ଢେଙ୍କାନାଳ ଜିଲ୍ଲାରେ 92 କୋଟି ଟଙ୍କାର ସରକାରୀ ପ୍ରକଳ୍ପର ଶୁଭାରମ୍ଭ କଲେ ଧର୍ମେନ୍ଦ୍ର

Key Points
କାମାକ୍ଷାନଗର ଓ ତାଳଚେରରେ ନୂତନ କେନ୍ଦ୍ରୀୟ ବିଦ୍ୟାଳୟର ଅସ୍ଥାୟୀ କ୍ୟାମ୍ପସର ଉଦଘାଟନ
ଏହି ପ୍ରକଳ୍ପ ଜିଲ୍ଲାରେ ଶିକ୍ଷା ଓ ଯୋଗାଯୋଗ ଭିତ୍ତିଭୂମିକୁ କରିବ ସୁଦୃଢ
ଚାଷ ଓ ଜଳସେଚନକୁ ସୁବ୍ୟବସ୍ଥିତ ସହ ପର୍ଯ୍ୟଟନର କରାଯିବ ବିକାଶ
ଢେଙ୍କାନାଳ ଜିଲ୍ଲାରେ ୯୨ କୋଟି ଟଙ୍କାର ୨୨ଟି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଢେଙ୍କାନାଳର କାମାକ୍ଷାନଗର ଏବଂ ଅନୁଗୋଳର ତାଳଚେରଠାରେ କେନ୍ଦ୍ରୀୟ ବିଦ୍ୟାଳୟର ଅସ୍ଥାୟୀ କ୍ୟାମ୍ପସର ଲୋକାର୍ପଣ ସହ ସ୍ଥାୟୀ କ୍ୟାମ୍ପସ ପାଇଁ ଭିତ୍ତି ସ୍ଥାପନ କରିଛନ୍ତି। ଏ ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଡବଲ ଇଞ୍ଜିନ ସରକାରରେ ଏ ଅଞ୍ଚଳ ଅଗ୍ରଣୀ ଅଞ୍ଚଳରେ ପରିଣତ ହେବ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଆହୁରି କହିଛନ୍ତି ଯେ- କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ଢେଙ୍କାନଳରେ ଚାଷ ଓ ଜଳସେଚନକୁ ସୁବ୍ୟବସ୍ଥିତ କରାଯିବ। ଘର ଘରକୁ ପାଇପ ଯୋଗେ ପାନୀୟ ଜଳ ଯୋଗାଯିବ।
ଏଥି ସହିତ କାମାକ୍ଷାନଗର ବୈଶିଙ୍ଗାରେ ଅଣ୍ଡରପାସର ଉଦଘାଟନ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଅଞ୍ଚଳର ବିକାଶ ସହିତ, ପର୍ଯ୍ୟଟନ, ଚାଷ ଓ ଗୁଣାତ୍ମକ ଓ ଏବଂ ଦକ୍ଷତା ଭିତ୍ତିକ ଶିକ୍ଷା ପ୍ରଦାନ ଉପରେ ଜୋର ଦେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ଏଥିପାଇଁ ଜିଲ୍ଲାରେ 3ଟି ଛାତ୍ରାବାସ ଓ 3ଟି ସୌର ଶକ୍ତି ଚାଳିତ ଶୀତଳ ଭଣ୍ଡାରର ଉଦଘାଟନ କରିଛନ୍ତି। ଆୟୋଜିତ କାର୍ଯ୍ୟକ୍ରମରେ ଢେଙ୍କାନାଳ ସାଂସଦ ରୁଦ୍ର ପାଣିଙ୍କ ସମେତ ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାର ବିଧାୟକ ଯୋଗ ଦେଇଥିଲେ।