ରାଜ୍ୟରେ ତାତି କରୁଛି କଲବଲ

ମାର୍ଚ୍ଚ ଅଧାରୁ ତତଲା କଡ଼େଇରେ ସିଝୁଛି ଓଡ଼ିଶା । ଏବେଠୁ ଆକାଶରୁ ବର୍ଷୁଛି ନିଆଁ । ଆହୁରି ୩ ଦିନ ଅସ୍ତବ୍ୟସ୍ତ କରିବ ତାତି । ଅସମ୍ଭାଳ ତାତିରେ ଜଳିବ ଆଭ୍ୟନ୍ତରୀଣରୁ ଉପକୂଳ । ୨ ଦିନ ଯାଏ ସିଭିୟର ହିଟ ୱେଭ ରହିଥିବା ବେଳେ, ୨୪ ଘଣ୍ଟା ପାଇଁ ଝାରସୁଗୁଡ଼ା, ସମ୍ବଲପୁର, କଳାହାଣ୍ଡି, ସୋନପୁର ଓ ବୌଦ୍ଧକୁ ରେଡ୍ ଆଲର୍ଟ ଜାରି ହୋଇଛି । ଗତକାଲି ବୌଦ୍ଧରେ ସର୍ବାଧିକ ୪୩.୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ବେଳେ, ୭ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା । ତେବେ ଆଉ ୨ ଦିନ ପରେ ବଦଳିବ ପାଗ । ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି ।
ପାଣିପାଗ ବିଭାଗର ଆକଳନ ଅନୁସାରେ, ଆହୁରି ୪ ଦିନ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ । ତିନିଦିନ ଅର୍ଥାତ୍ ୧୯ ତାରିଖ ପର୍ଯ୍ୟନ୍ତ କଲବଲ କରିବ ତାତି । ଆଭ୍ୟନ୍ତରୀଣରୁ ନେଇ ଉପକୂଳ ପର୍ଯ୍ୟନ୍ତ ଜଳିବ । ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ ଆଉ ୨ ଦିନ ପାଇଁ ରେଡ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ତାତି ଭିତରେ ୧୯ରୁ ବର୍ଷା ସାମାନ୍ୟ ଆଶ୍ଵସ୍ତି ଆଣିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
📱 Get Argus News App
✨
ଆଜି ଝାରସୁଗୁଡ଼ା, ସମ୍ବଲପୁର, କଳାହାଣ୍ଡି ଜିଲ୍ଲାକୁ ସିଭିୟର ହିଟ ୱେଭକୁ ନେଇ ରେଡ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ସୁନ୍ଦରଗଡ଼, ସୋନପୁର, କଳାହାଣ୍ଡି, ବୌଦ୍ଧ ଓ ବଲାଙ୍ଗିର ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଦିଆଯାଇଛି । ସେହିପରି ଉଷ୍ମ ଓ ଆର୍ଦ ସ୍ଥିତିକୁ ନେଇ ବାଲେଶ୍ୱର, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ନୟାଗଡ଼ ,ଗଞ୍ଜାମ ଓ ଗଜପତି କୁ ୟେଲୋ ଆଲର୍ଟ ରହିଛି ।
୧୮ ତାରିଖରେ ଝାରସୁଗୁଡା ଓ ସମ୍ବଲପୁର ଜିଲ୍ଲାକୁ ହିଟୱେଭ ନେଇ ଅରେଞ୍ଜ ଆଲର୍ଟ ରହିଛି । ଗ୍ରୀଷ୍ମ ପ୍ରବାହ ଭିତରେ ୧୯ ପରେ ହିଟୱେଭ ସ୍ଥିତିରେ ସାମାନ୍ୟ ପରିବର୍ତ୍ତନ ଆସିବ । ବର୍ଷା ପବନ ସହ ବିଜୁଳି, ଘଡ଼ଘଡ଼ି ସମ୍ଭାବନା ରହିଛି । ବର୍ଷା ଫଳରେ ତାତିରୁ ଆଶ୍ଵସ୍ଥି ମିଳିବ ।
ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବରଗଡ଼, ଅନୁଗୁଳ, ବାଲେଶ୍ଵର, ଭଦ୍ରକ ଆଦି ଜିଲ୍ଲାରେ ବର୍ଷା ସହ ବିଜୁଳି ଘଡ଼ଘଡ଼ି ହୋଇପାରେ । ତେଣୁ ୧୯ ପରେ ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବାର ସମ୍ଭାବନା ରହିଛି ।