ତ ଜାଗାରୁ ମଧ୍ୟ ତାଙ୍କ ପାଖକୁ ରେଡିଓ ମରାମତି ପାଇଁ ଚାଲି ଆସନ୍ତି ଲୋକେ ।

ବୟସର ଅପରାହ୍ନରେ ପହଞ୍ଚିଥିବା ଜନ ସମସ୍ତଙ୍କ ଭଙ୍ଗା ରେଡିଓ ଗୁଡିକ ଚିକିତ୍ସା କରି ସଜାଡି ଦିଅନ୍ତି । ୧୯୭୫ ମସିହାରୁ ରହିଆସିଛି ତାଙ୍କର ଏହି ଦୋକାନ । ଦୋକାନର ଅଧାପାର୍ଶ୍ବ ଭାଙ୍ଗିଗଲାଣି । ତଥାପି ମାଳମାଳ ମେସିନ, ତାର ଭିତରେ କାମ କରି ଆନନ୍ଦ ପାଉଛନ୍ତି ଜନ ବେଲଜାମିନ । ଏଥିପାଇଁ ତାଙ୍କୁ ଅଲ ଇଣ୍ଡିଆ ରେଡିଓ ପକ୍ଷରୁ ପ୍ରମାଣପତ୍ର ମଧ୍ୟ ମିଳିଛି। ଯୁଗ ବଦଳୁଥିଲେ ବି ସେ ବଦଳିପାରି ନାହାନ୍ତି । ନା ବଦଳିଛି ରେଡିଓ ପ୍ରତି ତାଙ୍କର ଭଲ ପାଇବା । ଟିଭି ଚାଲୁଥିବା ସମୟରେ ବନ୍ଦ ହୋଇଯିବ, ମୋବାଇଲ ନେଟୱର୍କ ଚାଲିଯିବ ହେଲେ ରେଡ଼ିଓ ସବୁ ସ୍ଥାନରେ ଚାଲିବ ବୋଲି ସେ କୁହନ୍ତି।

କଟକ ସହର ସମେତ ଜିଲ୍ଲା ବାହାରୁ ମଧ୍ୟ ରେଡ଼ିଓ ପ୍ରତି ଭଲ ପାଉଥିବା ଲୋକେ ଏବେ ବି ରେଡ଼ିଓ ମରାମତି ପାଇଁ ତିନିକୋଣିଆ ବଗିଚା ଆସନ୍ତି। ଆଉ ଜନ୍ ବେଲଜାମିନଙ୍କ ନିକଟରେ ରେଡ଼ିଓ ମରାମତି କରାନ୍ତି। ତାଙ୍କ ଦୋକାନ ଭିତରେ ଏବେ ବି ଗଦାଗଦା ହୋଇ ରହିଛି ପୁରୁଣା ଓ ନୂଆ ସହ ବିଭିନ୍ନ ପ୍ରକାରର ରେଡ଼ିଓ। ଯେଉଁମାନଙ୍କ ରେଡ଼ିଓ ପ୍ରତି ଚାହିଦା ରହିଛି ସେମାନେ ରେଡ଼ିଓ ଏବେ ବି ଶୁଣନ୍ତି। ରେଡ଼ିଓ ଖରାପ ହେଲେ ରେଡ଼ିଓ ପ୍ରେମୀ ଏବେ ବି ଜନ୍ ବେଲଜାମିନଙ୍କୁ ମନେ ପକାନ୍ତି ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
cuttack radio doctor John Belzamin | Argus News