Videos
|
Odisha

ପାଞ୍ଜିର ଦ୍ଵନ୍ଦ୍ଵ : ୨ ଦିନ ପିଣ୍ଡ ଦେବେ ଭକ୍ତ !

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
ପାଞ୍ଜିର ଦ୍ଵନ୍ଦ୍ଵ : ୨ ଦିନ ପିଣ୍ଡ ଦେବେ ଭକ୍ତ !

Key Points

  • କାଳୀପୂଜାକୁ ନେଇ ପାଞ୍ଜି ବଢାଇଲା ଦ୍ଵନ୍ଦ୍ଵ
  • ଗତକାଲି କିଛି ପାଳନ କଲେ, ଆଜି ଆଉ କିଛି...

ଅର୍ଗସ ବ୍ୟୁରୋ: ଦୀପାବଳୀ, କାଳୀପୂଜା ଓ ପୟା ଶ୍ରାଦ୍ଧ ପାଳନକୁ ନେଇ ଥମିଲାନି ଦ୍ଵନ୍ଦ। ଚତୁର୍ଦ୍ଦଶୀ ଯୁକ୍ତ ଅମାବାସ୍ୟାରେ ଜଳିଲା କାଉଁରିଆ, ପଡିଲା ପିଣ୍ଡ, ଭକ୍ତ ଡାକିଲେ ବଡବଡୁଆ । ପୁରା ରାଜ୍ୟରେ ଏଥର ପ୍ରୟାଶ୍ରାଦ୍ଧକୁ ନେଇ ଦେଖାଗଲା ବ୍ୟତିକ୍ରମ । ଗତକାଲି ଶ୍ରୀକ୍ଷେତ୍ର ସିଂହଦ୍ଵାରରେ ପୟା ଶ୍ରାଦ୍ଧ ଓ କାଉଁରିଆ ଜାଳିବା ପାଇଁ ଲାଗିଥିଲା ଭକ୍ତଙ୍କ ଭିଡ । ପିତୃ ପୁରୁଷଙ୍କୁ ଶ୍ରାଦ୍ଧ ଅର୍ପଣ କରିବା ସହ ଆଲୋକବର୍ତ୍ତିକା ଦେଖାଇଛନ୍ତି ରାଜ୍ୟର କୋଣ ଅନୁକୋଣରୁ ଆସିଥିବା ହଜାର ହଜାର ଶ୍ରଦ୍ଧାଳୁ । ଉପଯୁକ୍ତ ତିଥୀ ନଥିଲେ ବି ଶତାଧିକ ଭକ୍ତ ଦେଇଛନ୍ତି ପୟାଶ୍ରାଦ୍ଧ । ଯାହାକୁ ନେଇ ଦେଖାଯାଇଛି ବିବାଦ ।

ଶୁକ୍ରବାର ଦିବାକାଳିନ ଅମାବାସ୍ୟା ତିଥିରେ ପୟାଶ୍ରାଦ୍ଧ ବା ଅମାବାସ୍ୟା ଶ୍ରାଦ୍ଧ ଦେବାକୁ ଶ୍ରୀମନ୍ଦିର ପ୍ରଶାସନର ସ୍ଵୀକୃତ ପଞ୍ଜିକାରେ ସ୍ପଷ୍ଟ ଉଲ୍ଲେଖ ରହିଛି । କିନ୍ତୁ କେତେକ ପାଞ୍ଜି ଓ ଓଡ଼ିଆ କ୍ୟାଲେଣ୍ଡର ସହ ଗୁଗୁଲ କ୍ୟାଲେଣ୍ଡରରେ ଅକ୍ଟୋବର ୩୧ ତାରିଖ ଅର୍ଥାତ୍‌ ଗତକାଲି କାଳୀପୂଜା ଲେଖାଥିବାରୁ ଭକ୍ତ ଗତକାଲି ଡାକିଥିଲେ ବଡବଡୁଆ ।  ଖାଲି ଏତିକି ନୁହେଁ ବରଂ ଗୁରୁବାର ସରକାରୀ ଛୁଟି ଦିଆଯାଇଥିବାରୁ ବହୁ ଲୋକେ ବାଧ୍ୟ ହୋଇଥିଲେ ଗୁରୁବାର ଶ୍ରାଦ୍ଧ ଦେବାକୁ । ତେବେ ଲୋକଙ୍କ ଦ୍ବନ୍ଦ୍ବକୁ ନଜରରେ ରଖି ୩୧ ଅକ୍ଟୋବର ଓ ୧ ନଭେମ୍ବର ଦୁଇଦିନ ପାଇଁ ଶ୍ରୀକ୍ଷେତ୍ରରେ ହୋଇଛି ପ୍ରଶାସନିକ ବ୍ୟବସ୍ଥା । ମହାପ୍ରଭୁଙ୍କ ଦର୍ଶନ ଓ ପୟାଶ୍ରାଦ୍ଧ ପାଇଁ ୨୬ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଥିବା ବେଳେ ୩ ଅତିରିକ୍ତ ଏସପି ରାଙ୍କ ଅଧିକାରୀ ନିୟୋଜିତ ହୋଇଛନ୍ତି । ସେଇଭଳି କାଉଁରିଆ କାଠି ଜାଳିବା ପାଇଁ ଚିହ୍ନିତ ସ୍ଥାନରେ ବର୍ଗାକାର ବ୍ୟାରିକେଡ଼ ହେବା ସହ ନିକଟରେ ପ୍ରସ୍ତୁତ ରହିଛି ଅଗ୍ନିଶମ ବା ଦମକଳ ଗାଡ଼ି ।

ଶାସ୍ତ୍ରୀୟ ପରମ୍ପରା ଅନୁଯାୟୀ ପ୍ରାତଃ ସମୟରେ ଦେବ କର୍ମ, ମଧ୍ୟାହ୍ନରେ ପିତୃ କର୍ମ  ଓ ରାତ୍ରି କାଳରେ ପ୍ରେତକର୍ମ ହୋଇପାରିବ। ପଞ୍ଜିକାର ମାନଙ୍କ ଗଣନା ଅନୁଯାୟୀ ଗୁରୁବାର ଅପରାହ୍ନ ୨ ଟା ୩୬ ପରଠାରୁ ଅମାବାସ୍ୟା ତିଥି ରହିଛି ଯାହା ଶୁକ୍ରବାର ସଂଧ୍ୟା ପର୍ଯ୍ୟନ୍ତ ରହିବ। ତେଣୁ ଶାସ୍ତ୍ର ମୁତାବକ ଅମାବାସ୍ୟାର ଦିବାଲୋକ ଅର୍ଥାତ ଆଜି ହିଁ ପୟାଶ୍ରାଦ୍ଧ ବୋଲି ପଞ୍ଜିକାରେ ଉଲ୍ଲେଖ ରହିଛି। 

ଶାସ୍ତ୍ର ଅନୁସାରେ, ଆଶ୍ଵିନ କୃଷ୍ଣ ପ୍ରତିପଦା ଠାରୁ ପିତୃପକ୍ଷରେ ମର୍ତ୍ତ୍ୟଲୋକରୁ ଆସିଥିବା ପିତୃପୁରୁଷଙ୍କୁ ଦୀପାବଳିରେ ଆଲୋକର ମାର୍ଗ ଦେଖାଇ ମେଲାଣି ଦେବାର ବିଧି ରହିଛି । କାଉଁରିଆ କାଠି ଜାଳି ବଡ଼ବଡୁଆ ଡାକନ୍ତି ଶ୍ରଦ୍ଧାଳୁ। ତେବେ ତିଥୀ ଦ୍ବନ୍ଦ୍ବ ଯୋଗୁଁ ଓଡ଼ିଶାବାସୀ ଦୁଇ ଭାଗରେ ବାଣ୍ଟି ହୋଇଯାଇଛନ୍ତି। ଯାହାକୁ ନେଇ ଅସନ୍ତୋଷ ଦେଖାଯିବା ସହିତ ଆଗାମୀ ଦିନରେ ଏମିତି ହେବା ଅନୁଚିତ୍‌ ବୋଲି କହିଛନ୍ତି ବୁଦ୍ଧିଜୀବୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

Paya Shraddha | Argus News