ବିଶ୍ଵରେ ଚମକିବ କଟକ ତାରକସୀ

Key Points
ବିଶ୍ଵ ଦରବାରରେ ଚମକିବ କଟକର ତାରକସୀ
କଟକରେ ପ୍ରତିଷ୍ଠା ହେବ ଫିଲିଗ୍ରୀ କମନ ଫ୍ୟାସିଲିଟି ସେଣ୍ଟର
ତାରକସୀ କାରିଗରଙ୍କୁ ରାଜ୍ୟ ସରକାରଙ୍କ ବଡ଼ ସୁଯୋଗ
କଟକ ଜିଲ୍ଲା ପ୍ରଶାସନ ଓ ଆଇଆଇଟି ଭୁବନେଶ୍ବର ମଧ୍ୟରେ ଏମଓୟୁ
ଡିପିଆରକୁ ରାଜ୍ୟ ସରକାରଙ୍କ ଗ୍ରୀନ୍ ସିଗନାଲ୍
ପ୍ରଥମ ପର୍ଯ୍ୟାୟରେ 8 କୋଟି ଟଙ୍କା ପ୍ରଦାନ କରିଛନ୍ତି ରାଜ୍ୟ ସରକାର
ପୂରଣ ହେବାକୁ ଯାଉଛି ଦୀର୍ଘ ଦିନର ଦାବି। କଟକରେ ପ୍ରତିଷ୍ଠା ହେବ ଫିଲିଗ୍ରୀ କମନ ଫ୍ୟାସିଲିଟି ସେଣ୍ଟର। ଏଥର ବିଶ୍ଵ ଦରବାରରେ ଚମକିବ କଟକର ତାରକସୀ । ବିଶ୍ଵ ଦେଖିବ କଟକ ତାରକସୀର ସୂକ୍ଷ୍ମ କାରିଗରୀ। ଐତିହାସିକ କଟକ ସହରର ତାରକସୀ କାରିଗରଙ୍କୁ ରାଜ୍ୟ ସରକାରଙ୍କ ବଡ଼ ସୁଯୋଗ। କଟକରେ ତିଆରି ହେବ ଫିଲିଗ୍ରୀ କମନ ଫ୍ୟାସିଲିଟି ସେଣ୍ଟର । ଏଥିପାଇଁ କଟକ ଜିଲ୍ଲା ପ୍ରଶାସନ ଓ ଆଇ ଆଇ ଟି ଭୁବନେଶ୍ଵର ମଧ୍ୟରେ ଏମଓୟୁ ସ୍ବାକ୍ଷରତି ହେବା ପରେ ଡି ପି ଆର ପ୍ରସ୍ତୁତ ହୋଇଛି। ଡି ପି ଆରକୁ ଅନୁମୋଦନ ଦେଇଛନ୍ତି ରାଜ୍ୟ ସରକାର । ଖୁବ ଶୀଘ୍ର ଫିଲିଗ୍ରୀ ହବର କାର୍ଯ୍ୟ ଆରମ୍ଭ ହେବ ବୋଲି କହିଛନ୍ତି କଟକ ଜିଲ୍ଲାପାଳ।
ଅନ୍ୟପଟେ ଏହି ସେଣ୍ଟର ପାଇଁ ରାଜ୍ୟ ସରକାର ପ୍ରଥମ ପର୍ଯ୍ୟାୟରେ ଆଠ କୋଟି ଟଙ୍କା ପ୍ରଦାନ କରିଛନ୍ତି। ସିଡିଏ ସେକ୍ଟର ୬ ସ୍ଥିତ ପେଟାନାଳ ନିକଟରେ ଜାଗା ଚିହ୍ନଟ କରାଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଯୋଗେଇ ଦିଆଯାଇଥିବା ଏହି ରାସ୍ତା କଡର ଜାଗାକୁ ପସନ୍ଦ କରିଛନ୍ତି କାରିଗର। ଏଇଠି ନିର୍ମାଣ କରାଯିବ ସେଣ୍ଟର । ଏହାଦ୍ୱରା କଟକର ତାରକସୀ କାରିଗରଙ୍କୁ ପ୍ରୋତ୍ସାହନ, ତାରକସୀ କାରୁକାର୍ଯ୍ୟର ପ୍ରଚାର ପ୍ରସାର, ଆଧୁନିକ ଜ୍ଞାନ କୌଶଳ ସହାୟତାରେ ପ୍ରଶିକ୍ଷଣ ମିଳିବ। ଯାହାଦ୍ବାରା ଭବିଷ୍ୟତର ପୀଢ଼ି ତାରକସୀ କାମକୁ ଆଗକୁ ବଢେଇବେ ବୋଲି ଆଶା ରଖିଛନ୍ତି କଟକର ତାରକସୀ କାରିଗର। ସେପଟେ ଚିହ୍ନଟ ହୋଇଥିବା ସ୍ଥାନ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି ଆଇଆଇଟି କର୍ତ୍ତୃପକ୍ଷ ଓ କଟକ ଜିଲ୍ଲା ପ୍ରଶାସନ।
ପୂର୍ବରୁ ଜିଆଇ ଟ୍ୟାଗ ପାଇଥିବା କଟକର ତାରକସୀ କାର୍ଯ୍ୟକୁ ଅଧିକ ପ୍ରଚାର ପ୍ରସାର କରିବା ସହ ବିଶ୍ଵ ଦରବାରରେ ପହଞ୍ଚେଇବା ପାଇଁ ମଧ୍ୟ ବିଭିନ୍ନ ସ୍ତରରେ ପ୍ରୟାସ ଚାଲିଛି।