Cyclone Montha / ମାଡ଼ି ଆସୁଛି ମୋନ୍ଥା, ଗଞ୍ଜାମ-ଗଜପତିରେ କରିବ ତାଣ୍ଡବ !

Key Points
ଆନ୍ଧ୍ରପ୍ରଦେଶରେ ହେବ ଲ୍ୟାଣ୍ଡଫଲ୍, ଓଡ଼ିଶାରେ ପଡ଼ିବ ପ୍ରଭାବ । ପାଣିପାଗ ବିଭାଗର ସୂଚନା ଅନୁସାରେ ୩ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । କାଲି ପାଇଁ ୫ ଜିଲ୍ଲାକୁ ରେଡ୍, ୧୧ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ଗଜପତିରେ ୧୩୯ଟି ଭୂସ୍ଖଳନ ପ୍ରବଣ ଅଞ୍ଚଳ ଚିହ୍ନଟ ହୋଇଛି । ସେପଟେ ଚାଷୀଙ୍କ ଭିତରେ ବାତ୍ୟାକୁ ନେଇ ଛନକା ପଶିଛି । ଭୟରେ ଅଧା ପାଚିଲା ଫସଲ ଅମଳ କରିଛନ୍ତି ଚାଷୀ । ବିପଦସଂକୁଳ ସ୍ଥାନରୁ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ବାତ୍ୟା ମୋନ୍ଥା ଆସିବା ପୂର୍ବରୁ ପ୍ରଶାସନ ପକ୍ଷରୁ ମାଇକରେ ସତର୍କ କରାଯାଉଛି । କିଛି ଜିଲ୍ଲାରେ ଆରମ୍ଭ ହୋଇଗଲାଣି ଘଡ଼ଘଡ଼ି ପବନ ସହ ବର୍ଷା ।
ଆଗାମୀ ୨୪ ଘଣ୍ଟା ପାଇଁ ଗଂଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏସବୁ ଜିଲ୍ଲାକୁ ଜାରି ହୋଇଛି ଅରେଞ୍ଜ ଆଲର୍ଟ । ଏସବୁ ଜିଲ୍ଲାରେ ୪୦-୫୦ କିଲୋମିଟର ପ୍ରତି ଘଣ୍ଟା ବେଗରେ ପବନ ଓ ଝଟକା ପବନ ୬୦ କିମି ପ୍ରତି ଘଣ୍ଟାରେ ରହିବ ।
ମଙ୍ଗଳବାର ବାତ୍ୟା ଲ୍ୟାଣ୍ଡଫଲ୍ କରିବାକୁ ଥିବା ବେଳେ ଓଡ଼ିଶାରେ କିଛି ଜିଲ୍ଲାରେ ଭୀଷଣ ବର୍ଷା ହେବାର ସମ୍ଭାବନା ରହିଛି । ୨୮ ତାରିଖ ପାଇଁ ଗଞ୍ଜାମ, ଗଜପତି, ରାୟଗଡା, ମାଲକାନଗିରି ଓ କୋରାପୁଟକୁ ରେଡ୍ ଆଲର୍ଟ ଜାରି କରାଯାଇଛି । ସେହିପରି ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୟାଗଡ଼, ପୁରୀ, ଖୋର୍ଦ୍ଧା, ବୌଦ୍ଧ, ସୋନପୁର, ବଲାଙ୍ଗୀର, ନୂଆପଡ଼ା ଓ ବରଗଡ଼ ଜିଲ୍ଲା ଅରେଞ୍ଜ ଆଲର୍ଟରେ ରହିଛି ।
୨୯ ତାରିଖ ପାଇଁ ମଧ୍ୟ ମାଲକାନଗିରି, ରାୟଗଡ଼ା, କୋରାପୁଟ, କଳାହାଣ୍ଡି ଓ ନବରଙ୍ଗପୁରରେ ଭୀଷଣ ବର୍ଷା ନେଇ ରେଡ୍ ଆଲର୍ଟ ଜାରି ହୋଇଛି । ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ, ସୋନପୁର, ସମ୍ବଲପୁର, ବରଗଡ଼, ବଲାଙ୍ଗିର ଓ ନୂଆପଡ଼ାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି ହୋଇଛି । ସେହିପରି ୩୦ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର କୂଳକୁ ଯିବାକୁ ମନା କରାଯାଇଛି । ବନ୍ଦରଗୁଡିକ ପାଇଁ ୨ ନମ୍ବର ବିପଦ ସଂକେତ ଜାରି ହୋଇଛି । ଭୂସ୍ଖଳନ ଭୟ ରହିଥିବାରୁ ତଳୁଆ ଅଞ୍ଚଳର ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।
ସେପଟେ ବାତ୍ୟା ପାଇଁ ପ୍ରସ୍ତୁତ ରହିଛି ବାତ୍ୟା ଆଶ୍ରୟସ୍ଥଳୀ । ଗଜପତି ଜିଲ୍ଲାର ୯୪୦ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି । ଆହୁରି ଲୋକଙ୍କୁ ସ୍ଥାନାନ୍ତର କରାଯିବ ବୋଲି ସୂଚନା ମିଳିଛି । ଜିଲ୍ଲାରେ ୧୩୯ଟି ଭୂସ୍ଖଳନ ପ୍ରବଣ ଅଞ୍ଚଳ ଚିହ୍ନଟ କରାଯାଇଥିବା ବେଳେ ସେଠାକାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଯିବା ପାଇଁ ମାଇକ ଦ୍ୱାରା ନିବେଦନ କରାଯାଉଛି ବୋଲି ଜିଲ୍ଲାପାଳ କହିଛନ୍ତି।
ସେହିପରି ରାୟଗଡ଼ା ଜିଲ୍ଲାରେ ୯୭ଜଣ ଗର୍ଭବତୀଙ୍କୁ ମା ଗୃହକୁ ସ୍ଥାନାନ୍ତରଣ କରାଯାଇଛି। ଗଞ୍ଜାମ ଜିଲ୍ଲା ପାତ୍ରପୁରରେ ୩୦୦ ଲୋକଙ୍କୁ କରାଗଯାଇଛି ସ୍ଥାନାନ୍ତର । ବୁରାତାଲ, ତୁମ୍ବା ଏବଂ ଆଙ୍କୁଲି ପଂଚାୟତର ୪୨ଟି ଗାଁର ପ୍ରାୟ ୩୦୦ ଲୋକଙ୍କୁ କରାଯାଇଛି ସ୍ଥାନାନ୍ତର ।
ଅନ୍ୟପଟେ ବାତ୍ୟା ମୋନ୍ଥାକୁ ନେଇ ଚାଷୀ ତତ୍ପର, ପାଚିଲା ଧାନକୁ ଅମଳ କରୁଛି ଚାଷୀ । ବାତ୍ୟା ମୋନ୍ଥା ନେଇ ନୂଆପଡ଼ା ଜିଲ୍ଲା ସିନାପାଲିରେ ଜମିରୁ ପାଚିଲା ଧାନକୁ ମେସିନରେ କାଟି ଘରକୁ ନେଉଛି ଚାଷୀ ।
ବାତ୍ୟା ମୋନ୍ଥାକୁ ନେଇ ସତର୍କ ରହିଛି ପୁରୀ ଜିଲ୍ଲା ପ୍ରଶାସନ । ପୁରୀରେ ୩ ଦିନ ପାଇଁ ସମୁଦ୍ର ସ୍ନାନ ଉପରେ ପର୍ଯ୍ୟଟକଙ୍କ ପାଇଁ କଟକଣା ଲାଗିଥିବା ବେଳେ ଏହାର ସିଧାସଳଖ ଉଲଙ୍ଘନ ସୋମବାର ଦେଖିବାକୁ ମିଳିଛି । ବେଳାଭୂମିରେ ଲାଇଫଗାର୍ଡ ଓ ଅଗ୍ନିଶମ ବିଭାଗ ଅଧିକାରୀମାନେ ମୁତୟନ ହୋଇଛନ୍ତି ।
📱 Get Argus News App
✨Related Topics
Explore more stories