Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Cyclone Montha / ବାତ୍ୟା ମୋନ୍ଥାକୁ ନେଇ ଶେଷ ମୁହୁର୍ତ୍ତରେ ଆସିପାରେ ଟ୍ୱିଷ୍ଟ ! ଜାଣନ୍ତୁ...

Satyendu Sekhar Mishra
Browse all articles by Satyendu Sekhar Mishra
·8 months ago·3 min read
ବାତ୍ୟା ମୋନ୍ଥାକୁ ନେଇ ଶେଷ ମୁହୁର୍ତ୍ତରେ ଆସିପାରେ ଟ୍ୱିଷ୍ଟ ! ଜାଣନ୍ତୁ...

Key Points

୩ ଦିନ ଯାଏଁ ପୁରୀ ସମୁଦ୍ରରେ ସ୍ନାନ କରିବାକୁ ମନା କରାଯାଇଛି ।
ସମ୍ଭାବ୍ୟ ବାତ୍ୟାକୁ ନଜରରେ ରଖି ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ବଡ଼ ନିଷ୍ପତ୍ତି ନିଆଯାଇଛି।
୨୭, ୨୮, ୨୯ ତିନିଦିନ ଧରି ସମୁଦ୍ର ସ୍ନାନ ମନା ।

ମାଡ଼ି ଆସୁଛି ସମ୍ଭାବ୍ୟ 'ବାତ୍ୟା' । ବଳ ଗୋଟାଇ ଆନ୍ଧ୍ର ଉପକୂଳମୁହାଁ ହେଉଛି । ଏଥିସହ ଗତିପଥ ନେଇ ମିଳିଛି ବଡ଼ ସୂଚନା । ପାଣିପାଗ ବିଭାଗର ତଥ୍ୟ ଅନୁସାରେ ବଙ୍ଗୋପସାଗରରେ ସୃଷ୍ଟ ଅବପାତ ରବିବାର ଗଭୀର ଅବପାତରେ ପରିଣତ ହେବ । ୨୭ ତାରିଖରେ ବାତ୍ୟା ଓ ୨୮ରେ ସିଭିୟର୍ ସାଇକ୍ଲୋନର ରୂପ ନେଇପାରେ । ଆନ୍ଧ୍ରପ୍ରଦେଶ ଉପକୂଳ କଳିଙ୍ଗପଟ୍ଟନମ୍ ଓ ମଚ୍ଛଲିପଟ୍ଟନମ୍ ମଧ୍ୟରେ କାକିନାଡ଼ା ପାଖାପାଖି ବାତ୍ୟା ଲ୍ୟାଣ୍ଡଫଲ୍ କରିବାର ସମ୍ଭାବନା ରହିଛି ।

୧୫ ଜିଲ୍ଲାକୁ ହାଇଆଲର୍ଟ

୨୮ ତାରିଖ ସନ୍ଧ୍ୟା ଓ ରାତ୍ରି ମଧ୍ୟରେ ଏହା ସ୍ଥଳଭାଗ ଛୁଇଁପାରେ । ପବନର ବେଗ ରହିପାରେ ଘଣ୍ଟା ପ୍ରତି ୯୦ରୁ ୧୧୦ କିଲୋମିଟର । ବାତ୍ୟା ପ୍ରଭାବରେ ଆସନ୍ତାକାଲି ଠାରୁ ଓଡ଼ିଶାରେ ବର୍ଷା ଆରମ୍ଭ ହେବ। ୩ ଦିନ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ୨୮ ଓ ୨୯ ତାରିଖରେ ବର୍ଷା ସହ ଝଟକା ପବନ ବୋହିବ । ଦକ୍ଷିଣ ଓ ଉପକୂଳ ଓଡ଼ିଶାର ୧୫ ଜିଲ୍ଲାରେ ଅଧିକ ପ୍ରଭାବ ପଡ଼ିପାରେ ।

ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି ଜିଲ୍ଲା ଅଧିକ ପ୍ରଭାବିତ ହେବ । ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ନୟାଗଡ଼, କଟକ, ଖୋର୍ଦ୍ଧା ଜିଲ୍ଲାରେ ବି ପ୍ରଭାବ ପଡ଼ିବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ମାଲକାନଗିରି ଓ କୋରାପୁଟରେ ଭୀଷଣ ବର୍ଷା ହେବାର ସମ୍ଭାବନା ରହିଛି ।

ଅଶାନ୍ତ ରହିବ ସମୁଦ୍ର

ସେପଟେ ଦିଗ ବଦଳାଇପାରେ ସମ୍ଭାବ୍ୟ ବାତ୍ୟା 'ମୋନ୍ଥା' । ମୁକାବିଲା ପାଇଁ ଆଲର୍ଟରେ ରହିଛନ୍ତି ରାଜ୍ୟ ସରକାର । ବାତ୍ୟା ପ୍ରଭାବରେ ଅଶାନ୍ତ ରହିବ ସମୁଦ୍ର। ଏଥିପାଇଁ ସମସ୍ତ ବନ୍ଦରରେ ୩ ନଂ ବିପଦ ସଙ୍କେତ ଜାରି କରାଯାଇଛି। ୨୬ରୁ ୩୦ ପର୍ଯ୍ୟନ୍ତ ସମୁଦ୍ର ଭିତରକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି । କୋଷ୍ଟଗାର୍ଡ ସମୁଦ୍ରରେ ପଇଁତରା ମାରୁଛନ୍ତି । ସମୁଦ୍ର ଭିତରେ ଥିବା ମତ୍ସ୍ୟଜୀବୀମାନଙ୍କୁ କୂଳକୁ ଫେରିବାକୁ ନିର୍ଦ୍ଦେଶ ଦିଆଯାଉଛି ।

ଶେଷ ମୁହୁର୍ତ୍ତରେ କରିପାରେ ଓଡ଼ିଶାରେ ଏଣ୍ଟ୍ରି

ଆନ୍ଧ୍ର ମୁହାଁ ହେଉଛି ସମ୍ଭାବ୍ୟ ବାତ୍ୟା । କିନ୍ତୁ ଆଶଙ୍କା କରାଯାଉଛି ଶେଷ ସମୟରେ ଏହା ଗତି ବି ବଦଳାଇପାରେ। ଅର୍ଥାତ୍ ଓଡ଼ିଶାରେ ଯେ ବାତ୍ୟା ମାଡ଼ ହେବ ନାହିଁ ସେ ସମ୍ଭାବନାକୁ ବି ଏଡ଼ାଇ ହେବ ନାହିଁ । ଏଣୁ ରାଜ୍ୟର ସବୁ ଜିଲ୍ଲା ପାଇଁ ତୟାର ଅଛନ୍ତି ସରକାର । ବ୍ଳକରୁ ପଞ୍ଚାୟତ ଯାଏଁ ସତର୍କତା ମୂଳକ ପଦକ୍ଷେପ ନିଆଯାଉଛି । ଆଲର୍ଟ ରହିବାକୁ ସ୍ବାସ୍ଥ୍ୟ, କୃଷି, ଶକ୍ତି ଓ ସମବାୟ ବିଭାଗକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି ।

ଛାନିଆ ଚାଷୀ

ବାତ୍ୟାକୁ ନେଇ ଚାଷୀଙ୍କ ମନରେ ଛନକା ପଶିଛି । ବିଲରୁ ଅଧା ପାଚିଲା ଧାନ କାଟି ଆଣୁଛନ୍ତି । ବାତ୍ୟା ମୁକାବିଲା ପାଇଁ ସମୀକ୍ଷା ବୈଠକ କରିଛନ୍ତି ରାଜସ୍ବ ମନ୍ତ୍ରୀ । ସ୍କୁଲ ଛୁଟି ନେଇ ରବିବାର ନିଷ୍ପତ୍ତି ନିଆଯିବ । ଦିଗ ପରିବର୍ତ୍ତନ ହେଲେ ୩୦ ଜିଲ୍ଲା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି ।

ଛୁଟି ବାତିଲ

ସମ୍ଭାବ୍ୟ ବାତ୍ୟା ପାଇଁ ୮ଟି ଜିଲ୍ଲାରେ ୩୦ ତାରିଖ ଯାଏଁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ୨୭ରୁ ୩୦ ତାରିଖ ପର୍ଯ୍ୟନ୍ତ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ସେହିପରି ପୁରୀ, ଗଞ୍ଜାମ, ଗଜପତି, ରାୟଗଡ଼ା, ମାଲକାନାଗିରିରେ ମଧ୍ୟ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି ।

ପୁରୀ ସମୁଦ୍ରକୁ ମନା

୩ ଦିନ ଯାଏଁ ପୁରୀ ସମୁଦ୍ରରେ ସ୍ନାନ କରିବାକୁ ମନା କରାଯାଇଛି । ସମ୍ଭାବ୍ୟ ବାତ୍ୟାକୁ ନଜରରେ ରଖି ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ବଡ଼ ନିଷ୍ପତ୍ତି ନିଆଯାଇଛି। ୨୭, ୨୮, ୨୯ ତିନିଦିନ ଧରି ସମୁଦ୍ର ସ୍ନାନ ମନା । ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ଅମାନିଆ ହୋଇ ସମୁଦ୍ରରେ ସ୍ନାନ କଲେ ଆଇନ ଅନୁଯାୟୀ କଡ଼ା ଆକ୍ସନ ନିଆଯିବ । ବାତ୍ୟାର ପ୍ରକୋପ ବଢ଼ିଲେ ପର୍ଯ୍ୟଟକଙ୍କୁ ସମୁଦ୍ର ବାଲିକୁ ମଧ୍ୟ ଛଡ଼ାଯିବ ନାହିଁ । ପୁରୀ ଅଗ୍ନିଶମ ବିଭାଗ ଅଧିକାରୀ ପ୍ରଭାତ କୁମାର ରାଉତ ଏନେଇ ସୂଚନା ଦେଇଛନ୍ତି।

ନୂଆପଡ଼ା ପ୍ରଚାରକୁ ଯିବେନି ସୁରେଶ ପୁଜାରୀ

ସମ୍ଭାବ୍ୟ ବାତ୍ୟା 'ମୋନ୍ଥା' କୁ ଦୃଷ୍ଟିରେ ରଖି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ନିଜର ସମସ୍ତ ଗସ୍ତ କାର୍ଯ୍ୟକ୍ରମକୁ ବାତିଲ କରିଛନ୍ତି । ଉପନିର୍ବାଚନ ପାଇଁ ମନ୍ତ୍ରୀ ସୁରେଶ ପୂଜାରୀ ନିଜର ନୂଆପଡ଼ା ଗସ୍ତ କାର୍ଯ୍ୟକ୍ରମକୁ ମଧ୍ୟ ବାତିଲ କରିଛନ୍ତି । ସେ କହିଛନ୍ତି ବାତ୍ୟା ସଙ୍କଟ ଟଳିଲା ପର୍ଯ୍ୟନ୍ତ ଭୁବନେଶ୍ବର ରାଜୀବ ଭବନ ସ୍ଥିତ ବିପର୍ଯ୍ୟୟ ପରିଚାଳନା ବିଭାଗର କଣ୍ଟ୍ରୋଲ ରୁମ ତାଙ୍କର କାର୍ଯ୍ୟାଳୟ ହେବ । ବାତ୍ୟା ସଙ୍କଟ ଟଳିଲା ପରେ ନୂଆପଡ଼ା ଗସ୍ତ ପ୍ରସଙ୍ଗରେ ପରବର୍ତ୍ତୀ ନିଷ୍ପତ୍ତି ନେବେ ।

ପୁରୀରେ ବାତ୍ୟା ଆତଙ୍କ !

ପୁଣି ଅକ୍ଟୋବର ପୁଣି ବାତ୍ୟା । ପୁରୀ ଜିଲ୍ଲାବାସୀଙ୍କ ମନରେ ଛନକା । ସ୍ଥିତି ଅସ୍ପଷ୍ଟ ଥିବା ସତ୍ତ୍ବେ ବାତ୍ୟା ନା ଶୁଣି ଜିଲ୍ଲାବାସୀ ଆତଙ୍କିତ । ୨୦୧୯ ରେ ବାତ୍ୟା ଫନି କରିଥିଲା ସର୍ବନାଶ । ସରକାରୀ ତଥ୍ୟ ମୁତାବକ ଗତ ୫ ବର୍ଷରେ ଆଶ୍ରୟ ସ୍ଥଳ ମରାମତି ପାଇଁ ୭ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ୫ ବର୍ଷରେ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାରେ ଖର୍ଚ୍ଚ ହୋଇଛି ୧୭୯ କୋଟି ୮୩ ଲକ୍ଷ । ତେବେ ଏବେ ବି ଏକାଧିକ ବାତ୍ୟା ଆଶ୍ରୟସ୍ଥଳୀ ରହିଛି ଅସଜଡ଼ା ଓ ଅବହେଳିତ । ଜିଲ୍ଲାରେ ୧୭୯ ଆଶ୍ରୟ ସ୍ଥଳୀ ରହିଥିବା ବେଳେ ୩୪ ଅତ୍ୟାବଶ୍ୟକ ଉପକରଣ ମହଜୁଦ ରହିବାକୁ ଥିବା ବେଳେ ଅର୍ଗସ କରିଛି ଜିଲ୍ଲାରେ ରିଆଲିଟି ଚେକ୍ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Cyclone Montha | Cyclone Montha May Danger To 15 District | Argus News