Dhana Mandi / ୨୫ରୁ ଧାନ ବିକିବେ ଚାଷୀ, ୧୦୦ ଧାନ ମଣ୍ଡି ହେବ ମଡେଲ ମଣ୍ଡି

Key Points
୨ ବର୍ଷ ଭିତରେ ସରକାର ମୋଟ ୧୦୦ଟି ମଡେଲ ମଣ୍ଡି ପାଇଁ ଲକ୍ଷ୍ୟ ରଖିଛନ୍ତି ।
ଆସନ୍ତା ୨୫ ତାରିଖରୁ ଖୋଲିବ ଧାନ ମଣ୍ଡି । ଆରମ୍ଭ ହେବ ଖରିଫ ଧାନ କିଣା । ଧାନ କିଣାରେ ସୁବ୍ୟବସ୍ଥା ଉପରେ ଫୋକସ୍ ଦେଉଛନ୍ତି ରାଜ୍ୟ ସରକାର। ସବୁ ଜିଲ୍ଲାରେ ମଡେଲ୍ ମଣ୍ଡି ପାଇଁ ଯୋଜନା ଥିବା ବେଳେ ୨ ବର୍ଷରେ ରାଜ୍ୟରେ ୧୦୦ ମଡେଲ ମଣ୍ଡି ସ୍ଥାପନ କରାଯିବ। ଯେଉଁଠି ଚାଷୀଙ୍କୁ ମିଳିବ ଅତ୍ୟାଧୁନିକ ସୁବିଧା।
ଦୁଇଟି ପର୍ଯ୍ୟାୟରେ କାର୍ଯ୍ୟକାରୀ ହେବ ମଡେଲ ମଣ୍ଡି ପ୍ରକଳ୍ପ । ପ୍ରଥମ ପର୍ଯ୍ୟାୟରେ ମଡେଲ ମଣ୍ଡି କରିବା ପାଇଁ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ମଣ୍ଡି ଚିହ୍ନଟ ହୋଇଛି । ଏଥିରେ ୧୪ଟି ବଡ଼, ୧୭ଟି ମଧ୍ୟମ ଏବଂ ୭ଟି ଛୋଟ ସମେତ ୩୮ଟି ମଡେଲ ମଣ୍ଡି ହେବ । ଏନେଇ OBCCକୁ ଟେଣ୍ଡର ଦିଆଯାଇଛି । ଏଥିପାଇଁ ୩୧୩ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ଦ୍ଵିତୀୟ ପର୍ଯ୍ୟାୟରେ ୬୨ଟି ମଡେଲ ମଣ୍ଡି କରାଯିବ । ୨ ବର୍ଷ ଭିତରେ ସରକାର ମୋଟ ୧୦୦ଟି ମଡେଲ ମଣ୍ଡି ପାଇଁ ଲକ୍ଷ୍ୟ ରଖିଛନ୍ତି ।
ତେବେ ଏସବୁ ଭିତରେ ନଭେମ୍ବର ୨୫ରୁ ଖରିଫ ଧାନ କିଣା ପାଇଁ ମଣ୍ଡି ଖୋଲିବାକୁ ନିଷ୍ପତି ନେଇଛନ୍ତି ସରକାର । ଅନ୍ୟପଟେ ଧାନ ମଣ୍ଡି ଖୋଲିବା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛି ବିଜେଡି ।
ସରକାରଙ୍କ କହିବା, କଥା ମଡେଲ ମଣ୍ଡି ଦ୍ଵାରା ସିଧାସଳଖ ବଜାର ପ୍ରବେଶ ସହଜ ହେବ । ଆଉ ଦଲାଲ ଓ ମଧ୍ୟସ୍ଥି ହସ୍ତକ୍ଷେପ ହେବନି । ଚାଷୀଙ୍କ ଅମଳ ପରବର୍ତ୍ତୀ କ୍ଷତି ମଧ୍ୟ କମିବ । ଚାଷଙ୍କୁ ସେମାନଙ୍କ ଫସଲର ମିଳିବ ଉଚିତ ମୂଲ୍ୟ । ମଡେଲ୍ ମଣ୍ଡି ଗୁଡ଼ିକରେ ଆଧୁନିକ ଭିତ୍ତିଭୂମି ରହିବ, ଯେଉଁଥିରେ ଶସ୍ୟ ଶୁଖାଇବା ପାଇଁ କଂକ୍ରିଟ ପ୍ଲାଟଫର୍ମ, ସେଡ୍ ଏବଂ ଧାନ ସଂରକ୍ଷଣ ପାଇଁ ବହୁମୁଖୀ ଗୋଦାମ ମଧ୍ୟ ରହିବ ।
ଏହାସହ ଇଲେକ୍ଟ୍ରୋନିକ୍ ଓଜନ ଯନ୍ତ୍ର, ଗୁଣବତ୍ତା ପରୀକ୍ଷା କିଓସ୍କ ଏବଂ କୁଲିଂ ଚାମ୍ବର ମଧ୍ୟ ରହିବ । ଚାଷୀଙ୍କ ସୁବିଧା ପାଇଁ ବିଶ୍ରାମ ସ୍ଥାନ, ଶୌଚାଳୟ ଏବଂ ମହିଳା ଚାଷୀଙ୍କ ପାଇଁ ଶିଶୁ ଯତ୍ନ କେନ୍ଦ୍ର ଏବଂ ବିଶ୍ରାମ କୋଠରୀ ଭଳି ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ କରିବେ ସରକାର । କିଛି ସ୍ଥାନରେ ମଡେଲ ମଣ୍ଡି ଆରମ୍ଭ ହୋଇଛି । ସମ୍ବଲପୁର ବରେଇପାଲିର ଆରଏମସି ମଡେଲ ମଣ୍ଡି, ଗତ ଥର ଏଠାରେ ସବୁ ସୁବିଧା ଯୋଗାଇ ଧାନ କିଣିଥିଲେ ସରକାର । ମିଲରଙ୍କ ମନମାନୀ ବନ୍ଦ କରିବା ପାଇଁ ସରକାର ସବୁ ମଣ୍ଡିକୁ ମଡେଲ ମଣ୍ଡି କରନ୍ତୁ ବୋଲି ଦାବି କରିଛନ୍ତି ଚାଷୀ ।
ସେପଟେ ନଭେମ୍ବର ୨୫ରୁ ଖୋଲିବ ଧାନ ମଣ୍ଡି । ସରକାର ଧାନ ନେବା ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ମିଲର ମାନଙ୍କୁ ଗୋଦାମ ଖାଲି କରିବା ପାଇଁ ଦାୟିତ୍ୱ ଦିଆଯାଇଛି । ଗତବର୍ଷ ଅପେକ୍ଷା ଚଳିତ ବର୍ଷ ଅଧିକ ଧାନ ଚାଷ ହେଇଛି । ଯେଉଁମାନେ ପଞ୍ଜିକରଣ କରିଛନ୍ତି ସମସ୍ତଙ୍କ ଠାରୁ ଧାନ କିଣା ହେବ ବୋଲି ସରକାର ଆଶ୍ବସ୍ତ କରିଛନ୍ତି । ଏଥର ଖରିଫରେ ୧୯,୬୭,୮୧୭ ଚାଷୀ ଧାନ ବିକିବାକୁ ନାଁ ପଞ୍ଜିକରଣ କରିଛନ୍ତି ।
📱 Get Argus News App
✨Related Topics
Explore more stories