ଫେସ୍ବୁକ୍ରେ ପୋଷ୍ଟ କରି ସମସ୍ତଙ୍କ ମୁହଁ ବନ୍ଦ କରିଦେଲେ ଦେବାଶିଷ !

ମୁହଁ ଖୋଲିଲେ ଦେବାଶିଷ ସାମନ୍ତରାୟ । ଦୁଇ ଦିନ ହେବ ଦଳୀୟ ନେତା ତାଙ୍କୁ ଯେଉଁଭଳି ଭାବେ ଟାର୍ଗେଟ କରିଆସୁଥିଲେ, ସେସବୁର ଦୃଢ଼ ଜବାବ ଦେଲେ ଦେବାଶିଷ । ଫେସ୍ବୁକ୍ରେ ଏକ ପୋଷ୍ଟ କରି ସମସ୍ତଙ୍କ ମୁହଁ ବନ୍ଦ କରିବାକୁ ଚେଷ୍ଟା କରିଛନ୍ତି ଦେବାଶିଷ । ତେବେ ଏହି ପୋଷ୍ଟ ପରେ ନେତାମାନେ ଚୁପ୍ ରହୁଛନ୍ତି ନା, ପୁଣି ତାଙ୍କୁ ଟାର୍ଗେଟ କରୁଛନ୍ତି ତାହା ସମୟ କହିବ ।
ଦେବାଶିଷ ନିଜ ଫେସ୍ବୁକ୍ ପୋଷ୍ଟରେ ଲେଖିଛନ୍ତି, 'କିଛି ଦିନ ପୂର୍ବରୁ ଯେଉଁମାନେ ବିଜୁ ଜନତା ଦଳରେ ଯୋଗଦେଇ କିଛି ପଦ ପଦବୀ ପାଇଛନ୍ତି, ସେମାନେ ନା ଏ ଦଳର ଇତିହାସ ଜାଣିଛନ୍ତି ନା ନବୀନ ବାବୁଙ୍କ ନା ବିଜୁ ବାବୁଙ୍କ ଆଦର୍ଶ ଜାଣିଛନ୍ତି। ଦଳ ପ୍ରତିଷ୍ଠା ହେବା ଦିନରୁ ଲକ୍ଷ ଲକ୍ଷ କର୍ମୀ ଓ ବରିଷ୍ଠ ନେତା ଅଜସ୍ର ସଂଗ୍ରାମ ଓ ସଂଘର୍ଷ କରି ଏକ ଆଞ୍ଚଳିକ ଦଳକୁ ଜାତୀୟସ୍ତରରେ ପହଞ୍ଚେଇ ପାରିଥିଲେ।'
'ମାତ୍ର ଏବେର କିଛି ନେତା ଓ ନେତ୍ରୀମାନେ ନବୀନ ବାବୁଙ୍କ ଆଦର୍ଶ, ଧର୍ମନିରପେକ୍ଷତା ଓ ଓଡ଼ିଶାପ୍ରତି ପ୍ରତିବଦ୍ଧତା ସହ ଅପରିଚିତ। ସେମାନେ ଆଉ କାହା ଈଶାରାରେ ପରିଚାଳିତ। ସ୍ୱାଭିମାନ ନଥିବା ସ୍ୱାର୍ଥବାଦୀଙ୍କ ସମ୍ପର୍କରେ ମାତ୍ର ଏତିକି କୁହା ଯାଇପାରେ, ନା ସେମାନେ ଦଳର ନା ସେମାନେ ଓଡ଼ିଶାର ନା ସେମାନେ ନବୀନ ପଟ୍ଟନାୟକଙ୍କର। ଶେଷରେ ଏତିକି କହିବି, ଗତ ନିର୍ବାଚନରେ ବିଜୁ ଜନତା ଦଳର ପରାଜୟ 'ଓଡ଼ିଆ ଅସ୍ମିତା' ପାଇଁ ହେଇଥିଲା। ଆମେ ଜଗନ୍ନାଥ ପ୍ରଦେଶର ଲୋକ। ଆମ ଅସ୍ମିତାର ରକ୍ଷା କରିବା ଆମର ମୂଳଲକ୍ଷ।'
ତେବେ ଏହି କଥା ସେ ସେଇମାନଙ୍କ ପାଇଁ ଲେଖିଛନ୍ତି ବୋଲି କୁହାଯାଇପାରେ, ଯେଉଁମାନେ ଏବେ ଏବେ ଦଳକୁ ଆସି ତାଙ୍କୁ ଟାର୍ଗେଟ କରି ଗଣମାଧ୍ୟମ ଆଗରୁ କହିଛନ୍ତି । ଏମିତିକି ଯେଉଁମାନେ ତାଙ୍କୁ ସମାଲୋଚନା କରି ସୋସିଆଲ ମିଡିଆରେ ଲେଖିଛନ୍ତି ।
ୱାକଫକୁ ନେଇ ଫାଳ ଫାଳ ବିଜେଡି । ମୁହଁ ଖୋଲୁଛନ୍ତି ଜଣକ ପରେ ଜଣେ ନେତା । ଓ୍ୱାକଫ୍ ବିଲ୍ ସଂଶୋଧନ ବିଲ୍କୁ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ସମର୍ଥନ କରିବା ପରେ ବିଜେଡିରେ ଯେଉଁ ନିଆଁ ଲାଗିଛି ତାହା ସମ୍ପୂର୍ଣ୍ଣ ଦଳକୁ ଜାଳି ପୋଡ଼ି ଛାରଖାର କରିଦେବା ଭଳି ଲାଗୁଛି । କାରଣ ସେଦିନଠୁ ବିବାଦ ଥମିବାର ନାଁ ଧରୁନି । ଏହି ଘଟଣା ପରେ ବିଜେଡିରେ ଯାହା ଯାହା ଘଟୁଛି ତାହା ଗତ ୨୪ ବର୍ଷ ମଧ୍ୟରେ ଦେଖାଯାଇନଥିଲା ।