Videos
|
Odisha

Mobile Showroom Loot / ବାତ୍ୟାର ସୁଯୋଗ ନେଇ ମୋବାଇଲ୍ ଶୋ’ରୁମ୍‌ରୁ ୨୦ ଲକ୍ଷ ଟଙ୍କାର ଫୋନ୍ ଲୁଟ୍

Rashmita Mishra
Browse all articles by Rashmita Mishra
·38 mins ago·2 min read
ବାତ୍ୟାର ସୁଯୋଗ ନେଇ ମୋବାଇଲ୍ ଶୋ’ରୁମ୍‌ରୁ ୨୦ ଲକ୍ଷ ଟଙ୍କାର ଫୋନ୍ ଲୁଟ୍
Mobile Showroom Loot

Key Points

ବାତ୍ୟା ଆଳରେ ବଡ଼ ଲୁଟ୍ ୨୦ ଲକ୍ଷର ମୋବାଇଲ୍ ଗାଏବ
ମୋବାଇଲ୍ ଶୋ’ରୁମ୍‌ରେ କଳାକନା ବୁଲାଇଲେ ଲୁଟେରା ।
୪୦ଟି ଦାମୀ ମୋବାଇଲ୍ ଲୁଟ୍, CCTV ବି ନେଇଗଲେ । 
ରାଜଧାନୀରେ ଚାଞ୍ଚଲ୍ୟ! ବାତ୍ୟା ରାତିରେ ୨୦ ଲକ୍ଷର ଚୋରି

ବାତ୍ୟାର ସୁଯୋଗ ନେଇ ମୋବାଇଲ୍ ଶୋ’ରୁମ୍‌ରୁ ପ୍ରାୟ ୨୦ ଲକ୍ଷ ଟଙ୍କାର ୪୦ଟି ଦାମୀ ମୋବାଇଲ୍ ଫୋନ୍ ଲୁଟ୍ ହୋଇଥିବା ଘଟଣା ରାଜଧାନୀରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଖଣ୍ଡଗିରି ସ୍ଥିତ ‘ଫୋନ୍ ବାଲା’ ନାମକ ମୋବାଇଲ୍ ଶୋ’ରୁମ୍‌ରେ ଏହି ଲୁଟ୍ ହୋଇଛି । ଲୁଟେରାମାନେ କେବଳ ଦାମୀ ମୋବାଇଲ୍ ଫୋନ୍ ନୁହେଁ, ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ କମ୍ପ୍ୟୁଟର୍ ହାର୍ଡ ଡିସ୍କ, ସିସିଟିଭି କ୍ୟାମେରା ଓ ଡିଭିଆର୍ ମଧ୍ୟ ଖୋଲି ନେଇଛନ୍ତି ।

ସୂଚନା ଅନୁଯାୟୀ, ଶୋ’ରୁମ୍‌ର ମାଲିକ ଜୀବନଜ୍ୟୋତି ବେହେରା ମଙ୍ଗଳବାର ବିଳମ୍ବିତ ରାତିରେ ଦୋକାନ ବନ୍ଦ କରି ଘରକୁ ଫେରିଥିଲେ । ତେବେ ବୁଧବାର ସକାଳେ ଦୋକାନ ଖୋଲିବା ପରେ ସେ ଭିତରର ଦୃଶ୍ୟ ଦେଖି ସ୍ତବ୍ଧ ହୋଇଯାଇଥିଲେ । ଦୋକାନରେ ଥିବା ସମସ୍ତ ନୂଆ ମୋବାଇଲ୍ ଫୋନ୍ ଗାଏବ ହୋଇଯାଇଥିଲା । ଯାଞ୍ଚ କରିବା ପରେ ପ୍ରାୟ ୪୦ଟି ଦାମୀ ମୋବାଇଲ୍ ଫୋନ୍ ଚୋରି ହୋଇଥିବା ଜଣାପଡ଼ିଥିଲା । ଚୋରି ହୋଇଥିବା ମୋବାଇଲ୍‌ଗୁଡ଼ିକର ଆନୁମାନିକ ମୂଲ୍ୟ ପ୍ରାୟ ୨୦ ଲକ୍ଷ ଟଙ୍କା ହେବ ।

ଘଟଣା ପରେ ଦୋକାନ ମାଲିକ ଜୀବନଜ୍ୟୋତି ବେହେରା ଭରତପୁର ଥାନାରେ ପହଞ୍ଚି ଏ ସମ୍ପର୍କରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ବାତ୍ୟା ଯୋଗୁଁ ରାତିରେ ସହରରେ ଜନଶୂନ୍ୟ ପରିବେଶ ଓ ଅନ୍ଧାରର ସୁଯୋଗ ନେଇ ଦୁର୍ବୃତ୍ତମାନେ ଏହି ଲୁଟ୍ କରିଥିବା ସନ୍ଦେହ କରାଯାଉଛି । ଲୁଟେରାଙ୍କୁ ଚିହ୍ନଟ କରିବା ପାଇଁ ପୋଲିସ ଆଖପାଖ ଅଞ୍ଚଳର ସିସିଟିଭି ଫୁଟେଜ୍ ଯାଞ୍ଚ କରିବା ସହ ବିଭିନ୍ନ ଦିଗରୁ ଛାନ୍‌ଭିନ୍ ଜାରି ରଖିଛି । ଏହି ଘଟଣାରେ ସମ୍ପୃକ୍ତ ଲୁଟେରାମାନଙ୍କୁ ଶୀଘ୍ର ଧରିବା ସହ ଚୋରି ସାମଗ୍ରୀ ଉଦ୍ଧାର କରିବା ପୋଲିସ ପାଇଁ ଏବେ ଚ୍ୟାଲେଞ୍ଜ ହୋଇଛି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: