ଗରିବ ମେଧାବୀ ଛାତ୍ର, ନିଟ୍ ପାଇଲେ...ହେଲେ ପଢିବାକୁ ନାହିଁ ସମ୍ବଳ

Key Points
ସଂଘର୍ଷର ଯନ୍ତ୍ରଣା ଭିତରେ ସଫଳତାର କାହାଣୀ
ବିନା କୋଚିଂରେ ନିଟ୍ ପରୀକ୍ଷାରେ ପାଇଲେ ସଫଳତା
କେବଳ ୟୁଟ୍ୟୁବରୁ ପାଠପଢ଼ି ନିଟ୍ ପରୀକ୍ଷାରେ ହୋଇଛନ୍ତି କୃତକାର୍ଯ୍ୟ
ସଂଘର୍ଷର ଯନ୍ତ୍ରଣା ଭିତରେ ସଫଳତାର କାହାଣୀ । ଅନ୍ଧକାର ବର୍ତ୍ତମାନକୁ ଉଜ୍ଜଳ ଭବିଷ୍ୟତରେ ପରିଣତ କରିବା ପାଇଁ ସଂଘର୍ଷ କରୁଥିବାବେଳେ ଲକ୍ଷ୍ୟ ପୂରଣ ପାଇଁ ଅର୍ଥ ସାଜିଛି ବାଧକ । ମେଧାବୀ ଛାତ୍ରଙ୍କ ସଂଘର୍ଷ, ବିନା କୋଚିଂରେ ନିଟ୍ ପରୀକ୍ଷାରେ ମିଳିଛି ସଫଳତା । କେବଳ ୟୁଟ୍ୟୁବରୁ ପାଠପଢ଼ି ନିଟ୍ ପରୀକ୍ଷାରେ ହୋଇଛନ୍ତି କୃତକାର୍ଯ୍ୟ । ହେଲେ ବ୍ୟୟ ବହୁଳ ଡାକ୍ତରୀ ଶିକ୍ଷା ପାଇଁ ଅର୍ଥ ସାଜିଛି ବାଧକ ।
ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ସଦର ବ୍ଲକ ଭତରା ସାହିରେ ରହୁଥିବା ଧବଳେଶ୍ୱର ପୂଜାରୀ । ତିନି ବର୍ଷ ବୟସରେ ବାପା ଘର ଛାଡି କେଉଁ ଆଡେ ଚାଲି ଯାଇଥିବାବେଳେ ମାଆ କାଞ୍ଚନ ପୂଜାରୀ ପର ଘରେ ମୁଲ ଲାଗି ପୁଅଙ୍କୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼େଇଥିଲେ । ଦଳେଶ୍ୱର ମାଟ୍ରିକ ପରୀକ୍ଷାରେ ୮୦ ପ୍ରତିଶତ ନମ୍ବର ରଖିବା ସତ୍ୱେ ଅର୍ଥ ଅଭାବ ଯୋଗୁଁ କୌଣସି କଲେଜରେ ନାମ ଲେଖାଇବା ପାଇଁ ଅକ୍ଷମ ଥିଲେ । ଅନ୍ୟପଟେ କୋଶାଗୁମୁଡା ବ୍ଲକର ଜଣେ ସ୍ୱେଚ୍ଛାସେବୀ ମଳୟ ପାଣିଗ୍ରାହୀ ଦଳେଶ୍ୱରଙ୍କ ବିଷୟରେ ଅବଗତ ହେବା ପରେ ସହାୟତାର ହାତ ବଢ଼ାଇ ନିଜସ୍ୱ ଖର୍ଚ୍ଚରେ ଯୁକ୍ତ ୨ ବିଜ୍ଞାନ ପାଠ ପଢ଼େଇଥିଲେ । ଏଥିରେ ୮୮ ପ୍ରତିଶତ ନମ୍ବର ରଖି ଦଳେଶ୍ୱର କୃତିତ୍ୱ ହାସଲ କରିଥିଲେ ।
📱 Get Argus News App
✨ଉଚ୍ଚ ଶିକ୍ଷା ନେଇ ମନରେ ପ୍ରବଳ ଆଗ୍ରହ ଥିଲେ ମଧ୍ୟ ଅର୍ଥ ଅଭାବ ଯୋଗୁଁ ଆନ୍ଧ୍ରପ୍ରଦେଶକୁ ଦାଦନ ଖଟିବାକୁ ଯାଇଥିଲେ । ନିଜ ରୋଜଗାର ଟଙ୍କାରେ ବହି ଖାତା ଓ ସ୍ମାର୍ଟ ଫୋନ କିଣି ନିଟ୍ ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇଥିଲେ । ବିନା କୌଣସି କୋଚିଂରେ କେବଳ ୟୁଟ୍ୟୁବରୁ ନିଟ୍ ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ । ଯାହାକି ଦଳେଶ୍ୱରଙ୍କୁ ସଫଳତା ମିଳିଛି । ପ୍ରଥମ ଓ ଦ୍ଵିତୀୟ ପ୍ରୟାସରେ ବିଫଳ ହୋଇଥିବାବେଳେ ତୃତୀୟ ପ୍ରୟାସରେ ଦଳେଶ୍ୱର ୩୭୬ ନମ୍ବର ରଖି ସଫଳତା ପାଇଛନ୍ତି । ଷ୍ଟେଟ ରେଙ୍କ ୩୮୫୮ ରଖି କୃତିତ୍ୱ ହାସଲ କରିଛନ୍ତି । ଇତି ମଧ୍ୟରେ କାଉଁସିଲିଂ ଶେଷ ହୋଇଥିବା ବେଳେ ଦଳେଶ୍ୱରଙ୍କୁ କୋରାପୁଟ ମେଡିକାଲ କଲେଜରେ ସିଟ୍ ମିଳିଛି । ଦୁଃଖ ଓ ପରିତାପର ବିଷୟ ମେଡିକାଲ କଲେଜ ରେ ଆଡ଼ମିସନ ପାଇଁ ଦଳେଶ୍ୱର ଙ୍କ ନିକଟରେ ଅର୍ଥ ନାହିଁ। ପାଠପଢା ପାଇଁ ହାରାହାରି ୭ ଲକ୍ଷ ରୁ ଉର୍ଦ୍ଧ ଟଙ୍କା ଖର୍ଚ୍ଚ ହେବାକୁ ଥିବାବେଳେ କୋଉଠୁ ଏତେ ଟଙ୍କା ଯୋଗାଡ଼ କରିବେ ଏବଂ ଡାକ୍ତର ହେବେ ସେନେଇ ଚିନ୍ତାରେ ପଢିଛନ୍ତି ଦଳେଶ୍ୱର ।
ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ଦଳେଶ୍ୱରଙ୍କ ଡାକ୍ତରୀ ପାଠପଢା ଦାୟିତ୍ୱ ନେଲେ ଜଣେ ଗରିବ ମେଧାବୀ ଛାତ୍ରଙ୍କ ଭବିଷ୍ୟତ ଉଜ୍ୱଳମୟ ହୋଇପାରନ୍ତା ବୋଲି ପାଇଁ ବୁଦ୍ଧିଜୀବୀ ମହଲରେ ମତ ଉଠୁଛି ।