ଶ୍ରୀଜୀଉଙ୍କ ପଇତାଲାଗି ନୀତି , ଶ୍ରୀମନ୍ଦିରରେ ୫ ଘଣ୍ଟା ବନ୍ଦ ରହିବ ଦର୍ଶନ

ଆଜି ବୈଶାଖ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି । ଶ୍ରୀମନ୍ଦିରରେ ରତ୍ନସିଂହାସନ ଉପରେ ଶ୍ରୀଜୀଉମାନଙ୍କର ପଇତା ଲାଗି ନୀତି ଅନୁଷ୍ଠିତ ହେବ । ଏଥିପାଇଁ ଅପରାହ୍ନ ୫ ଟା ଠାରୁ ରାତି ୧୦ଟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ସୂଚନା । ଦଇତାପତି ସେବାୟତଙ୍କ ଏହା ଗୋଷ୍ଠୀଗତ ସେବା ହୋଇଥିବା ବେଳେ ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ଶ୍ରୀମନ୍ଦିରର ଜୟବିଜୟ ଦ୍ଵାର ବନ୍ଦ ରହିବ। ଦଇତାପତି ସେବାୟତ ମାନେ ତିନି ଭାଗରେ ବିଭକ୍ତ ହୋଇ ରତ୍ନସିଂହାସନ ଉପରେ ଚଢି ମହାପ୍ରଭୁଙ୍କ ଏହି ଗୁପ୍ତ ସେବା କରିଥାନ୍ତି ।
ଦ୍ଵିପହର ଧୂପ ସରିବାପରେ ଦଇତାପତି ସେବକମାନେ ମହାପ୍ରଭୁଙ୍କୁ ପଇତାଲାଗି କରିବେ। ପ୍ରାୟ ୫ ଘଣ୍ଟା ଧରି ଏହି ନୀତି ଚାଲିବା ଯୋଗୁଁ ସର୍ବସାଧାରଣଙ୍କର ଦର୍ଶନ ବନ୍ଦ ରହିବ। ଏହି ନୀତି ସମ୍ପୂର୍ଣ୍ଣ ହେବାପରେ ଶ୍ରୀବିଗ୍ରହଙ୍କୁ ମହାସ୍ନାନ କରାଯିବା ପରେ ଶ୍ରଦ୍ଧାଳୁମାନେ ଶ୍ରୀଜୀଉମାନଙ୍କୁ ଦର୍ଶନ କରିପାରିବେ। ସେପଟେ ଆଜିଠାରୁ 24 ତାରିଖ ପର୍ଯ୍ୟନ୍ତ ବିଶେଷ ନୀତିକାନ୍ତି ଥିବାରୁ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଏଏସଆଇ ତରଫରୁ ବନ୍ଦ ରଖାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ରୁ ସୂଚନା ଦିଆଯାଇଛି ।