Cyclone Alert / ‘ଅକ୍ବାନ’ ମୁକାବିଲା ପାଇଁ ଓଡ଼ିଶା ସରକାରଙ୍କ ବ୍ୟାପକ ପ୍ରସ୍ତୁତି, ୨ ଲକ୍ଷରୁ ଅଧିକ ଲୋକଙ୍କ ହେବ ସ୍ଥାନାନ୍ତର

Key Points
ଗଞ୍ଜାମରେ ସର୍ବାଧିକ ୧ ଲକ୍ଷ ୨୧ ହଜାର ଲୋକଙ୍କୁ ସ୍ଥାନାନ୍ତର ଲକ୍ଷ୍ୟ
୮ ଜିଲ୍ଲାର ୮୭ ବ୍ଲକ୍ ଓ ୧,୯୦୨ଟି ସମ୍ବେଦନଶୀଳ ସ୍ଥାନ ଚିହ୍ନଟ
ସମ୍ଭାବ୍ୟ ସାମୁଦ୍ରିକ ଝଡ଼ ‘ଅକ୍ବାନ’କୁ ମୁକାବିଲା କରିବା ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ବାତ୍ୟାର ସମ୍ଭାବ୍ୟ ପ୍ରଭାବକୁ ଦୃଷ୍ଟିରେ ରଖି ଜନଜୀବନ ଓ ଧନସମ୍ପତ୍ତିର ସୁରକ୍ଷା ପାଇଁ ଆଗୁଆ ପଦକ୍ଷେପ ନିଆଯାଉଛି । ରାଜ୍ୟର ୮ଟି ଜିଲ୍ଲାର ୮୭ଟି ବ୍ଲକ୍ ଏବଂ ୧,୯୦୨ଟି ସମ୍ବେଦନଶୀଳ ସ୍ଥାନକୁ ଚିହ୍ନଟ କରାଯାଇଛି । ଏହି ଅଞ୍ଚଳରୁ ୨ ଲକ୍ଷରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ଯୋଜନା ହୋଇଛି ।
ବାତ୍ୟା ମୁକାବିଲା ପାଇଁ ଉଦ୍ଧାରକାରୀ ଦଳ, ଅଗ୍ନିଶମ ବାହିନୀ ଏବଂ ଜରୁରୀକାଳୀନ ସେବାକୁ ସଜାଗ ରଖାଯାଇଛି । ମୋଟ ୭୪ଟି ଓଡ୍ରାଫ୍ ଓ ଏନ୍ଡିଆର୍ଏଫ୍ ଟିମ୍ ମୁତୟନ ପାଇଁ ପ୍ରସ୍ତୁତ ରହିଛନ୍ତି । ଏଥିସହ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ନଯିବା ପାଇଁ ସତର୍କ କରାଯାଇଛି ।
ସ୍ଥାନାନ୍ତର ଯୋଜନା ଅନୁଯାୟୀ, ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୧ ଲକ୍ଷ ୨୧ ହଜାର ୫୯୭ ଜଣଙ୍କୁ ସ୍ଥାନାନ୍ତର କରିବାର ଆକଳନ କରାଯାଇଛି । ସେହିପରି ଗଜପତିରୁ ୨୫ ହଜାର, ପୁରୀରୁ ୨୪ ହଜାର ୭୬ ଜଣ, କନ୍ଧମାଳରୁ ୧୦ ହଜାର ୨୪୦ ଜଣ ଏବଂ ମାଲକାନଗିରିରୁ ୧୦ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବାକୁ ଯୋଜନା ରହିଛି ।
ଅନ୍ୟପକ୍ଷରେ ୮ଟି ଜିଲ୍ଲାରେ ମୋଟ ୩ ହଜାର ୩୨୯ଟି ବାତ୍ୟା ଆଶ୍ରୟସ୍ଥଳୀ ଚିହ୍ନଟ ହୋଇଛି । ସେଥିମଧ୍ୟରୁ ୪ଟି ଆଶ୍ରୟସ୍ଥଳୀ କାର୍ଯ୍ୟକ୍ଷମ ହୋଇସାରିଥିବା ବେଳେ ସେଠାରେ ୨୭୬ ଜଣ ଲୋକ ଆଶ୍ରୟ ନେଇଛନ୍ତି । ଆଶ୍ରୟସ୍ଥଳୀଗୁଡ଼ିକରେ ଖାଦ୍ୟ, ବିଶୁଦ୍ଧ ପାନୀୟ ଜଳ, ପରିମଳ, ଆଲୋକ, ଚିକିତ୍ସା ସହାୟତା ଏବଂ ବିକଳ୍ପ ବିଦ୍ୟୁତ୍ ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ଉଦ୍ଧାରକାରୀ ଦଳ ମୁତୟନ କ୍ଷେତ୍ରରେ ଗଞ୍ଜାମ ଜିଲ୍ଲାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି । ଏଠାରେ ୧୫ଟି ଟିମ୍ ମୁତୟନ ପାଇଁ ଯୋଜନା ରହିଛି । ଏଥିରେ ୧୨ଟି ଓଡ୍ରାଫ୍ ଓ ୩ଟି ଏନ୍ଡିଆର୍ଏଫ୍ ଟିମ୍ ରହିବେ । ଗଜପତି ଜିଲ୍ଲାରେ ୭ଟି ଟିମ୍ ମଧ୍ୟରୁ ୬ଟି ଓଡ୍ରାଫ୍ ଓ ଗୋଟିଏ ଏନ୍ଡିଆର୍ଏଫ୍ ଟିମ୍ ମୁତୟନ ହେବେ ।
ସେହିପରି କନ୍ଧମାଳ, ରାୟଗଡ଼ା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ପୁରୀ, ବାଲେଶ୍ୱର ଓ ଜଗତସିଂହପୁର ଜିଲ୍ଲାରେ ମଧ୍ୟ ଉଦ୍ଧାରକାରୀ ଦଳ ମୁତୟନ ପାଇଁ ଯୋଜନା ହୋଇଛି ।
ଏହା ସହିତ ଜରୁରୀକାଳୀନ ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ଼ କରିବା, ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରଖିବା ଏବଂ ବିପଦସଂକୁଳ ଅଞ୍ଚଳରୁ ଲୋକଙ୍କୁ ଠିକ୍ ସମୟରେ ସ୍ଥାନାନ୍ତର କରିବା ଉପରେ ସରକାର ଗୁରୁତ୍ୱ ଦେଇଛନ୍ତି । ସାମୁଦ୍ରିକ ଝଡ଼ର ସମ୍ଭାବ୍ୟ ବିପଦକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସତର୍କତା ଓ ପ୍ରସ୍ତୁତି ଜାରି ରହିଛି ।
📱 Get Argus News App
✨Related Topics
Explore more stories