Naa Tala building To Demolish / ଭଙ୍ଗାଯିବ ବିପଦ ସଂକୁଳ ନଅ ତାଲା କୋଠା

Key Points
ମାଟିରେ ମିଶିବ ବର୍ତ୍ତମାନର ନଅ ତାଲା, ସେଚ ସଦନ ଓ ରାଜୀବ ଭବନ । ଏନେଇ ସୂଚନା ଦେଇଛନ୍ତି ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଏସବୁ କୋଠାଗୁଡ଼ିକ ବିପଦ ସଂକୁଳ ବୋଲି ଘୋଷଣା ହୋଇସାରିଛି । ତେଣୁ ଏହି କୋଠା ଗୁଡ଼ିକୁ ଖୁବ୍ଶୀଘ୍ର ଭାଙ୍ଗି ମାଟିରେ ମିଶାଯିବ । ନଅ ତାଲାରେ ଥିବା ବିଭାଗ ଗୁଡ଼ିକୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବ ।
ଅନ୍ୟପଟେ ତିନୋଟି ପର୍ଯ୍ୟାୟରେ ନିର୍ମାଣ ହେବ ନୂତନ ଲୋକସେବା ଭବନ । ପ୍ରଥମ ପର୍ଯ୍ୟାୟରେ ନିର୍ମାଣ ହେବ ଲୋକସେବା ଭବନର ମୁଖ୍ୟ ଅଫିସ୍ । ଯାହା କି ଖାରବେଳ ଭବନ ନିକଟରେ ତଥା ପାୱାର ହାଉସ୍ ଛକକୁ ଲାଗି ADM ଓ OSEPA ଅଫିସ ପାଖରେ ହେବ ନିର୍ମାଣ । ତେବେ ୭୧ ଏକର ଜାଗାରେ ଛିଡ଼ା ହେବ ନୂଆ ବିଧାନସଭା ଓ ଲୋକସେବା ଭବନ । ୩୦୦ ଆସନ ବିଶିଷ୍ଟ ନୂଆ ବିଧାନସଭା ପାଇଁ ଶିଳାନ୍ୟାସ କରି ସାରିଛନ୍ତି ମୁଖ୍ୟମନ୍ତ୍ରୀ ।
ବିଧାନସଭା ହେଉଛି ରାଜ୍ୟ ରାଜନୀତିର ଏନ୍ତୁଡ଼ି ଶାଳ । ଆଗକୁ ହେବାକୁ ଯାଉଛି ସୀମା ପୁନଃ ନିର୍ଧାରଣ । ରାଜ୍ୟରେ ପ୍ରାୟ ୫୦ ନୂତନ ବିଧାନସଭା ନିର୍ବାଚନ ମଣ୍ଡଳୀ ସୃଷ୍ଟି ହୋଇପାରେ । ନୂତନ ଓଡ଼ିଶା ବିଧାନସଭା ଦେଖିପାରେ ଅଧିକ ୫୦ ବିଧାୟକ । ତେଣୁ ନୂଆ ବିଧାନସଭା ଗୃହ ନିହାତି ଆବଶ୍ୟକ ପଡ଼ିବ ।
ଜାନୁଆରୀ, ୧୯୫୬ରେ ନିର୍ମାଣ ଆରମ୍ଭ ହୋଇଥିବା ବେଳେ ନଭେମ୍ବର ୧୯୫୯ରେ ଶେଷ ହୋଇଥିଲା ଲୋକସେବା ଭବନ । ସେହି କୋଠା ପାଇଁ ସେତେବେଳେ ୫୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା। ରାଜ୍ୟ ସରକାରଙ୍କ ୪୧ଟି ବିଭାଗ ରହିଥିବା ବେଳେ ୩ ମହଲା ବିଶିଷ୍ଟ ଲୋକସେବା ଭବନ ରହିଛି । ତୃତୀୟ ମହଲାରେ ମୁଖ୍ୟମନ୍ତ୍ରୀଙ୍କ ପ୍ରକୋଷ୍ଠ । ଦ୍ବିତୀୟ ମହଲାରେ କ୍ୟାବିନେଟ ପାହ୍ୟା ମନ୍ତ୍ରୀ ଏବଂ ପ୍ରଥମ ମହଲାରେ ରାଷ୍ଟ୍ରମନ୍ତ୍ରୀଙ୍କ ପାଇଁ ପ୍ରକୋଷ୍ଠ ରହିଛି । ସରକାରରେ କର୍ମଚାରୀଙ୍କ ବୃଦ୍ଧି, କାର୍ଯ୍ୟଭାର ସହ ନୂଆ ଟେକନୋଲୋଜିର ବ୍ୟବହାର ପାଇଁ ଆବଶ୍ୟକ ପଡୁଛି କୋଠା ।
ଖାଲି ସେତିକି ନୁହେଁ, ରାଜ୍ୟରେ ବିଧାନ ପରିଷଦ ଗଠନ ନେଇ ପୂର୍ତ୍ତ ମନ୍ତ୍ରୀଙ୍କ ସଂକେତ ମଧ୍ୟ ରହିଛି । ଭଙ୍ଗା ଯିବନି ବର୍ତ୍ତମାନର ବିଧାନସଭା, ସନ୍ତକ ହିସାବରେ ରଖାଯିବ । ମ୍ୟୁଜିୟମ ଭାବେ ବ୍ୟବହାର କରାଯିବ । ଭବିଷ୍ୟତରେ ଯଦି ବିଧାନ ପରିଷଦ ଗଠନ ହୁଏ, ସେହି କୋଠାକୁ ବ୍ୟବହାର କରାଯିବ । ଲୋକସେବା ଭବନ ଓ ବିଧାନସଭା ମଝିରେ ନିର୍ମାଣ ହେବ ନୂଆ ବିଧାନସଭା ।
📱 Get Argus News App
✨Related Topics
Explore more stories