Cyclone Montha / ବେଶି ପବନ ହେଲାନି କି ବର୍ଷା ବି ହୋଇନି, କିନ୍ତୁ କ୍ଷତି ଭାରି ଭୟଙ୍କର ! ଥରେ ପଢ଼ନ୍ତୁ...

Key Points
ହେଲେ କୁହାଯାଉଛି ସେଶହି ପଥର ହଟାଇବାକୁ ଆବଶ୍ୟକ ପଡ଼ିପାରେ ବ୍ଲାଷ୍ଟିଂ ।
ରାତି ଅଧରେ ଆନ୍ଧ୍ର ଉପକୂଳରେ ବାତ୍ୟା ଲ୍ୟାଣ୍ଡଫଲ୍ କଲା । କିନ୍ତୁ ଆମ ରାଜ୍ୟରେ ପଡ଼ିଲାନି ସେମିତି ପ୍ରଭାବ । ବର୍ଷା କି ପବନ ସେତେ ବେଶୀ ହେଲାନି । କିନ୍ତୁ ଦକ୍ଷିଣ ଓଡ଼ିଶାରେ ଦେଖାଗଲା ଇଫେକ୍ଟ । ଖାସ୍ କରି ଗଜପତି ଜିଲ୍ଲାରୁ ସାମ୍ନାକୁ ଆସିଲା ଛାତି ଥରାଇବା ଭଳି ଚିତ୍ର । ପାହାଡ଼ରୁ ବଡ଼ ବଡ଼ ପଥର ଖସି, ମାଟି ଧସି ରାସ୍ତା ଅବରୋଧ ହେଲା ।
ଖାଲି ସେତିକି ନୁହେଁ ଗଞ୍ଜାମ ଓ କୋରାପୁଟରୁ ବି ସାମ୍ନାକୁ ଆସିଛି ଚାଷ ଜମି ଜଳମଗ୍ନ ଓ ରାସ୍ତା ଅବରୋଧର ଚିତ୍ର। ରାଜସ୍ବ ମନ୍ତ୍ରୀ କହିଛନ୍ତି ୭୨ ଘଣ୍ଟା ଭିତରେ କ୍ଷୟକ୍ଷତି ରିପୋର୍ଟ ଦେବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ଗଜପତି ଜିଲ୍ଲାରେ ଭୟଙ୍କର ତାଣ୍ଡବ ରଚିଛି ବାତ୍ୟା । ଆର୍. ଉଦୟଗିରି ବ୍ଳକ ଅନଘା ପଞ୍ଚାୟତରୁ ସାମ୍ନାକୁ ଆସିଛି ଭୟଙ୍କର ଦୃଶ୍ୟ । ଯେତିକି ବିପଜ୍ଜନକ ସେତିକି ଚିନ୍ତାଜନକ । ପାହାଡ଼ରୁ ବିରାଟ କାୟ ପଥର ସବୁ ରାସ୍ତା ଉପରେ ଖସିବା ଫଳରେ ପୁରା ଠପ୍ ହୋଇଯାଇଛି ଯାତାୟାତ। ଗଜପତି ଓ ଗଞ୍ଜାମ ଜିଲ୍ଲା ମଧ୍ୟରେ ବିଚ୍ଛିନ୍ନ ହେଲା ଯୋଗାଯୋଗ। ପ୍ରଶାସନ ଓ NDRF ଟିମ୍ ପହଞ୍ଚି ପଥର ହଟାଇବାକୁ କରିଛନ୍ତି ଉଦ୍ୟମ। ହେଲେ କୁହାଯାଉଛି ସେଶହି ପଥର ହଟାଇବାକୁ ଆବଶ୍ୟକ ପଡ଼ିପାରେ ବ୍ଲାଷ୍ଟିଂ ।
ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଏସ୍. କରଡ଼ାସିଂ ପଞ୍ଚାୟତ ବୋଣ୍ଡା ଗାଁ ନିକଟରେ ହୋଇଛି ଭୂସ୍ଖଳନ । ପାହାଡ଼ରୁ ପଥର ଓ ମାଟି ଅତଡ଼ା ଖସି ରାସ୍ତା ଉପରେ ପଡ଼ିଛି । ୫ଟି ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ପ୍ରବଳ ବର୍ଷାରେ ବି ବେହାଲ୍ ହୋଇଛି ଗଜପତି। ଗୋଷାଣି ବ୍ଲକ ସରଧାପୁରୁଠାରୁ ଜଙ୍ଗଲପାଡୁକୁ ସଂଯୋଗ କରୁଥିବା ରାସ୍ତାରେ ଥିବା ପୋଲ ଉପରେ ଚାଲୁଛି ବର୍ଷା ପାଣି ।
ସେହିଭଳି ଗଞ୍ଜାମ ପାତ୍ରପୁରରେ ବର୍ଷା ତାଣ୍ଡବ ଦେଖିବାକୁ ମିଳିଛି । ବୁରାତଲ ପଞ୍ଚାୟତ ଜାମୁଗଣ୍ଡ ନାଳରେ ଆସିଥିବା ପ୍ରଖର ସୁଅରେ ଭାଙ୍ଗିଯାଇଛି କାଠ ପୋଲ । ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି ୮ଟି ଗାଁ । ମୋନ୍ଥା ପ୍ରଭାବରେ ପ୍ରବଳ ବର୍ଷା ହୋଇ ଜଳବନ୍ଦୀ ହୋଇଛି ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକର ବିଭିନ୍ନ ସ୍ଥାନ । ପଦ୍ମତୋଳା ନାଳରେ ପାଣି ପଶି ଶହ ଶହ ଏକର ଚାଷ ଜମି ଜଳମଗ୍ନ ହୋଇଛି ।
ସେପଟେ କେଶରୀପଡ଼ାକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ବୋରିବାଡ ଅଙ୍ଗନୱାଡି କେନ୍ଦ୍ର ଓ ବହୁ ସରକାରୀ ଅଫିସ୍ କ୍ୟାମ୍ପସରେ ଜମି ରହିଛି ପାଣି। ଆଙ୍କୁଲି ପଞ୍ଚାୟତ ତିତିରିସିଙ୍ଗି ନିକଟରେ ମାଟି ଅତଡ଼ା ଖସି ଯାତାୟାତ ବାଧାପ୍ରାପ୍ତ ହୋଇଛି । ସାନଖେମୁଣ୍ଡିରେ ପବନ ଓ ବର୍ଷାରେ କଲରାପଦର ପଞ୍ଚାୟତ ମାଟିଆବୋରାଇ ଗାଁରେ ଭାଙ୍ଗିଛି ଘର କାନ୍ଥ। ଅଳ୍ପକେ ବର୍ତ୍ତି ଯାଇଛନ୍ତି ପରିବାର। ସେମାନେ ଏବେ ଅଙ୍ଗନୱାଡ଼ି କେନ୍ଦ୍ରରେ ନେଇଛନ୍ତି ଆଶ୍ରୟ। ସାନଖେମୁଣ୍ଡିରେ ବି ପ୍ରବଳ ବର୍ଷାରେ ଜଳମଗ୍ନ ହୋଇଛି ଶତାଧିକ ଏକର ଚାଷ ଜମି I ଘୋଡ଼ାହାଡ଼ ଡ୍ୟାମରେ ୨ଟି ଗେଟ୍ ଖୋଲାଯାଇଛି । ଯାହାଫଳରେ ଏମିତି ସ୍ଥିତି ଉପୁଜିଛି ।
ବର୍ଷା ଫଳରେ ଭୂସ୍ଖଳନ ହୋଇ ବିଜୟନଗରମ ଜିଲ୍ଲା ଚିମିଡ଼ି ପାଲି ଓ ବୋରାଗୁହାଲୁ ରେଳ ଷ୍ଟେସନ ମଧ୍ୟରେ ରେଳ ଧାରଣା ଉପରେ ପଡ଼ିଛି ବଡ ବଡ ପଥର । ଆନ୍ଧ୍ର କିରଣ୍ଡୁଲରୁ କୋରାପୁଟ ଓ ବିଜୟନଗରମ କୋତ ୱଲାସା ଷ୍ଟେସନ ମଧ୍ୟରେ ବନ୍ଦ ରହିଛି ରେଳ ଚଳାଚଳ। ପୁଣି କେତେକ ସ୍ଥାନରେ ରେଲୱେ ଟ୍ରାକ୍ ଉପରେ ବର୍ଷା ଜଳ ବି ପ୍ରବାହିତ ହେଉଛି।
କୋରାପୁଟ ପଟ୍ଟାଙ୍ଗି ବ୍ଲକରେ ବାତ୍ୟା ଓ ବର୍ଷା କରିଛି ବ୍ୟାପକ କ୍ଷୟକ୍ଷତି । ବିଶେଷ ପ୍ରଭାବିତ ହୋଇଛି ସୁଙ୍କି, ରାଲେଗାଡ, ପେଟୁର, ଗାଙ୍ଗରାଜପୁର, ସମ୍ବାଇ ଅଞ୍ଚଳ। କେଉଁଠି ଗଛ ଉପୁଡିଛି ତ ଆଉ କେଉଁଠି ମାଟି ଧସି ବାଧାପ୍ରାପ୍ତ ହୋଇଛି ଯାତାୟତ । ପଟ୍ଟାଙ୍ଗି ବ୍ଲକ ଗାଙ୍ଗରାଜପୁରର ସେଟ୍ରାକୁ ସଂଯୋଗ କରୁଥିବା ଗାଁ ନିକଟରେ ରାସ୍ତାରେ ପଡ଼ିଛି ବିରାଟ ଗଛ । ଫଳରେ ରାସ୍ତା ଅବରୋଧ ହୋଇଛି । ନାରାୟଣପାଟଣା ବ୍ଲକ ପୋଡ଼ପଦର ପଂଚାୟତରେ ଗଛ ପଡିବାରୁ ନାରାୟଣପାଟଣା – ତଳଗୁମାଣ୍ଡି ମଧ୍ୟରେ ଯୋଗାଯୋଗ ବ୍ୟାହତ ହୋଇଛି ।
କ୍ଷୟକ୍ଷତିରେ ସମୀକ୍ଷା କରି ରାଜସ୍ବ ମନ୍ତ୍ରୀ କହିଛନ୍ତି ରାଜ୍ୟର ୩୩ ବ୍ଲକ, ୧୧ ସହରାଞ୍ଚଳ ପ୍ରଭାବିତ ହୋଇଛି । ଶୀଘ୍ର ଦିଆଯିବ କ୍ଷତିପୂରଣ । କାଲିଠୁ କ୍ଷୟକ୍ଷତି ଆକଳନ କରି ୭୨ ଘଣ୍ଟାରେ ରିପୋର୍ଟ ଦେବାକୁ ଜିଲ୍ଲାପାଳମାନଙ୍କୁ ଦିଆଯାଇଛି ନିର୍ଦ୍ଦେଶ ।
ମଙ୍ଗଳବାର ରାତି ୧୧.୩୦ରୁ ୧୨.୩୦ ମଧ୍ୟରେ ଆନ୍ଧ୍ରପ୍ରଦେଶ ନର୍ସାପୁରରେ ଲ୍ୟାଣ୍ଡଫଲ୍ ହୋଇଥିଲା ବାତ୍ୟା ମୋନ୍ଥା। ମଧ୍ୟରାତ୍ରିରେ ଆନ୍ଧ୍ର ଉପକୂଳ ଅତିକ୍ରମ କଲା । ପ୍ରାୟ 5 ଘଣ୍ଟା ଧରି ଚାଲିଥିଲା ଲ୍ୟାଣ୍ଡଫଲ୍ ପ୍ରକ୍ରିୟା। ୯୦ରୁ ୧୧୦ କିମି ରହିଥିଲା ପବନର ବେଗ। ତେବେ ଆନ୍ଧ୍ର ଏବଂ ଓଡ଼ିଶା ଉଭୟ ରାଜ୍ୟରେ ଆଶଙ୍କା ଅନୁସାରେ ହୋଇନାହିଁ ପବନ ଓ ବର୍ଷା ଜନିତ କ୍ଷୟକ୍ଷତି।
📱 Get Argus News App
✨Related Topics
Explore more stories