Dev Deepawali / ଶ୍ରୀମନ୍ଦିର ସମ୍ମୁଖରେ ଲାଗିବ ହଜାର ହଜାର ଦୀପ, ଫୁଲରେ ସୁସଜ୍ଜିତ ହେବ ସିଂହଦ୍ୱାର

Key Points
ଏହାର ରଙ୍ଗ ଶ୍ୱେତବର୍ଣ୍ଣ ଓ ଧଡ଼ିରେ ବଡ଼ ବଡ଼ କୁମ୍ଭମାନ ପଡ଼ିଥାଏ ।
ଆସନ୍ତା ୧୯ରୁ ହେବ ଦେବ ଦୀପାବଳୀ ମହୋତ୍ସବ । ଶ୍ରୀମନ୍ଦିର ଛତିଶା ନିଯୋଗ ମହାନାୟକ ଜନାର୍ଦ୍ଦନ ପାଟଯୋଶୀ ମହାପାତ୍ରଙ୍କ ଆୟୋଜନରେ 3 ଦିନ ଧରି ଚାଲିବ ଉତ୍ସବ। ୧୯ ନଭେମ୍ବରରୁ ୨୧ ନଭେମ୍ବର ପର୍ଯ୍ୟନ୍ତ ସିଂହଦ୍ଵାର ନିକଟ ଏମାର ମଠ ସମ୍ମୁଖରେ ହେବ ଦୀପଦାନ । ଶ୍ରୀମନ୍ଦିର ରୀତିନୀତି ଓ ପରମ୍ପରାର ପୁନରୁଦ୍ଧାର ତଥା ସୁରକ୍ଷା ପାଇଁ କାର୍ଯ୍ୟ କରୁଥିବା ଜଗନ୍ନାଥ ସେବା ସଂସ୍ଥାନ ଆନୁକୁଲ୍ୟରେ ଏହି ତିନିଦିନ ବ୍ୟାପୀ ଦେବଦୀପାବଳୀ ମହୋତ୍ସବ ଆୟୋଜନ କରାଯାଇଛି ।
ମାର୍ଗଶୀର ମାସ ଚତୁର୍ଦ୍ଦଶୀ ତିଥିଠାରୁ ଶ୍ରୀମନ୍ଦିରରେ ତିନିଦିନ ବ୍ୟାପି ଦେବଦୀପାବଳି ଉତ୍ସବ ଅନୁଷ୍ଠିତ ହୋଇଥାଏ । ସାଧାରଣ ହିନ୍ଦୁମାନେ ଯେପରି କାର୍ତ୍ତିକ ଅମାବାସ୍ୟା ତିଥି, ଦୀପାବଳି ଦିନ ନିଜ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ତର୍ପଣାଦି କରି ଦୀପଦାନ କରିଥାନ୍ତି, ଠିକ ସେହିପରି ମହାପ୍ରଭୁ ଶ୍ରୀଜଗନ୍ନାଥ ମାର୍ଗଶିର ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ, ଅମାବାସ୍ୟା ଓ ଶୁକ୍ଳ ପ୍ରତିପଦ ତିଥିରେ ତିନିଦିନ ଧରି ପିତୃଗଣଙ୍କୁ ଶ୍ରାଦ୍ଧ ପ୍ରଦାନ ପୂର୍ବକ ଦୀପଦାନ କରିଥାନ୍ତି ।
ଏହି ତିନି ଦିନ ଶ୍ରୀଜଗନ୍ନାଥ ଶ୍ରାଦ୍ଧବେଶରେ ଭୂଷିତ ହୋଇ ବାମନ ରୂପରେ ସତ୍ୟଯୁଗର ଅଦିତି ଓ କଶ୍ୟପ, ଶ୍ରୀରାମ ରୂପରେ ତ୍ରେତୟା ଯୁଗର କୌଶଲ୍ୟା ଓ ଦଶରଥ ଓ ଶ୍ରୀକୃଷ୍ଣ ରୂପରେ ଦେବକୀ ଓ ବସୁଦେବ ତଥା ଗୁଣ୍ଡିଚା ଓ ଇନ୍ଦ୍ରଦ୍ୟୁମ୍ନଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ପ୍ରଦାନ ପୂର୍ବକ ଦୀପଦାନ କରିଥାନ୍ତି ।
ପ୍ରଥମଦିନ ମାର୍ଗଶୀର କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ତିଥିରେ କଶ୍ୟପ ଓ ଅଦିତିଙ୍କ ଉଦ୍ଦେଶ୍ୟରେ ମହାପ୍ରଭୁ ଶ୍ରାଦ୍ଧ ଦେବେ, ଦ୍ୱିତୀୟ ଦିନରେ ମାର୍ଗଶୀର ଅମାବାସ୍ୟା ତିଥିରେ ଦଶରଥ ଓ କୌଶଲ୍ୟାଙ୍କ ଉଦ୍ଦେଶ୍ୟରେ, ତୃତୀୟ ଦିନ ମାର୍ଗଶୀର ଶୁକ୍ଳ ପ୍ରତିପଦା ତିଥିରେ ବସୁଦେବ-ଦେବକୀ, ନନ୍ଦ-ଯଶୋଦା ଓ ଇନ୍ଦ୍ରଦ୍ୟୁମ୍ନ-ଗୁଣ୍ଡିଚାଙ୍କ ଉଦ୍ଦେଶ୍ୟରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଶ୍ରାଦ୍ଧ ଓ ଦୀପଦାନ କରିଥାନ୍ତି ।
ଶ୍ରାଦ୍ଧ ସମୟରେ ଶ୍ରୀଜଗନ୍ନାଥ ପିନ୍ଧୁଥିବା ବସ୍ତ୍ରକୁ କାଶୀଧଡ଼ିଆ ବସ୍ତ୍ର କୁହାଯାଏ । ଏହାର ରଙ୍ଗ ଶ୍ୱେତବର୍ଣ୍ଣ ଓ ଧଡ଼ିରେ ବଡ଼ ବଡ଼ କୁମ୍ଭମାନ ପଡ଼ିଥାଏ । ପୁଷ୍ପାଳକ ସେବକମାନେ ଶ୍ରୀଜୀଉମାନଙ୍କୁ ଚିତ୍ତାକର୍ଷକ ଶ୍ରାଦ୍ଧବେଶରେ ସଜ୍ଜିତ କରିଥାନ୍ତି । ଏହି ଅବସରରେ ଠାକୁରମାନେ ନଳିଭୂଜ, କୁଣ୍ଡଳ, ଚନ୍ଦ୍ରସୂର୍ଯ୍ୟ, ଆଡ଼କାନି, ତଡ଼ଗି, ହରିଡ଼ାଶାଳି ପ୍ରଭୃତି ସୁବର୍ଣ୍ଣ ଅଳଙ୍କାର ପରିଧାନ କରିଥାନ୍ତି ।
ସମସ୍ତ ଭକ୍ତଙ୍କୁ ଶ୍ରୀମନ୍ଦିର ସମ୍ମୁଖରେ ଏହି ଦୀପଦାନ କରିବାକୁ ଏକ ସାମ୍ବାଦିକ ସମ୍ମିଳନୀରେ ଅନୁରୋଧ କରିଛନ୍ତି ଛତିଶାନିଯୋଗ ମହାନାୟକ ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ର।
📱 Get Argus News App
✨Related Topics
Explore more stories