ଧସୁଛି କଟକର ସାଟେଲାଇଟ ସିଟି ସିଡିଏ

Key Points
ଧସୁଛି କଟକର ସାଟେଲାଇଟ ସିଟି ସିଡିଏ
ସୃଷ୍ଟି ହେଉଛି ବଡ଼ ବଡ଼ ଗାତ ଓ ଖାଲ
ଦୁର୍ଘଟଣାର ଶିକାର ହେଉଛନ୍ତି ଜନସାଧାରଣ
ଲଗାତାର କିଛି ଦିନ ଧରି ସିଡିଏର ବିଭିନ୍ନ ସେକ୍ଟରରେ ଗୋଟିଏ ପରେ ଗୋଟିଏ ରାସ୍ତା ଧସୁଥିବା ବେଳେ ସୃଷ୍ଟି ହେଉଛି ବଡ଼ ବଡ଼ ଗାତ । ସିଡିଏ ସେକ୍ଟର ୦୧ ରୁ ୧୩ ପର୍ଯ୍ୟନ୍ତ ଜନବସତି ଅଞ୍ଚଳରେ ଥିବା ରାସ୍ତା ଗୁଡ଼ିକ ଧସିବାରେ ଲାଗିଛି। କେବଳ ଏତିକି ନୁହେଁ ସିଡିଏ ଆବାସିକ ସେକ୍ଟର ବ୍ୟତୀତ ରିଂବନ୍ଧରେ ମଧ୍ୟ ରାସ୍ତା ଧସୁଛି। କିଛି ଦିନ ତଳେ କଟକ ସହରରେ ହୋଇଥିବା ବର୍ଷା ପରେ ଗୋଟିଏ ପରେ ଗୋଟିଏ ସିଡିଏ ରାସ୍ତା ଧସି ସୃଷ୍ଟି ହେଉଛି ବଡ଼ ବଡ଼ ଗାତ ଓ ଖାଲ।
ଯେଉଁଥିରେ ପଡ଼ି ଆହତ ଓ ଗୁରୁତର ଆହତ ହେଉଛନ୍ତି ଜନସାଧାରଣ। ଯାହାକୁ ବିରୋଧ କରି ସ୍ବେଛାସେବୀ ଓ ସ୍ବେଛାସେବୀ ସଂଗଠନ ବିଭିନ୍ନ ଢଙ୍ଗରେ ପ୍ରତିବାଦ କରି ନିଜ ସ୍ୱର ଉତ୍ତୋଳନ କରିଛନ୍ତି। ତେବେ ଏସବୁ ରାସ୍ତାର ସ୍ଥାୟୀ ସମାଧାନ କରିବାକୁ ହେଲେ ଭଲ କ୍ୱାଲିଟି କାମ କରିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ସିଡିଏ ବାସିନ୍ଦା ।
ପାଖାପାଖି ୨ ହଜାର ଏକର ଜମିରେ ନିର୍ମିତ ହୋଇଛି ଏହି ସାଟେଲାଇଟ ସିଟି ସିଡିଏ। ଯାହାକୁ ଆବାସିକ, ଆନୁଷ୍ଠାନିକ ଓ ବ୍ୟବସାୟୀକ ଉଦ୍ଦେଶ୍ୟରେ ବ୍ୟବହାର କରାଯାଉଛି। ଏଥିପାଇଁ ଲୋକ ସିଡିଏ କର୍ତ୍ତୃପକ୍ଷଙ୍କୁ କୋଟି କୋଟି ଟଙ୍କା ଦେଇ ପ୍ଲଟ ଲିଜରେ ନେଇଛନ୍ତି । ହେଲେ ସେମାନଙ୍କୁ ସେହି ଅନୁଯାୟୀ ସଠିକ୍ ସମୟରେ ସଠିକ୍ ଢଙ୍ଗରେ ମୌଳିକ ସୁବିଧା ମିଳିପାରୁ ନାହିଁ ।
ଅନ୍ୟପଟେ ସିଡିଏ ରାସ୍ତା ଧସିବା ଘଟଣା ଦେଖି ଚିନ୍ତା ପ୍ରକଟ କରିଛନ୍ତି କଟକ ଜିଲ୍ଲାପାଳ। ଯାହାର ସ୍ଥାୟୀ ସମାଧାନ କରିବା ପାଇଁ ସେ ସଂପୃକ୍ତ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବୋଲି ଅର୍ଗସକୁ ପ୍ରତିକ୍ରିୟା ଦେଇ କହିଛନ୍ତି। ବର୍ଷା ପରେ ଧସୁଥିବା ରାସ୍ତାର ମରାମତି ହେବ ନା କିଛି ସ୍ଥାୟୀ ସମାଧାନ କରାଯିବ। ତାହା ହିଁ ଦେଖିବାକୁ ବାକି ରହିଲା ।