Videos
|
Odisha

Daha Dam Flood / ଡହ ଡ୍ୟାମ୍‌ରୁ ମାଡ଼ିଆସିଲା ମୃତ୍ୟୁର ସୁଅ… ଭାସିଗଲା ଭଞ୍ଜନଗର, ଶହ ଶହ ଗାଁ ଛାରଖାର

Ritu Das
Browse all articles by Ritu Das
·37 mins ago·3 min read
ଡହ ଡ୍ୟାମ୍‌ରୁ ମାଡ଼ିଆସିଲା ମୃତ୍ୟୁର ସୁଅ… ଭାସିଗଲା ଭଞ୍ଜନଗର, ଶହ ଶହ ଗାଁ ଛାରଖାର
India

Key Points

ଡହ ଡ୍ୟାମ୍‌ର ଗେଟ୍‌ ଖୋଲିଲା
ଆଉ ନିମିଷକେ ନିଶ୍ଚିହ୍ନ ହୋଇଗଲା ଭଞ୍ଜନଗର ସହର ଓ ତା’ ଆଖପାଖ ଅଞ୍ଚଳର ଶହ ଶହ ଗାଁ
ଡହ ଡ୍ୟାମ୍‌ର ଗେଟ୍‌ ଖୋଲିଲା। ଆଉ ନିମିଷକେ ନିଶ୍ଚିହ୍ନ ହୋଇଗଲା ଭଞ୍ଜନଗର ସହର ଓ ତା’ ଆଖପାଖ ଅଞ୍ଚଳର ଶହ ଶହ ଗାଁ। ବିନା କୌଣସି ପୂର୍ବ ସୂଚନାରେ ଆସିଥିବା ଏହି କାଳ ବନ୍ୟାପାଣି ସାରା ଭଞ୍ଜନଗର ସବ୍‌-ଡିଭିଜନ୍‌କୁ ଏକ ପ୍ରକାର ଶ୍ମଶାନରେ ପରିଣତ କରିଦେଇଛି। ଘରଦ୍ୱାର, ଚାଷଜମି, ଆସବାବପତ୍ର। ସବୁକିଛି ପାଣି ସୁଅରେ ଭାସିଯାଇଛି। ସାମ୍ନାରେ କେବଳ ଭଙ୍ଗାରୁଜା ସଂସାର ଆଉ ନିଃସଙ୍ଗ ମଣିଷଙ୍କ ଆକୁଳ କାନ୍ଦଣା।
ହଠାତ୍‌ ଡହ ଡ୍ୟାମ୍‌ର ପାଣି ପଶି ଆସିବାରୁ ଲୋହରାଖଣ୍ଡି ନଈ ଧାରଣ କରିଥିଲା ଏପରି ଉଗ୍ର ରୂପ, ଯାହା ପୂର୍ବରୁ କେବେ ଦେଖି ନଥିଲେ ସ୍ଥାନୀୟ ଲୋକେ।

ଭଞ୍ଜନଗର ସହରର ବାଉଁଶଲୁଣ୍ଡିରୁ ଆସିଥିବା ଏହି ଚିତ୍ର ଦେଖିଲେ ଯେକୌଣସି ଲୋକର ଛାତି ଥରିଉଠିବ। ପେଟ୍ରୋଲ ପମ୍ପ ସମ୍ପୂର୍ଣ୍ଣ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଥିବା ବେଳେ ପାଣିର ପ୍ରଚଣ୍ଡ ବେଗରେ ଭାସିଯାଇଛି ବଡ଼ ବଡ଼ ଗାଡ଼ି। ସେହିପରି ଅନ୍ୟପଟେ ସତ୍ୟସାଇ ସେବା ସଦନ ସ୍କୁଲ ପରିସରରେ ପ୍ରବେଶ କରୁଛି ଲୋହରାଖଣ୍ଡି ନଦୀର ଉନ୍ମତ୍ତ ରୂପ। ସ୍କୁଲ ବାରଣ୍ଡା ଆଉ ଶ୍ରେଣୀଗୃହ ଭିତରେ ଏବେ ନଦୀର ପ୍ରବଳ ସ୍ରୋତ। ଶିକ୍ଷାନୁଷ୍ଠାନ ଆଜି ସମ୍ପୂର୍ଣ୍ଣ ଜଳମଗ୍ନ। ସହରର ଶଙ୍ଖସାହି, ରଘୁନାଥ ବିହାର, ମେଦିରି ସାହି, ୫ ନମ୍ବର ୱାର୍ଡ, ୧୫ ନମ୍ବର ୱାର୍ଡ ସମେତ ପ୍ରତ୍ୟେକଟି ତଳିଆ ଅଞ୍ଚଳ ଏବେ ସମ୍ପୂର୍ଣ୍ଣ ଭାବେ ବନ୍ୟା ପାଣିରେ ବୁଡ଼ି ରହିଛି।

ସେପଟେ କୋଦଣ୍ଡା ମଶାଣି ସାହିରେ ବନ୍ୟାର ତାଣ୍ଡବଲୀଳା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ଏଠାରେ ୧୫ରୁ ଉର୍ଦ୍ଧ୍ୱ ପରିବାର ଆଜି ସମ୍ପୂର୍ଣ୍ଣ ନିସ୍ୱ। ଘର ଭାଙ୍ଗିଗଲା, ଚାଲିଗଲା ସଞ୍ଚିତ ସମ୍ବଳ। ଘରେ ଥିବା ଫ୍ରିଜ୍‌ଟି ବନ୍ୟା ପାଣିରେ ଭାସିଯାଇ ୫୦ ଫୁଟ ଦୂର ସାହି ମଝିରେ ପଡ଼ିଥିବା ଦେଖିବାକୁ ମିଳିଛି। ଦୀର୍ଘ ସମୟ ଧରି ରିଲିଫ୍‌ କି ସାହାଯ୍ୟ ପହଞ୍ଚି ନ ଥିବାରୁ କୋଦଣ୍ଡା ମଶାଣି ସାହିର ଲୋକେ ଶେଷରେ ରାସ୍ତାରୋକ୍‌ କରିଥିଲେ। ଘଟଣାସ୍ଥଳକୁ NDRF ଗାଡ଼ି ଆସିବାରୁ ଲୋକେ ଗାଡ଼ିକୁ ଅଟକାଇ ପ୍ରତିବାଦ କରିଥିଲେ, ଶେଷରେ NDRF ଟିମ୍‌ ହାତଯୋଡ଼ି ନିବେଦନ କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ଏହି କୋଦଣ୍ଡାରେ ଜଳ ପ୍ରଳୟ ଏତେ ଭୟଙ୍କର ଥିଲା ଯେ ପିଚୁ ରାସ୍ତା ତାଡ଼ିହୋଇ ବଡ଼ ବଡ଼ ଗର୍ତ୍ତ ସୃଷ୍ଟି ହୋଇଛି।

ଅନ୍ୟପଟେ ଢୁଢୁଆ ଗାଁରେ ପାଣି ଛାଡ଼ିବା ପରେ ଦୁର୍ଦ୍ଦଶା ଆହୁରି ବଢ଼ିଯାଇଛି। ଘର ଭିତରେ ବସ୍ତା ବସ୍ତା ଚାଉଳ ଓ ଧାନ ଓଦା ହୋଇ ନଷ୍ଟ ହୋଇଯାଇଛି। ଲୋକେ ଆଣ୍ଠୁଏ ପଙ୍କ ଓ କାଦୁଅ ଭିତରେ ନିଜ ଭଙ୍ଗା ଘରକୁ ସଫା କରିବାକୁ ଚେଷ୍ଟା କରୁଛନ୍ତି। କଇଠପଲ୍ଲୀ ଗାଁର ଅବସ୍ଥା ବି ସମାନ। ଘର ଆଗରେ ଏବେ ବି ଆଣ୍ଠୁଏ ଉଚ୍ଚର ପାଣି ଜମିରହିଛି। ଘର ଭଙ୍ଗା ଚାଳ ତଳେ ଭିଜିଯାଇଥିବା ମୁଗ ଓ ଚାଉଳ ଗଜା ହୋଇଗଲାଣି, ଯାହା ବଞ୍ଚିରହିଥିବା ଲୋକଙ୍କ ଆଗରେ ଭୋକର ଏକ ବିକଳ ଚିତ୍ର ଛିଡ଼ା କରିଛି।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବିଞ୍ଜଗିରି ଗାଁ ଏବେ ବି ସମ୍ପୂର୍ଣ୍ଣ ଜଳଘେରରେ। ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ପାଣି ପ୍ରବାହିତ ହେଉଛି। ଶହ ଶହ ଏକର ଜମିରେ ହୋଇଥିବା ଫସଲ ବନ୍ୟା ପାଣିରେ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ସେହିପରି ଇଙ୍ଗିନାଠି, ଉସ୍ତପଲ୍ଲୀ, ଗମ୍ଭାରୀଗୋଚ୍ଛା, ସାନକୋଦଣ୍ଡା, ରାଜକୁଣ୍ଡ, ବଡ଼ କୋଦଣ୍ଡା, ଯୋଗୀମାରୀ, ଅମଝୋଳ, ନନ୍ଦିଆ ପଲ୍ଲୀ, ଜାମୁଣ୍ଡି, ମାଲସାହି, ଡେରା ସାହି ଓ ଚଢ଼େୟାପଲ୍ଲୀ ଗାଁଗୁଡ଼ିକରେ ବନ୍ୟାପାଣି ମାଡ଼ିଯାଇ ବ୍ୟାପକ କ୍ଷୟକ୍ଷତି ଘଟାଇଛି। ବାହାଡ଼ପଦର ଗାଁରେ ତ ଘରର ଚିହ୍ନବର୍ଣ୍ଣ ବି ନାହିଁ। ପ୍ରବଳ ପାଣି ସୁଅରେ ଗାଁର ୫ଟି ପରିବାରର ଘର ସମ୍ପୂର୍ଣ୍ଣ ଉଭାନ୍‌ ହୋଇଯାଇଛି, କେବଳ ରହିଯାଇଛି ଭାଙ୍ଗିନଥିବା ହନୁମାନଙ୍କ ଫଟୋ। ସେପଟେ ଗୁରାବାଡ଼ି ଅଞ୍ଚଳରେ ୧୦୦ ଫୁଟରୁ ଉର୍ଦ୍ଧ୍ୱ ବିରାଟ ଘାଇ ସୃଷ୍ଟି ହୋଇଛି, ଯାହା ସମଗ୍ର ଅଞ୍ଚଳକୁ ବାହାର ଦୁନିଆରୁ ବିଚ୍ଛିନ୍ନ କରିଦେଇଛି।

ଗୋଟିଏ ପଟେ ବାସଗୃହ ହରାଇଥିବା ମଣିଷଙ୍କ ଆକୁଳ ନିବେଦନ, ଆଉ ଅନ୍ୟପଟେ ଆହାର-ପାନୀୟ ପାଇଁ ଚାଲିଥିବା ସଂଘର୍ଷ। ଭଞ୍ଜନଗରର ଏହି ଜଳ ପ୍ରଳୟ ଆଜି ହଜାର ହଜାର ପରିବାରକୁ ଶୂନ୍ୟରୁ ସଂସାର ଗଢ଼ିବାକୁ ବାଧ୍ୟ କରିଛି।