ତାମିଲନାଡୁ ଓ ପୁଦୁଚେରୀରେ ଫେଙ୍ଗାଲ ପ୍ରଭାବ; ବଢୁଛି ଭୂସ୍ଖଳନ ବିପତ୍ତି

ଅର୍ଗସ ବ୍ୟୁରୋ: ବାତ୍ୟା ପରେ ବଢୁଛି ଭୂସ୍ଖଳନ ବିପତ୍ତି । ତାମିଲନାଡୁ ଓ ପୁଦୁଚେରୀରେ ଫେଙ୍ଗାଲ ପ୍ରଭାବରେ ତୁହାକୁ ତୁହା ବର୍ଷା ସାଙ୍ଗକୁ ବିଭିନ୍ନ ସ୍ଥାନରେ ଭୂସ୍ଖଳନକୁ ନେଇ ବଢିଛି ଚିନ୍ତା । ଗତକାଲି ରାତିରେ ତିରୁବନ୍ନାମଲାଇ ଜିଲ୍ଲାରେ ଭୂସ୍ଖଳନ ଦୁଇ ପରିବାରର 7 ଜଣ ମାଟି ତଳେ ପୋତି ହୋଇଥିବା ସୂଚନା ମିଳିଥିଲା । ସେମାନଙ୍କ ମଧ୍ୟରୁ 4 ଜଣଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୃତକଙ୍କ ପରିବାରକୁ 5 ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ତାମିଲନାଡୁ ସରକାର ।
ପୋଲିସ, ଏସ୍ଡିଆର୍ଏଫ୍ ଓ ଏନ୍ଡିଆର୍ଏଫ୍ ଟିମ୍ ମାଟି ତଳେ ଦବି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି । ବାତ୍ୟା ଫେଙ୍ଗଲ ପ୍ରଭାବରେ ପୁଦୁଚେରୀରେ ଘଣ୍ଟାପ୍ରତି 80ରୁ 90 କିଲୋମିଟର ବେଗରେ ପବନ ବହିଥିଲା । ଏହା ସହିତ ପୁଡୁଚେରୀରେ ବର୍ଷା ପରିମାଣ ଗତ ୩୦ ବର୍ଷର ରେକର୍ଡ ଭାଙ୍ଗିଛି । ପ୍ରବଳ ବର୍ଷା ଯୋଗୁ ସାଧାରଣ ଜନଜୀବନ ବ୍ୟାହତ ହୋଇଛି । ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷା ଲାଗିରହିଥିବାରୁ ଉତ୍ତର ତାମିଲନାଡୁ ଓ ପୁଦୁଚେରୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଚେନ୍ନାଇରେ ବିଦ୍ୟୁତ ଆଘାତରେ ଶନିବାର ୩ ଜଣଙ୍କର ମୃତ୍ୟୁ ଘଟିଥିବା ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା ।