Railway platform roof collapsed: ବନ୍ଦେ ଭାରତ ଯିବାର ୧୦ ମିନିଟ୍ ପରେ ଅଘଟଣ, ଛିଡ଼ା ହୋଇଥିଲେ କ'ଣ ହୋଇଥାନ୍ତା ?

Key Points
ପ୍ଲାଟଫର୍ମ ସେଡ୍ ଭୁଶୁଡ଼ିବାର ଠିକ୍ ୧୨ ମିନିଟ୍ ପୂର୍ବରୁ ପୁରୀ-ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସ୍ (22896) ସେହି ୧ ନମ୍ବର ପ୍ଲାଟଫର୍ମ ଦେଇ ଯାଇଥିଲା ।
କଟକ: କଟକ ରେଲୱେ ଷ୍ଟେସନରେ ନବୀକରଣ କାମ ବେଳେ ଅଘଟଣ ଘଟିଛି । ଭୁଶୁଡ଼ି ପଡ଼ିଛି ୧ ନମ୍ବର ପ୍ଲାଟଫର୍ମର ସେଡ୍ ବା ଛାତ । ଅଘଟଣ ପରେ ରେଲୱେ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ବର୍ତ୍ତମାନ ପର୍ଯ୍ୟନ୍ତ କେହି ବି ମୃତାହତ ହୋଇନଥିବା ଜଣାପଡ଼ିଛି । ସେଡ୍ ଭୁଶୁଡ଼ିବା ପରେ ୧ ନମ୍ବର ପ୍ଲାଟଫର୍ମରୁ ଯାତ୍ରୀଙ୍କୁ ହଟାଇ ନିଆଯିବା ସହ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି ।
୧ ନମ୍ବର ପ୍ଲାଟଫର୍ମର ସେଡ୍ ଅପରାହ୍ଣ ସାଢ଼େ ୩ଟା ସମୟରେ ଭୁଶୁଡ଼ି ପଡ଼ିଛି । ପ୍ଲାଟଫର୍ମ ସେଡ୍ ଭୁଶୁଡ଼ିବାର ଠିକ୍ ୧୨ ମିନିଟ୍ ପୂର୍ବରୁ ପୁରୀ-ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସ୍ (22896) ସେହି ୧ ନମ୍ବର ପ୍ଲାଟଫର୍ମ ଦେଇ ଯାଇଥିଲା । ବନ୍ଦେ ଭାରତ ଏକ୍ସପ୍ରେସ୍ ଯିବାର ଠିକ୍ ପରେ ପରେ ହିଁ ଭୁଶୁଡ଼ି ପଡ଼ିଥିଲା ପ୍ଲାଟଫର୍ମର ସେଡ୍ ।
ତେବେ ଷ୍ଟେସନର ନବୀକରଣ କାର୍ଯ୍ୟ ଜାରି ରହିଥିବାରୁ କର୍ତ୍ତୃପକ୍ଷ ସତର୍କ ପଦକ୍ଷେପ ନେଇଥିଲେ । କାମ ଚାଲିଥିବାରୁ ସେଠାରେ ବ୍ୟାରିକେଡିଂ କରାଯାଇ ଫୁଟ୍ ଓଭର ବ୍ରିଜ୍ ବ୍ୟବହାର କରିବାକୁ ଯାତ୍ରୀଙ୍କୁ ସଚେତନ କରାଇଥିଲା ରେଲୱେ । ଫଳରେ ନବୀକରଣ ବେଳେ ପ୍ଲାଟଫର୍ମ ସେଡ୍ ଭୁଶୁଡ଼ିବା ଫଳରେ କେହି ଯାତ୍ରୀ ଆହତ ହୋଇ ନଥିବା ଜଣାପଡ଼ିଛି ।
📱 Get Argus News App
✨
ରେଲୱେ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରଖାଯାଇଥିବା ବେଳେ ବର୍ତ୍ତମାନ ପାଇଁ ୧ ନମ୍ବର ଓ ୨ ନମ୍ବର ପ୍ଲାଟଫର୍ମକୁ ଯାତ୍ରୀମାନଙ୍କ ପାଇଁ ବନ୍ଦ ରଖାଯାଇଛି । କଟକ ରେଲୱେ ଷ୍ଟେସନ ଦେଇ ଯିବାକୁ ଥିବା କେତକ ଟ୍ରେନ୍କୁ ଅନ୍ୟ ରାସ୍ତା ଦେଇ ଡାଇଭର୍ଟ କରାଯାଇଥିବା ସୂଚନା ମିଳିଛି ।