ଡଙ୍ଗାରେ ବୁଲି ବନ୍ୟାଞ୍ଚଳ ଦେଖିଲେ, ଲୋକଙ୍କ ସମସ୍ୟା ଲୋକଙ୍କଠୁ ଶୁଣିଲେ

Key Points
ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ପ୍ରଥମେ ଆକାଶ ମାର୍ଗରେ ବନ୍ୟା ଅଞ୍ଚଳ ସ୍ଥିତି ଅନୁଧ୍ୟାନ କରିଥିଲେ।
ତିଗ୍ରସ୍ତ ଚାଷୀଙ୍କ ପରିବା ଚାଷ ଓ ଧାନ ଚାଷ କୁ ସରକାର ଅଧିକ ଗୁରୁତର ସହିତ ନେଇଛନ୍ତି ।
ବାଲେଶ୍ବରର ଭୋଗରାଇ ଓ ବାଲିଆପାଳ ବନ୍ୟା ପ୍ରଭାବିତ ଅଂଚଳ ଅନୁଧ୍ୟାନ କରିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ଡଙ୍ଗାରେ ଅନ୍ୟ ପ୍ରଶାସନିକ ଅଧିକାରୀଙ୍କ ସହିତ ବନ୍ୟା ବିପନ୍ନଙ୍କ ଦୁଃଖ ଦେଖିଛନ୍ତି । ପରେ ଉପମୁଖ୍ୟମନ୍ତ୍ରୀ ବନ୍ୟା ବିପନ୍ନଙ୍କ ସହ କଥା ହୋଇଥିଲେ । ପାଣି ଛାଡ଼ିବା ପରେ କଣ ରହିଛି ଦୁର୍ଦ୍ଦଶା ସେକଥା ଉପମୁଖ୍ୟମନ୍ତ୍ରୀଙ୍କ ଆଗରେ ବଖାଣିଥିଲେ ଲୋକେ ।
ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ପ୍ରଥମେ ଆକାଶ ମାର୍ଗରେ ବନ୍ୟା ଅଞ୍ଚଳ ସ୍ଥିତି ଅନୁଧ୍ୟାନ କରିଥିଲେ। ପରେ ଭୋଗରାଇରେ ଓଡ୍ରାଫ ବୋଟ ମାଧ୍ୟମରେ କୁମ୍ଭୀରଗଡ଼ି ପଞ୍ଚାୟତ ଓ ବାଲିଆପାଳ ମୁଧୁପୁରା ପଞ୍ଚାୟତ ଚୌଡଦୁରି କୁଦ ପହଞ୍ଚି ବନ୍ୟା ବିପନ୍ନ ଙ୍କ ଅବସ୍ଥା୍ ପଚାରି ବୁଝିଥିଲେ। ସରକାରୀ ସହାୟତା ଯୋଗାଇ ଦେବା କଥା କହିଥିଲେ।
କ୍ଷତିଗ୍ରସ୍ତ ଚାଷୀଙ୍କ ପରିବା ଚାଷ ଓ ଧାନ ଚାଷ କୁ ସରକାର ଅଧିକ ଗୁରୁତର ସହିତ ନେଇଛନ୍ତି । ଯଥା ସମ୍ଭବ ସହାୟତା ଯୋଗାଇ ଦିଆଯିବା ନେଇ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କ୍ଷତିଗ୍ରସ୍ତ ଲୋକଙ୍କୁ ରନ୍ଧା ଖାଦ୍ୟ ବିଶୁଦ୍ଧ ପାନୀୟ ଜଳ ସରକାରଙ୍କ ତରଫରୁ ବ୍ୟବସ୍ଥା କରାଯାଇଥିବା କହିଛନ୍ତି ଉପମୁଖ୍ୟମନ୍ତ୍ରୀ ।
ବାଲିଆପାଳରେ ଚୁଲିରେ ପାଣି ପଶିଯାଇଛି । ସାଇକେଲ ଟେକି କେଟି ଲୋକେ ପାଣି ଭିତରେ ପାର ହେଉଛନ୍ତି । ଦୋକାନ ଘରେ ପାଣି ପଶିଛି । ଘର ଭାଙ୍ଗିଯାଇଛି । ପିଇବା ପାଣି ଦୂଷିତ । ଏନେଇ ଉପମୁଖ୍ୟମନ୍ତ୍ରୀ ସିଧା ସିଧା ବନ୍ୟା ବିପନ୍ନଙ୍କ ସହ କଥା ହୋଇଛନ୍ତି । ଆଶ୍ବାସନା ଦେଇଛନ୍ତି ଯାହା ବି କ୍ଷତି ହୋଇଛି ଭରଣା କରାଯିବ ।
ଭଦ୍ରକରେ ସାଳନ୍ଦୀ ନଦୀରେ ପ୍ରବଳ ପାଣି ଆସିବା ଫଳରେ ତଳିଆ ଅଞ୍ଚଳର ସୃଷ୍ଟି ହୋଇଥିଲା ବନ୍ୟା ପରିସ୍ଥିତି । ଏଥିଯୋଗୁଁ ପ୍ରଭାବିତ ହୋଇଛନ୍ତି ଭଦ୍ରକ ଓ ତିହିଡି ବ୍ଲକର ୮ଟି ପଞ୍ଚାୟତ। ଦୁଇ ଦିନ ପରେ ଯଦିଓ ସାଳନ୍ଦୀ ନଦୀରେ ପାଣି କମିଛି, ବିପନ୍ନଙ୍କ ଦୁଃଖ ସରିନାହିଁ । ୮ଟି ପଞ୍ଚାୟତରେ ପ୍ରାୟ ୧୦ ହଜାର ହେକ୍ଟର ଚାଷ ଜମିରେ ବନ୍ୟା ପାଣି ମାଡ଼ି ଯାଇଛି । ତଳି ସମ୍ପୂର୍ଣ ନଷ୍ଟ ହେବାର ଆଶଙ୍କା ଦେଖା ଦେଇଛି । କେତେକ ସ୍ଥାନରେ ରନ୍ଧା ଓ ଶୁଖିଲା ଖାଦ୍ୟ ଦିଆଯାଉଛି । ତିହିଡି଼ ଅଞ୍ଚଳକୁ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଯାଇ ବିଭିନ୍ନ ବନ୍ୟା ପ୍ରଭାବିତ ଅଞ୍ଚଳର ସ୍ଥିତି ଦେଖି ବିପନ୍ନ ମାନଙ୍କୁ ତୁରନ୍ତ ସହାୟତା କରିବା ପାଇଁ ଜିଲ୍ଲା ପ୍ରଶାସନଙ୍କୁ କହିଛନ୍ତି ।
ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ପାଣି ଛାଡ଼ିବା ପରେ ଘର କ୍ଷୟକ୍ଷତି ରିପୋର୍ଟ ଆସିବ । ଯେତେ ଶୀଘ୍ର ହୋଇ ପାରିବ କ୍ଷତିପୂରଣ ଦିଆଯିବ ।