Bhitarkanika Closed / ବାତ୍ୟା ‘ଅକଭାନ’କୁ ନେଇ ବଢ଼ୁଛି ଚିନ୍ତା... ୩ ଦିନ ପାଇଁ ଭିତରକନିକା ବନ୍ଦ

Key Points
୩ ଦିନ ପାଇଁ ଭିତରକନିକା ବନ୍ଦ
ସମ୍ଭାବ୍ୟ ବାତ୍ୟା ‘ଅକଭାନ’କୁ ନେଇ ଓଡ଼ିଶାରେ ବଢ଼ିଛି ଚିନ୍ତା । ବାତ୍ୟାର ଗତିପଥ ବଦଳୁଥିବାରୁ ରାଜ୍ୟର ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ସତର୍କତା ଜାରି ହୋଇଛି । ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ଭିତରକନିକାକୁ ତିନିଦିନ ପାଇଁ ବନ୍ଦ ଘୋଷଣା କରାଯାଇଛି । ସେହିପରି ପୁରୀ ବେଳାଭୂମିରେ ମଧ୍ୟ ପ୍ରଶାସନ ପକ୍ଷରୁ କଟକଣା ଲଗାଯାଇଛି ।
ରାଜନଗର ବନଖଣ୍ଡ ଅଧିକାରୀଙ୍କ ସୂଚନା ଅନୁଯାୟୀ, ନଭେମ୍ବର ୧୯ରୁ ୨୧ ତାରିଖ ପର୍ଯ୍ୟନ୍ତ ଭିତରକନିକା ଜାତୀୟ ଉଦ୍ୟାନ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ । ବାତ୍ୟା ଯୋଗୁଁ ନୌଯାତ୍ରା ଉପରେ ମଧ୍ୟ ରୋକ୍ ଲଗାଯାଇଛି । ଏହା ସହିତ ରାତ୍ରିଯାପନ ପାଇଁ ପୂର୍ବରୁ କରାଯାଇଥିବା ସମସ୍ତ ବୁକିଂ ବାତିଲ କରାଯାଇଛି ।
ବଦଳୁଛି ବାତ୍ୟାର ଗତିପଥ
ଭାରତୀୟ ପାଣିପାଗ ବିଭାଗ (IMD)ର ନୂଆ ଆକଳନ ଅନୁଯାୟୀ, ବାତ୍ୟା ‘ଅକଭାନ’ ଘଣ୍ଟା ପ୍ରତି ପ୍ରାୟ ୧୨ କିଲୋମିଟର ବେଗରେ ଉପକୂଳ ଆଡ଼କୁ ମୁହାଁଉଛି । ଏହା କଳିଙ୍ଗପାଟନମଠାରୁ ୪୪୦ କିମି, ଗୋପାଳପୁରଠାରୁ ୫୩୦ କିମି ଏବଂ ପୁରୀଠାରୁ ୫୯୦ କିମି ଦୂରରେ ରହିଥିବା ସୂଚନା ମିଳିଛି । ନୂଆ ଆକଳନ ଅନୁସାରେ, ଗଞ୍ଜାମ ଜିଲ୍ଲାର ଗୋପାଳପୁର ନିକଟରେ ବାତ୍ୟା ସ୍ଥଳଭାଗ ଛୁଇଁପାରେ । ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୭୫ କିମି ରହିବା ନେଇ ଆକଳନ କରାଯାଇଛି ।
ବାତ୍ୟାର ପ୍ରଭାବରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, କଟକ, ନୟାଗଡ଼ ଓ ଗଞ୍ଜାମ ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି ହୋଇଛି ।
ପୁରୀ ବେଳାଭୂମିରେ ସମୁଦ୍ର ସ୍ନାନ ମନା
ବାତ୍ୟାକୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବେଳାଭୂମି ସେକ୍ଟରରେ ନାଲି ପତାକା ଲଗାଯାଇଛି । ସମୁଦ୍ର ସ୍ନାନ ସମ୍ପୂର୍ଣ୍ଣ ନିଷେଧ କରାଯିବା ସହ ସମୁଦ୍ର କୂଳରେ ବୁଲାବୁଲି ଉପରେ ମଧ୍ୟ କଟକଣା ଲଗାଯାଇଛି ।
ପର୍ଯ୍ୟଟକଙ୍କୁ ଏନଡିଆରଏଫ୍ ଟିମ୍ ଓ ପ୍ରଶାସନ ପକ୍ଷରୁ ସଚେତନ କରାଯାଉଛି। ସମୁଦ୍ର କୂଳରେ ଥିବା ଉଠାଦୋକାନୀଙ୍କୁ ମଧ୍ୟ ସୁରକ୍ଷିତ ସ୍ଥାନକୁ ଦୋକାନ ସ୍ଥାନାନ୍ତର କରିବାକୁ ପରାମର୍ଶ ଦିଆଯାଇଛି । ବାତ୍ୟାର ସମ୍ଭାବ୍ୟ ବିପଦକୁ ଦୃଷ୍ଟିରେ ରଖି ସମସ୍ତଙ୍କୁ ସତର୍କ ଓ ସୁରକ୍ଷିତ ରହିବାକୁ ପ୍ରଶାସନ ଅନୁରୋଧ କରିଛି ।
📱 Get Argus News App
✨Related Topics
Explore more stories