ଯିଏ ଜଗିବା କଥା ସିଏ ବି ବ୍ୟବହାର କରୁଛି ପଲିଥିନ !

ଶ୍ରୀମନ୍ଦିରରେ ନାଁକୁ ମାତ୍ର ପଲିଥିନ୍ ବ୍ୟାନ । ୨୦୨୪ ଜାନୁଆରୀରୁ ଶ୍ରୀମନ୍ଦିର ଭିତରେ ପ୍ଲାଷ୍ଟିକ ଓ ପଲିଥିନ୍ ନିଷେଧ ପାଇଁ ପରିଚାଳନା କମିଟି ବୈଠକରେ ହୋଇଥିଲା ନିଷ୍ପତ୍ତି । ହେଲେ ମନ୍ଦିର ଭିତରକୁ ବେଧଡ଼କ ପଲିଥିନ୍ ନିଆଯାଉଛି । ଭକ୍ତଙ୍କଠାରୁ ନେଇ ଖୋଦ୍ ସୁରକ୍ଷାକର୍ମୀ ପଲିଥିନରେ ନେଉଛନ୍ତି ବିଭିନ୍ନ ସାମଗ୍ରୀ ।
ଶ୍ରୀମନ୍ଦିରରେ ପଲିଥିନ ଓ ପ୍ଲାଷ୍ଟିକର ବ୍ୟବହାର ବନ୍ଦ ନେଇ ୨୦୨୦ରୁ ଆରମ୍ଭ ହୋଇଥିଲା ପ୍ରୟାସ। ତେବେ କିଛିଦିନ ପର୍ଯ୍ୟନ୍ତ ଏହି ନିଷ୍ପତ୍ତି କଡ଼ାକଡ଼ି ଭାବେ ପାଳନ ହୋଇଥିଲା । ପରେ ନାଲି ଫିତା ତଳେ ଚାପି ହୋଇଯାଇଥିଲା। ପୁର୍ନବାର ଗତବର୍ଷ ୨୦୨୪ ଜାନୁଆରୀ ୧ରୁ ଶ୍ରୀମନ୍ଦିର ଭିତରେ ପ୍ଲାଷ୍ଟିକ ଓ ପଲିଥିନ ବ୍ୟାନ ହେବ ବୋଲି ପରିଚାଳନା କମିଟି ବୈଠକରେ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଥିବା ବେଳେ ଏଥିରେ କିନ୍ତୁ ବ୍ୟତିକ୍ରମ ଦେଖିବାକୁ ମିଳିଛି। କାରଣ ଏବେ ବି ମାଳମାଳ ପଲିଥିନ ଶ୍ରୀମନ୍ଦିର ଭିତରକୁ ବେଧଡକ ଯାଉଛି । ଭକ୍ତଙ୍କଠାରୁ ଆରମ୍ଭ କରି ଖୋଦ୍ ସୁରକ୍ଷାକର୍ମୀମାନେ ପଲିଥିନ ଭିତରେ ଫୁଲ, ନଡିଆ ନେବାର ଦେଖିବାକୁ ମିଳିଛି। ତେବେ କାହିଁକି ପଲିଥିନ ବ୍ୟାନ୍ ନିଷ୍ପତ୍ତି ସତ୍ତ୍ୱେ ଏହା କାର୍ଯ୍ୟକାରୀ ହେଲାନାହିଁ ସେନେଇ ଉଠିଛି ପ୍ରଶ୍ନ।
୨୦୨୪ ଆରମ୍ଭରୁ ଏହାକୁ କଡ଼ାକଡ଼ି କରିବାକୁ ଶ୍ରୀମନ୍ଦିର ପ୍ରଶାସନ ଲକ୍ଷ ରଖିଥିବା ବେଳେ ଶ୍ରୀମନ୍ଦିର ଭିତରେ ପରିଷ୍କାର ଓ ସ୍ୱଚ୍ଚତା ଆଣିବାକୁ ଏହି ପ୍ରୟାସ ପୁର୍ନବାର ଆରମ୍ଭ କରାଯାଇଥିଲା। ତେବେ ନିଜ ନିଷ୍ପତ୍ତିକୁ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟକାରୀ କରିନଥିବାରୁ ତତ୍କାଳୀନ ସରକାରଙ୍କ ଅପାରଗତାକୁ ଦାୟୀ କରିଛନ୍ତି ବରିଷ୍ଠ ସେବାୟତ ବିନାୟକ ଦାସ ମହାପାତ୍ର। ଅନ୍ୟପଟେ ଶ୍ରୀମନ୍ଦିରରେ ପଲିଥିନ ବନ୍ଦ ନେଇ ପ୍ରଥମେ ଜନସଚେତନତା କରାଯିବ ଓ ପରେ ଆବଶ୍ୟକ ପଡିଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ ତଥା ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ କହିଛନ୍ତି।
୨୦୨୦ରୁ ଓ ପୁର୍ନବାର ୨୦୨୪ ଆରମ୍ଭରୁ ଶ୍ରୀମନ୍ଦିର ଭିତରକୁ ପଲିଥିନ ବ୍ୟାନ୍ କରାଯିବା ନିଷ୍ପତ୍ତି କାର୍ଯ୍ୟକାରୀ ହୋଇନଥିବା ବେଳେ କେବେ ଶ୍ରୀମନ୍ଦିର ଭିତରେ ପ୍ଲାଷ୍ଟିକ ଓ ପଲିଥିନ ବ୍ୟାନ ହେବ ଓ କେବେ ମନ୍ଦିର ଭିତରେ ସ୍ୱଚ୍ଚତା ଆସିବ ତାହା ଉପରେ ସମସ୍ତଙ୍କ ନଜର ରହିଛି।