ଧାର୍ଯ୍ୟ ସମୟରେ ପ୍ରକଳ୍ପ ନ ସାରିଲେ ଲୋକଙ୍କୁ ଟ୍ୟାଙ୍କରରେ ପିଇବା ପାଣି ଯୋଗାଇବେ କମ୍ପାନୀ

ସମ୍ବଲପୁର: ରାଜ୍ୟରେ ଖରାର ପ୍ରକୋପ ରହିଥିବା ବେଳେ ଅନେକ ସ୍ଥାନରେ ପାଣି ସମସ୍ୟାକୁ ନେଇ ଜୁଝୁଛନ୍ତି ଲୋକେ । କେଉଁଠି ପାନୀୟ ପ୍ରକଳ୍ପ ଧାର୍ଯ୍ୟ ସମୟରେ ସରିନି ତ ଆଉ କେଉଁଠି ପ୍ରକଳ୍ପ ସରିଥିଲେ ବି ପାଇପ୍ ପଡ଼ ନଥିବାରୁ ମିଳୁନି ପାଣି । ଖରାରେ ଲୋକେ ପାଣି ପାଇଁ ଛଟପଟ ହେଉଥିବା ବେଳେ କାମ ଠକିଥିବା କମ୍ପାନୀଙ୍କୁ ବାଜିଛି ମନ୍ତ୍ରୀଙ୍କ ଛାଟ ।
ପାନୀୟ ଜଳ ପ୍ରକଳ୍ପ କାମ ନେଇଥିବା କମ୍ପାନୀ ଧାର୍ଯ୍ୟ ସମୟରେ କାମ ସାରି ନଥିଲେ ଲୋକଙ୍କୁ ଟ୍ୟାଙ୍କରରେ ପିଇବା ପାଣି ଯୋଗାଇବେ । ଏନେଇ କହିଛନ୍ତି ପାନୀୟ ଜଳ ଓ ପଞ୍ଚାୟତରାଜ ମନ୍ତ୍ରୀ ରବି ନାୟକ । ମେଗା ପାନୀୟ ଜଳ ପ୍ରକଳ୍ପ ଓ ସୋଲାର ପାନୀୟ ଜଳ ପ୍ରକଳ୍ପ ସାରି ନଥିବା କମ୍ପାନୀମାନଙ୍କୁ ମନ୍ତ୍ରୀ ତାଗିଦ୍ କରି କହିଛନ୍ତି, ଯେଉଁଠି ପ୍ରକଳ୍ପ ଧାର୍ଯ୍ୟ ସମୟରେ ସରିନି ସେଠାରେ ଟ୍ୟାଙ୍କରରେ ପାନୀୟ ଜଳ ଦେବେ କାମ ନେଇଥିବା କମ୍ପାନୀ ।
ସମସ୍ତଙ୍କ ପାଖରେ ପାନୀୟ ଜଳ ଯୋଗାଇବା ପାଇଁ ଏଭଳି ବିଭାଗୀୟ ନିଷ୍ପତ୍ତି ଗ୍ରହଣ କରଯାଇଛି । ପାନୀୟ ଜଳ ସମସ୍ୟାକୁ ନେଇ ବ୍ଲକ ଅଧିକାରୀ, RDSS ଓ ପଞ୍ଚାୟତର ନିର୍ବାଚନ ଅଧିକାରୀଙ୍କୁ ଜଣାନ୍ତୁ ବୋଲି ନିବେଦନ କରିଛନ୍ତି ମନ୍ତ୍ରୀ ରବି ନାୟକ ।
📱 Get Argus News App
✨
ସରକାରୀ ଅଧିକାରୀଙ୍କ ପାଖରେ ନ ପହଞ୍ଚି ପାରିଲେ ଗଣମାଧ୍ୟମରେ ଅଭିଯୋଗ ଜଣାଇଲେ ସରକାର ସହଯୋଗ କରିବେ ବୋଲି ମନ୍ତ୍ରୀ କହିଛନ୍ତି । ଏଥିସହ ଆଉ ଦୁଇ ଦିନ ପରେ ବିଭାଗ ପକ୍ଷରୁ ଟୋଲ ଫ୍ରି ନମ୍ୱର ଜାରି କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ଏଥିପାଇଁ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ମନ୍ତ୍ରୀ ।
ଅନ୍ୟପଟେ ଖରା ଦିନକୁ ଦୃଷ୍ଟିରେ ରଖି ୨୧୦୦୦ ଟିୱେଲ ଖନନ ପାଇଁ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩୫୦୦ ଟିୱେଲ ଖନନ ସରିଛି । ଆହୁରି କାର୍ଯ୍ୟ ତ୍ୱରାନ୍ଵିତ ସହ ଶୀଘ୍ର ଖନନ ପାଇଁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିବା ମନ୍ତ୍ରୀ କହିଛନ୍ତି ।