ମହତାବଙ୍କୁ ମନପକାଇଲେ, ବଡ଼ ବୟାନ ଦେଲେ ଧର୍ମେନ୍ଦ୍ର

Key Points
- ମହତାବଙ୍କୁ ମନପକାଇଲେ, ବଡ଼ ବୟାନ ଦେଲେ ଧର୍ମେନ୍ଦ୍ର
- କହିଲେ, ମହତାବ୍ଙ୍କ ପରିକଳ୍ପନା ଓଡ଼ିଶା ପାଇଁ ଅନନ୍ୟ
- ମହତାବ ଜଣେ ବ୍ୟକ୍ତି ନ ଥିଲେ, ଥିଲେ ଜଣେ ଚରିତ୍ର
ଅର୍ଗସ ବ୍ୟୁରୋ: ଡଃ ହରେକୃଷ୍ଣ ମହତାବ୍ । ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଥିଲେ । କିନ୍ତୁ ତାଙ୍କର ମୁଖ୍ୟମନ୍ତ୍ରୀ କାଳରେ ଏମିତି କିଛି କାର୍ଯ୍ୟ କରିଥିଲେ ଯାହା ଆଜି ବି ପ୍ରତିଟି ଓଡ଼ିଆ ପାଇଁ ଗର୍ବ ଓ ଗୌରବର ବିଷୟ । ନେତା ହେବା ପରେ ବି କେମିତି ସାଧାରଣ ଲୋକ ଭଲରେ ବଞ୍ଚିପାରିବ ସେନେଇ ଦେଖିଥିଲେ ସ୍ଵପ୍ନ । କେବଳ ଯେ ସ୍ଵପ୍ନ ଦେଖି ବସିଥିଲେ ତାହା ନୁହେଁ ବରଂ ତାକୁ ବାସ୍ତବତାର ରୂପ ବି ଦେଇଥିଲେ । ସେଇଥି ଲାଗି ତ ଦିଲ୍ଲୀରେ ଆୟୋଜିତ ହୋଇଥିବା ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ଡଃ ମହାତାବଙ୍କୁ ଭୂରି ଭୂରି ପ୍ରଶଂସା କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଡଃ ମହତାବଙ୍କ ଦ୍ୱାରା ଲିଖିତ ‘ଗାଁ ମଜିଲିସ’ରେ ଦେଶ ସମାଜର ସ୍ଥିତି, ସୁଧାର, ସମାଜ ନିର୍ମାଣର ନିଚ୍ଛକ ଚିତ୍ର ଥିଲା । ମହତାବ ଜଣେ ବ୍ୟକ୍ତି ନଥିଲେ, ଥିଲେ ଜଣେ ଚରିତ୍ର, ବିଚାରଧାରା, ସଂସ୍କୃତି ଓ ଆଇଡିଆ । ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଓ ମହତାବ ଭାରତର ଛୋଟ ରାଜ୍ୟ ଓ ଗଡଜାତ ରାଜ୍ୟକୁ ଭାରତର ଅଖଣ୍ଡତା ସହ ଯୋଡିଥିଲେ । ଡଃ ମହତାବ ମୁଖ୍ୟମନ୍ତ୍ରୀ ଦାୟିତ୍ୱରେ ଥିବା ସମୟରେ ହୀରାକୁଦ ଡ୍ୟାମର ନିର୍ମାଣ ହୋଇଥିଲା । ଏହି କାମରୁ ଅନୁମେୟ ଯେ ସେ ଥିଲେ ଜଣେ ଯୁଗଦ୍ରଷ୍ଟା, ଜଣେ ରାଷ୍ଟ୍ର ପୁରୁଷ । ତାଙ୍କର ସାମାଜିକ କାର୍ଯ୍ୟ, ସାହିତ୍ୟର ସୃଜନଶୀଳତା, ସାମ୍ବାଦିକତାର ସୁକ୍ଷ୍ମ ଦୂରଦୃଷ୍ଟି ଥିଲା ଅସାଧାରଣ ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।
ଖାଲି ଏତିକି ନୁହେଁ ବରଂ ଦେଶ ଯେତେବେଳେ ଇଂରାଜୀଙ୍କ ଗୁଲାମୀର ଶାସନରେ ଚାଲୁଥିଲା, ସମ୍ଭ୍ରାନ୍ତ ପରିବାରରୁ ଆସିଥିବା ଡଃ ମହତାବ ସୁଖ, ସ୍ୱାଚ୍ଛନ୍ଦ୍ୟ ଓ ବୈଭବକୁ ତ୍ୟାଗ କରି ଦେଶ, ଜାତି, ଭାଷା, ସଂସ୍କୃତି ପାଇଁ ଇଂରେଜ ଶାସନ ଏବଂ ପରାଧୀନତା ବିରୋଧରେ ନିଜର ସଂଘର୍ଷ ଜାରି ରଖିଥିଲେ । ଏଥିପାଇଁ ଆମେ ତାଙ୍କୁ ଶ୍ରଦ୍ଧାରେ ଉତ୍କଳ କେଶରୀ ବୋଲି ସମ୍ବୋଧନ କରୁଛେ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ । ମୋଟ୍ ଉପରେ, ଉତ୍କଳ କେଶରୀ ହରେକୃଷ୍ଣ ମହତାବଙ୍କ ୧୨୫ ତମ ଜୟନ୍ତୀ ପାଳନ ହୋଇଛି । ବର୍ଷ ବ୍ୟାପୀ ଚାଲିବ ଏହି କାର୍ଯ୍ୟକ୍ରମ । ଭାରତ ସରକାରଙ୍କ ପକ୍ଷରୁ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଓଡ଼ିଶାରେ ବନ୍ୟା ନିୟନ୍ତ୍ରଣ, କୃଷି, ଶିଳ୍ପାୟନ କ୍ଷେତ୍ରରେ ଡକ୍ଟର ମହତାବଙ୍କ ଭୂମିକାକୁ ପ୍ରଶଂସା କରିବା ସହ ଭାଷା ଓ ସାହିତ୍ୟ କ୍ଷେତ୍ରରେ ଉତ୍କଳକେଶରୀଙ୍କ ଯୋଗଦାନକୁ ମନେପକାଇଥିଲେ ରାଷ୍ଟ୍ରପତି । ସେପଟେ, ମୁଖ୍ୟମନ୍ତ୍ରୀ କହିଥିଲେ, ହୀରକୁଦ ବନ୍ଧ ପାଇଁ ମହତାବଙ୍କୁ କେବେ ଭୁଲିହେବନି ।
📱 Get Argus News App
✨ଉତ୍କଳକେଶରୀ ଡକ୍ଟର ମହଜାବ ଥିଲେ ଏକାଧାରରେ ଜଣେ ସ୍ବାଧୀନତା ସଂଗ୍ରାମୀ, ରାଜନେତା, ଐତିହାସିକ, ଲେଖକ, ସମାଜ ସଂସ୍କାରକ ଓ ସଂବାଦପତ୍ର ସଂସ୍ଥାପକ। ୨୬ ଗଡ଼ଜାତ ରାଜ୍ୟକୁ ଓଡ଼ିଶାରେ ମିଶାଇବା ହେଉ କିମ୍ବା ଭୁବନେଶ୍ବରରେ ନୂଆ ରାଜଧାନୀ ପ୍ରତିଷ୍ଠା ଏସବୁ ଡକ୍ଟର ମହତାବଙ୍କର ଓଡ଼ିଶାକୁ ଶ୍ରଷ୍ଠ ଅବଦାନ। ସେହିପରି ଓଡ଼ିଶା ଟେକ୍ସଟାଇଲ ମିଲ ପ୍ରତିଷ୍ଠା, ବାରବାଟୀ ଷ୍ଟାଡିୟମ୍ ନିର୍ମାଣ, କଟକ ଆକାଶବାଣୀ କେନ୍ଦ୍ର ପ୍ରତିଷ୍ଠା ଓ ହୀରାକୂଦ ବନ୍ଧ ନିର୍ମାଣରେ ଉତ୍କଳ କେଶରୀଙ୍କର ଥିଲା ମୁଖ୍ୟ ଭୂମିକା। ଓଡ଼ିଶା ଆଲିମ୍ପିକ୍ ଆସୋସିଏସନର ସିଏ ଥିଲେ ପ୍ରତିଷ୍ଠାତା ସଭାପତି। ପ୍ରକୃତ ଅର୍ଥରେ କହିବାକୁ ଗଲେ ଡକ୍ଟର ମହତାବ ହିଁ ହେଉଛନ୍ତି ଆଧୁନିକ ଓଡ଼ିଶାର ନିର୍ମାତା।