ଡେପୁଟି ରେଞ୍ଜରଙ୍କ ଅମାପ ସମ୍ପତ୍ତି; ଦେଢ଼ କୋଟିରୁ ଅଧିକ ଟଙ୍କା ସହ ଦେଢ଼ କେଜି ସୁନା, 5 କେଜି ରୁପା ଜବତ

Key Points
ଭ୍ରଷ୍ଟାଚାରୀଙ୍କ ଉପରେ ବିଜେପି ସରକାରଙ୍କ ଶକ୍ତ ପ୍ରହାର
ଭିଜିଲାନ୍ସ ଜାଲରେ ଆଉ ଜଣେ କୁବେର ବାବୁ
ଜୟପୁର ବନ ବିଭାଗ ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକଙ୍କ ଅମାପ ସମ୍ପତ୍ତି
ଦେଢ଼ କୋଟିରୁ ଅଧିକ ଟଙ୍କା ସହ ଦେଢ଼ କେଜି ସୁନା, 5 କେଜି ରୁପା ଜବତ
ନିଜ ଓ ପରିବାର ଲୋକଙ୍କ ନାଁରେ 1 କୋଟି 32 ଲକ୍ଷର ବ୍ୟାଙ୍କ ଡିପୋଜିଟ୍
ପୁଳା ପୁଳା ସୁନା, ସୁନା ବିସ୍କୁଟ, ସୁନା କଏନ, ସୁନା ଅଳଙ୍କାର । ତା ସାଙ୍ଗକୁ କେଜି କେଜି ରୂପା । ପୁଣି ବିଡ଼ା ବିଡ଼ା ଟଙ୍କା । ଏତେ ଟଙ୍କା ଯେ କାବା ପାଲଟିଗଲେ ଖୋଦ୍ ଭିଜିଲାନ୍ସ ଅଧିକାରୀ। ଚାକିରୀ କାଳ ଭିତରେ ଏମିତି ବିପୁଳ ପରିମାଣର ସମ୍ପତ୍ତି ଠୁଳ କରିଥିବା ଏ ସରକାରୀ ବାବୁ ହେଲେ ଜୟପୁର ବନଖଣ୍ଡର ଡେପୁଟି ରେଂଜର ରାମଚନ୍ଦ୍ର ନେପାକ । ନାଁ ରାମଚନ୍ଦ୍ର କିନ୍ତୁ କାମ...ଆଜି ବାବୁଙ୍କର ଭୁବନେଶ୍ୱର ଏବଂ ଜୟପୁର ସମେତ ୬ଟି ଠିକଣାରେ ଚଢ଼ାଉ କଲା ଭିଜିଲାନ୍ସ । ବାବୁ ରହୁଥିବା କୋରାପୁଟ ଜୟପୁରସ୍ଥିତ ଏ ଘରୁ ଜବତ ହୋଇଛି 4ଟି ସୁନା ବିସ୍କୁଟ ଓ 16ଟି ସୁନା କଏନ ସହ ଦେଢ଼ କେଜି ଓଜନର ସୁନା, 5 କେଜି ରୁପା ଅଳଙ୍କାର ।
ଜୟପୁର NKT ରୋଡ଼ର ଏହି ଘରେ ରାମଚନ୍ଦ୍ର ସପରିବାର ରହୁଥିବା ବେଳେ ପ୍ରସାଦ ରାଓ ପେଟାର Golden Heights apartmentରେ କିଣିଛନ୍ତି ୨ଟି ଫ୍ଳାଟ୍ । ଏହା ମଧ୍ୟରୁ ଗୋଟିଏ ଫ୍ଲାଟରେ ଦୁର୍ନୀତିର ଟଙ୍କା ରଖିବା ପାଇଁ ବାବୁ ରାମଚନ୍ଦ୍ର କରିଥିଲେ ଏ ସ୍ବତନ୍ତ୍ର ଲକର । ଯେଉଁଠାରୁ ଜବତ ହୋଇଛି ଦେଢ଼ କୋଟିରୁ ଅଧିକ ଟଙ୍କା। ଏହି ଘରେ କେହି ରହୁନଥିଲେ ବି ସ୍ବତନ୍ତ୍ର ଚାମ୍ବର କରି ବାବୁ ଟଙ୍କା ରଖୁଥିବା ବେଳେ ଏଠାକାର ସାଜସଜ୍ଜା ବି ଆଖି ଝଲକାଇବା ଭଳି । ଏତିକି ନୁହେଁ ନିଜ ଓ ପରିବାର ଲୋକଙ୍କ ନାଁରେ 4ଟି ବ୍ୟାଙ୍କରେ ରହିଛି 10ଟି ଆକାଉଣ୍ଟ। ଯେଉଁଠି ଡିପୋଜିଟ୍ ଅଛି 1 କୋଟି 32 ଲକ୍ଷ ଟଙ୍କା। ଆହୁରି ବାବୁ କିଣିଥିବା ବହୁ ପରିମାଣର ଚାଷ ଜମି ଓ ପ୍ଳଟ୍ ବି ଠାବ କରିଛି ଭିଜିଲାନ୍ସ । ଆଉ ମାତ୍ର 6 ମାସ ପରେ ଚାକିରିରୁ ଅବସର ନେଇଥାନ୍ତେ ବାବୁ। ଧରାପଡ଼ିବା ପରେ ବଡ଼ ସଫେଇ ବି ଦେଇଛନ୍ତି।
📱 Get Argus News App
✨ଦିନକ ତଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ BMCର ଏଜକ୍ୟୁଟିଭ୍ ଇଞ୍ଜିନିୟର ଜଗନ୍ନାଥ ପଟ୍ଟନାୟକ। ଭୁବନେଶ୍ବର ବ୍ରିଟ୍ କଲୋନୀସ୍ଥିତ ଏ 3 ମହଲା କୋଠାରୁ ଜବତ ହୋଇଥିଲା କୁବେର ବାବୁଙ୍କର ଅମାପ ସମ୍ପତ୍ତି । ଆଖି ଖୋସି ହୋଇଯିବା ଭଳି ସୌକିନ ସାମଗ୍ରୀ, 6ଟି ସେଭିଂ ବ୍ୟାଙ୍କ ଆକାଉଣ୍ଟରେ ପ୍ରଚୁର ଟଙ୍କା, ମ୍ୟୁଚୁଆଲ୍ ଫଣ୍ଡରେ 28 ଲକ୍ଷ 44 ହଜାର ଟଙ୍କାର ନିବେଶ, ବ୍ରିଟ୍ କଲୋନୀରେ ଆଉ ଏକ ଘର, ଖଣ୍ଡଗିରି ଅଞ୍ଚଳରେ 3 ମହଲା କୋଠା, ବାଲିଅନ୍ତା ରଣପୁର ମୌଜାରେ ବଡ଼ ୧ ଏକର ୫୭ ଡିସମିଲର ଫାର୍ମ ହାଉସ । ତାର ଦିନକ ପୂର୍ବରୁ ଭିଜିଲାନ୍ସ ହାତରେ ଧରାପଡ଼ି ବନ୍ଧା ହୋଇଥିଲେ କେଉଁଝର କେନ୍ଦୁ ଲିଫ୍ ଡିଭିଜନ DFO ନିତ୍ୟାନନ୍ଦ ନାୟକ । ଯିଏ ଦୁର୍ନୀତି ଟଙ୍କାରେ ପ୍ଲଟ୍ କିଣିବାରେ ଟପିଯାଇଛନ୍ତି ସବୁ ରେକର୍ଡ । ହାତେଇଛନ୍ତି 123ଟି ପ୍ଲଟ୍। କେବଳ ନିତ୍ୟାନନ୍ଦ ନୁହନ୍ତି ବିଜେପି ସରକାରର ଗତ ଏକ ବର୍ଷ ଭିତରେ ଧରାପଡ଼ିଛନ୍ତି ଏମିତି ଅନେକ ପ୍ଲଟ୍ ନିଶାଡ଼ି ଦୁର୍ନୀତିଖୋର ବାବୁ। ଜଳସମ୍ପଦ ବିଭାଗ ସୁପରିଟେଣ୍ଡେଣ୍ଟ ଇଂ ପ୍ରଭାସ ପ୍ରଧାନ ପ୍ଲଟରେ ମାରିଥିଲେ ସେଞ୍ଚୁରୀ ।
ଏକ୍ସାଇଜ୍ ଜଏଣ୍ଟ କମିଶନର ରାମଚନ୍ଦ୍ର ମିଶ୍ରଙ୍କ ନାଁରେ ବାହାରିଥିଲା 52 ପ୍ଲଟ୍ । OBCC ଚିଫ୍ ଇଞ୍ଜିନିୟର ପ୍ରଦୀପ ରଥ ବି ପ୍ଲଟରେ ମାରିଥିଲେ ହାଫ୍ ସେଞ୍ଚୁରୀ। ଦୁର୍ନୀତି ପ୍ରତି ବିଜେପି ସରକାରଙ୍କ ଶୂନ୍ୟ ସହନଶୀଳତା ଖଣ୍ଡାରେ ଶିକାର ହେଲେଣି ଶହେରୁ ଅଧିକ ବଡ଼ ବାବୁ। ଗତ ବର୍ଷକ ଭିତରେ ରାଜ୍ୟର 62 ଜଣ କ୍ଲାସ୍ -1 ଅଫିର ଓ 48 ଜଣ କ୍ଲାସ୍ -2 ଅଫିସରଙ୍କ ବିରୋଧରେ ଭିଜିଲାନ୍ସ ରୁଜୁ କରିଛି ଅପରାଧିକ ମାମଲା ।