ଉତ୍ତର ଉପକୂଳ ଓଡ଼ିଶା ସହ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଘନ କୁହୁଡ଼ି, ରାଜଧାନୀରେ ଦିଶିଲାନି ରାସ୍ତା

ଭୁବନେଶ୍ଵର: ଗୁରୁଚାପ ବଳୟ ପ୍ରଭାବରେ ଘନ କୁହୁଡ଼ି । ଦିଶିଲାନି ୧୦ ମିଟର ଦୂର ରାସ୍ତା । ଆଜି ଉତ୍ତର ଉପକୂଳ ସମେତ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଘନ କୁହୁଡ଼ି ଦେଖିବାକୁ ମିଳିଛି । ଫଳରେ ସକାଳୁ ରାସ୍ତା ଦେଖା ଯାଉ ନଥିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଥିଲା ।
ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସଙ୍କ ଅନୁସାରେ, ଉପଗ୍ରହରୁ ମିଳୁଥିବା ସୂଚନା ଅନୁଯାୟୀ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ଢେଙ୍କାନାଳ, ଖୋର୍ଦ୍ଧା, ପୁରୀ , ଯାଜପୁର ଏବଂ କେନ୍ଦୁଝର ଜିଲ୍ଲାର ଅନେକ ସ୍ଥାନରେ ଘନ କୁହୁଡ଼ିର ଆଚ୍ଛାଦନ ଦେଖିବାକୁ ମିଳିଛି ।
📱 Get Argus News App
✨ଦେଶର ୫ଟି ସ୍ଥାନରେ ସକାଳ ସାଢ଼େ ୫ଟାରୁ ୭ଟା ମଧ୍ୟରେ ଘନ କୁହୁଡ଼ି ଦେଖିବାକୁ ମିଳିଛି । ଯେଉଁଠି ଦୃଶ୍ୟମାନ ଦୂରତା ଶୂନ ମିଟର ଥିବା ଆଇଏମଡି ପକ୍ଷରୁ ସୂଚନା ମିଳିଛି । ଚାନ୍ଦବାଲି, ପାରାଦୀପ, ପୁରୀ, ଭୁବନେଶ୍ଵର ସହ ଅଗରତାଲାରେ ଦୃଶ୍ୟମାନ ଦୂରତା ଶୂନ ମିଟର ରହିଥିଲା ।
ପାଣିପାଗ ବିଭାଗର ଆକଳନ ଅନୁସାରେ, ଗୁରୁଚାପ ଦୁର୍ବଳ ହେବ । ରାଜ୍ୟରେ ବର୍ତ୍ତମାନ ଲାଗି ରହିଥିବା ପାଗରେ ୨୫ ତାରିଖରୁ ପରିବର୍ତ୍ତନ ଘଟିବା ସମ୍ଭାବନା ରହିଛି । ବିଶେଷ କରି ଦିନ ତାପମାତ୍ରାରେ ସାମାନ୍ୟ ହ୍ରାସ ଘଟିବାରେ ସମ୍ଭାବନା ରହିଛି l ଗୁରୁଚାପ କ୍ଷେତ୍ର ଦୁର୍ବଳ ହେବା ସହ ଉଭୟ କୁହୁଡ଼ି ଏବଂ ତାତିର ପ୍ରଭାବ ହ୍ରାସ ଘଟିବାର ସମ୍ଭାବନା ରହିଛି l